ସାହିତ୍ୟ ହେଉଛି ପ୍ରକୃତି ଓ ସମାଜ ସହିତ ସୁସମ୍ପର୍କ ସ୍ଥାପନର ମାଧ୍ୟମ : ଡ଼.ବିଶ୍ୱଭାରତୀ
ଅନ୍ୟ ପିଲାମାନଙ୍କ ଭଳି ତାଙ୍କ ପିଲାବେଳ ମଧ୍ୟ ଥିଲା ଖୁବ୍ ସାଧାରଣ।ପିତାଙ୍କ ସରକାରୀ ଚାକିରୀ ହେତୁ ରାଜ୍ୟର ବିଭିନ୍ନ ସହର ଏବଂ ସେଠାକାର ପ୍ରକୃତି, ଲୋକକଳା,ଜନଜୀବନ ସହିତ ଓତଃପ୍ରୋତ ଭାବେ ଜଡିତ ହେବାରେ ଲାଗିଲେ ଏହି ଲେଖିକା ଜଣକ । ପିତା ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ତାଙ୍କ ପାଇଁ ଥିଲେ ପ୍ରେରଣାର ଉତ୍ସ।ସେହି ପ୍ରକୃତି ମନସ୍କ ସାହିତ୍ୟିକା ଜଣକ ହେଉଛନ୍ତି ଡ଼.ବିଶ୍ୱଭାରତୀ।ପିଲାଦିନରୁ ରାମାୟଣ,ପଞ୍ଚତନ୍ତ୍ର,ଉପନିଷଦ ରାଷ୍ଟ୍ରୀୟ ଓ ବିଶ୍ୱ ସାହିତ୍ୟ ଆଦି ସଂସ୍କୃତି ଚର୍ଚ୍ଚାର ଆସରମୟ ପରିବେଶରେ ତାଙ୍କ ଆଦ୍ୟ ଜୀବନ କଟିଥିଲା।ଅନ୍ୟପକ୍ଷରେ କହିବାକୁ ଗଲେ ଘରେ ପିଲାଙ୍କୁ ଅନେକ ପୁସ୍ତକ ପଢି ତହିଁରୁ ବ୍ୟାପକ ଓ ବିସ୍ତୃତ ଜ୍ଞାନ ଆହରଣ କରିବା ପାଇଁ ପିତା ସହଯୋଗ କରୁଥିଲେ।ଯେଉଁ ପୁସ୍ତକ ଅଧ୍ୟୟନର ଗୁଣାତ୍ମକ ପ୍ରଭାବ ପଡିଥିଲା ବିଶ୍ୱଭାରତୀଙ୍କ ଉପରେ।ପିଲାଟି ଦିନରୁ ନିଜର କୁନି ହାତରେ ସାହିତ୍ୟ ଲେଖୁଥିଲେ ଏହି ସୁସାହିତ୍ୟିକା ଜଣକ।ବୟସ ଖୁବ୍ ସ୍ୱଳ୍ପ ହୋଇଥିବା ହେତୁ ସାହିତ୍ୟର ଗଭୀରତାକୁ ବୁଝି ନ ପାରି ସେହି ଲେଖାରୁ ଅନେକ ଖୁସି ପାଉଥିଲେ ଡ଼.ବିଶ୍ୱଭାରତୀ।ମାତ୍ର ହେତୁ ପାଇବା ପରେ ନିଜର ମହାବିଦ୍ୟାଳୟ ମୁଖପାତ୍ର ଜରିଆରେ ବିଧିବଦ୍ଧ ଭାବେ ସାହିତ୍ୟ ରଚନା କରିବାକୁ ଲାଗିଲେ ଶ୍ରୀମତୀ ବିଶ୍ୱଭାରତୀ।ପରବର୍ତ୍ତୀ ସମୟରେ ପ୍ରାରମ୍ଭିକ ଲେଖା ସବୁ ଧରିତ୍ରୀ,ସମାଜ,ସଚିତ୍ର ବିଜୟାରେ ପ୍ରକାଶିତ ହେବାରେ ଲାଗିଲେ।ଉତ୍କଳ ବିଶ୍ଵବିଦ୍ୟାଳୟରୁ ନୃତତ୍ଵ ବିଜ୍ଞାନରେ ପିଏଚ୍ଡି ଡିଗ୍ରୀ ହାସଲ କରିଥିବା ଡ଼ ବିଶ୍ୱଭାରତୀ ନିଜର ସାହିତ୍ୟ ମାଧ୍ୟମରେ ସାମ୍ପ୍ରତିକ ସମାଜର ସମସ୍ୟା ଉପରେ ରେଖାପାତ କରିଥାନ୍ତି।ତାଙ୍କ ମତରେ”ସମାଜର ଯେଉଁ ସମସ୍ୟା ଯେତେବେଳେ ଉଦବେଳିତ କରେ ତାହା ଲେଖା ମାଧ୍ୟମରେ ମର୍ମସ୍ପର୍ଶୀ ରୂପ ନେଇଥାଏ”।ଓଡ଼ିଆ ଭାଷା ସାହିତ୍ୟରେ ଆଦିକବି ଶାରଳା ଦାସ,ଗୋପୀନାଥ ମହାନ୍ତିଙ୍କ ଆଦିବାସୀ ସାହିତ୍ୟ,ମନୋଜ ଦାସ ଓ ସୁରେନ୍ଦ୍ର ମହାନ୍ତିଙ୍କ ଭାଷା ସାହିତ୍ୟରୁ ଗଭୀର ରୂପେ ପ୍ରେରିତ ଏହି ଲେଖିକା ଜଣକ।ତେବେ ସ୍ତମ୍ଭ ସାହିତ୍ୟରେ ନିପୁଣା ଅଟନ୍ତି ଡ଼ ବିଶ୍ୱଭାରତୀ।ତାଙ୍କ ମତରେ “ସ୍ତମ୍ଭ ସାହିତ୍ୟ ଏକ ଏମିତି ସାହିତ୍ୟ ଯାହା ଜରିଆରେ ଜଣେ ଲେଖକ ସମାଜର ସାର୍ବଜନୀନ ସମସ୍ୟାକୁ ସ୍ୱାଧୀନ ଭାବେ ବ୍ୟକ୍ତ କରିପାରିବେ।କେବଳ ସେତିକି ନୁହେଁ ସ୍ତମ୍ଭ ରଚନା ଏକ ଲୋକପ୍ରିୟ ମାଧ୍ୟମ କାରଣ ଏହା ମୁଖ୍ୟତଃ ଖବରକାଗଜରେ ପ୍ରକାଶିତ ହୋଇଥାଏ।ବର୍ତ୍ତମାନର ସମୟରେ ଖବରକାଗଜ ପ୍ରତି ଘରେ ଘରେ ଏକ ଜନପ୍ରିୟ ମାଧ୍ୟମ ଅଟେ।”
ରାଜ୍ୟର ଲୋକପ୍ରିୟ ଖବରକାଗଜରେ ପ୍ରକାଶିତ ଡ଼ ବିଶ୍ୱଭାରତୀଙ୍କ କିଛି ସ୍ତମ୍ଭ ସାହିତ୍ୟ ବିଷୟରେ-
ପ୍ରଭୁ ତ ମୋ ନା ଗୋତ୍ର ସବୁ ଜାଣନ୍ତି (ଆଧ୍ୟାତ୍ମିକ ରଚନା)
ଫେରିଯାଇ ଦେଶବାସୀଙ୍କୁ ଆମ କଥା କହିବ (ରାଷ୍ଟ୍ରୀୟ ଚେତନାମୟ ରଚନା)
ଜରାୟୁରୁ ଜରା ଯାଏ(ଲିଙ୍ଗଗତ ସମାନତା ରଚନା)
(ସାମାଜିକ ରଚନା)-
ଯେତେ ମୁଢ଼ ସେତେ ମେଢ଼
ଭକ୍ତିର ସଂଜ୍ଞା ଓ ସାବରୀମାଳା
ଛି! ଡାଲମା
ଗାଁରେ କେତେ ତାରା!
ଆମେ କଣ ସତରେ ସ୍ୱାଧୀନ? ଇତ୍ୟାଦି ଅନେକ।
ସ୍ତମ୍ବ ସାହିତ୍ୟିକା ଡ଼.ବିଶ୍ୱଭାରତୀ ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରକୁ ଆସୁଥିବା ନବାଗତଙ୍କୁ ଏହି ଉପଦେଶ ଦିଅନ୍ତି ଯେ “ସାହିତ୍ୟର ଅନେକ ବିଭବ ରହିଛି।ଆମେ କଣ ଲେଖିବା ତାହା ଆମର ଅଧୀନସ୍ଥ।ସାହିତ୍ୟ ବହୁତ ପ୍ରଭାବଶାଳୀ ଅଟେ। ଯାହା ଏକ ସମାଜରେ ବୈପ୍ଲବୀକ ପରିବର୍ତ୍ତନ ଆଣିବାରେ ମୁଖ୍ୟ ରୂପ ନେଇଥାଏ।ଲେଖକ ଯାହା ଲେଖୁଛନ୍ତି ସେଥିରୁ ଯେମିତି ସମାଜରେ ସକାରାତ୍ମକ ପରିବର୍ତ୍ତନ ଆସିବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ।ଘରର ଚାରିକାନ୍ଥରେ ଲେଖକମାନେ ଆବଦ୍ଧ ନ ହୋଇ ପ୍ରକୃତି ଓ ସମାଜ ସହିତ ପ୍ରତ୍ୟକ୍ଷ ରୂପେ ମିଶନ୍ତୁ।ଯାହାଦ୍ଵାରା ସେଥିରୁ ଅନେକ ଜ୍ଞାନ ସାଉଁଟି ପାରିବେ।”
ତେବେ ନିଜର ଲେଖା ମାଧ୍ୟମରେ ସମାଜରେ କିଛି ପରିବର୍ତ୍ତନ ଆଣିବା ସହିତ ଘଟୁଥିବା ସମସ୍ୟାକୁ ବ୍ୟାପକ କରାଇ ତାହାକୁ ଲୋକଲୋଚନକୁ ଆଣିବା ପାଇଁ ସର୍ବଦା ଚେଷ୍ଟିତା ରହିବେ ଏହି ସୁ ସାହିତ୍ୟିକା ଜଣକ।