ଲେଖିବା ପୂର୍ବରୁ ପର୍ଯ୍ୟାପ୍ତ ପଢିବା ଦରକାର : ଲେଖିକା ମନୋରମା ସାହୁ

ଗ୍ରାମ୍ୟ ପରିବେଶରେ କଟିଥିଲା ତାଙ୍କର ସମ୍ପୂର୍ଣ୍ଣ ବାଲ୍ୟ ଜୀବନ । ଗାଁର ସାଙ୍ଗମାନଙ୍କ ସହ ମିଶି କଙ୍କି ଧରିବା ହେଉ ଅବା ପୋଖରୀରୁ ମାଛ ଧରିବା,ସନ୍ଧ୍ୟା ହେଲେ ତୁଳସୀ ଚୌରାରେ ମା’ଙ୍କ ସଞ୍ଜବତୀ ଜଳିବା ଭଳି ଅନେକ ମିଠା ସ୍ମୃତିରେ କଟିଥିଲା ଏହି ସୁସାହିତ୍ୟିକାଙ୍କ ପ୍ରାରମ୍ଭିକ ଜୀବନ। ମା’ ଓ ଜେଜେମାଙ୍କ କାହାଣୀ ଏବଂ ରେଡ଼ିଓର ସୃଜନୀ କାର୍ଯ୍ୟକ୍ରମରୁ ସେ ସାଉଁଟିଥିଲେ ନିଜର ଭାଷା ସାହିତ୍ୟକୁ।କେବଳ ସେତିକି ନୁହେଁ ଗ୍ରାମର ସେହି ପ୍ରାକୃତିକ ପରିବେଶ ତାଙ୍କ ପାଇଁ ସାଜିଥିଲା ଲେଖନୀ ଚାଳନାର ପ୍ରେରଣା।ନିଜର ସାହିତ୍ୟ ମାଧ୍ୟମରେ ସମାଜରେ କିପରି ଏକ ସୁସ୍ଥ ଦାମ୍ପତ୍ୟ ଜୀବନ ଦ୍ୱାରା ଉତ୍ତମ ପରିବେଶ ସୃଷ୍ଟି ହେବ ଏବଂ ଏହା ସମାଜକୁ ସକରାତ୍ମକ ବାର୍ତ୍ତା ଦେବ ଏହି ଉପରେ ସର୍ବଦା ଦୃଷ୍ଟି ଦିଅନ୍ତି ଲେଖିକା ମନୋରମା ସାହୁ।ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀଠାରେ ଜନ୍ମିତା ମନୋରମା ମାତ୍ର ଦଶମ ଶ୍ରେଣୀରୁ ନିଜର ଲେଖକୀୟ ଜୀବନ ଆରମ୍ଭ କରିଥିଲେ।୧୯୯୨ ମସିହାରେ ପ୍ରଥମେ ପ୍ରଗତିବାଦୀରେ “ଅଜା ପାଇଲେ ସଜା” ନାମକ ଏକ ଶିଶୁ କବିତାରୁ ନିଜର ସାରସ୍ୱତ ଜୀବନ ଆରମ୍ଭ କରିଥିବା ମନୋରମା ଶିକ୍ଷାରେ ସ୍ନାତକ ଡିଗ୍ରୀ ହାସଲ କରି ବର୍ତ୍ତମାନ ସରକାରୀ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟରତ।
ଓଡ଼ିଆ ଭାଷା ସାହିତ୍ୟରେ ପ୍ରତିଭା ରାୟ,ଗୋପୀନାଥ ମହାନ୍ତିଙ୍କୁ ନିଜର ପ୍ରେରଣା ମଣୁଥିବା ଏହି ଯୁବ ଲେଖିକା ଏଯାବତ୍ ୧୦ ଗୋଟି ପୁସ୍ତକ ରଚନା କରିସାରିଛନ୍ତି।ଯହିଁରୁ ବ୍ୟଙ୍ଗାତ୍ମକ ପୁସ୍ତକ “ନିଶ ନିଉଜ୍” ଅନ୍ୟତମ।

ବ୍ୟଙ୍ଗାତ୍ମକ ପୁସ୍ତକ “ନିଶ ନିଉଜ୍” ବିଷୟରେ କିଛି-

ମଣିଷ ସବୁବେଳେ ନିଜ ପାଖେ ଥିବା ସୁନ୍ଦର ବସ୍ତୁକୁ ଅଣଦେଖା କରି ପର ଅଥବା ଅନ୍ୟ ବ୍ୟକ୍ତିଙ୍କ ବସ୍ତୁ ଉପରେ ଆଖି ପକାଏ।ଯାହାକୁ ସେ ଆଶା କରେ ଏବଂ ପାଇବାକୁ ଚେଷ୍ଟା ମଧ୍ୟ କରେ।ତେବେ ନିଜର ନିଶ ନଥାଇ ନକଲି ନିଶ ଲଗାଇ ସମାଜରେ ବଂଚିବା ଭଳି ଚିନ୍ତାଧାରା ଓ ପ୍ରୟାସକୁ ରସାନନ୍ଦ ନାମୀ ଚରିତ୍ର ଜରିଆରେ ନିଜର ଭାବକୁ ପ୍ରକାଶ କରିଛନ୍ତି ଲେଖିକା ମନୋରମା।

ମନୋରମା ସାହୁଙ୍କ କୃତି ଓ ପୁସ୍ତକ ବିଷୟରେ ପଦେ-

ଶିଶୁ କବିତା-ଗାଁ ଡାକୁଛି ଆ,ଅଜା ବାହାରିଲେ ସହର ବୁଲି।
ଗଳ୍ପ-ଦିଗବଳୟର ରଙ୍ଗ,ଏକାଙ୍କିକା-ନିଶ ନିଉଜ
କବିତା-ସାରାରାତି ସମୁଦ୍ର,ଗୀତିକବିତା- ଚିତ୍ର ମଣିଷ
ଉପନ୍ୟାସ-ବାଘ ନଥିବା ବଣ ଇତ୍ୟାଦି।

ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ-କଳିଙ୍ଗ ପୁସ୍ତକ ମେଳା
ସାହିତ୍ୟ ମିତ୍ର ସମ୍ମାନ,ଆରପାଖ ସମ୍ମାନ,ଧ୍ରୁବରଣା ପ୍ରତିଭା ପୂଜା ସମ୍ମାନ।

ଭବିଷ୍ୟତରେ ଦାମ୍ପତ୍ୟ ଜୀବନକୁ ନେଇ ଗୁଣାତ୍ମକ ଉପନ୍ୟାସ ଓ ଗଳ୍ପ ଲେଖିବାର ଲକ୍ଷ୍ୟ ରଖିଥିବା ଏହି ଯୁବ ଲେଖିକା ଜଣକ ଆଗାମୀ ଦିନରେ ସାହିତ୍ୟ କ୍ଷେତ୍ରକୁ ଆସୁଥିବା ଯୁବ ସାହିତ୍ୟିକଙ୍କୁ ଏହି ଉପଦେଶ ଦିଅନ୍ତି ଯେ “ଲେଖିବା ପୂର୍ବରୁ ଗଭୀର ପଠନ ଆବଶ୍ୟକ। ସାମୟିକ ବିଫଳତାରେ ହତାଶ ନ ହୋଇ ଲେଖନୀ ଚାଳନା ଜାରି ରଖନ୍ତୁ କାରଣ ଆଗାମୀ ଦିନରେ ଅନନ୍ତ ସଫଳତାର ଆଶା ରହିଛି”।

Leave a Reply

Your email address will not be published. Required fields are marked *