ମାନବୀୟ ଗୁଣର ପ୍ରତିଛବିକୁ ଶବ୍ଦରେ ସଜାଇବାରେ ବ୍ୟସ୍ତ ମହାଶ୍ୱେତା
ତାଙ୍କ ପିଲାଦିନ ଥିଲା ଖୁବ୍ ଆନନ୍ଦମୟ।ଖରାଦିନ ଓ ଧାନକଟା ଛୁଟି ହେଲେ ଗାଁକୁ ଯାଇ ବାଡିରୁ ଶାଗ ତୋଳିବା,ବିଲ ଚାଷରେ ହାତ ବଢ଼େଇବା,ପୋଖରୀରୁ ମାଛ ଧରିବା ଭଳି ସମସ୍ତ ଗ୍ରାମୀଣ କାର୍ଯ୍ୟରେ ନିଜକୁ ଲିପ୍ତ ରଖୁଥିଲେ ଏହି ଯୁବ ଲେଖିକା ଜଣକ।ଅଜା ତାଙ୍କର ଟିକେ କଠୋରପନ୍ଥୀ ଥିଲେ କିନ୍ତୁ ଏହି ଲେଖିକାଙ୍କ ପାଇଁ ଥିଲେ ସେ ପ୍ରିୟ ମଣିଷ।ତେଣୁ ଖୁବ୍ ଶୃଙ୍ଖଳିତ ଭାବେ କଟିଥିଲା ତାଙ୍କ ଶୈଶବ ଜୀବନ।ତେବେ ଓଡ଼ିଆ ଗଦ୍ୟ ସାହିତ୍ୟର ସେହି ସଫଳ ଗଦ୍ୟକାର ହେଉଛନ୍ତି ଶ୍ରୀମତୀ ମହାଶ୍ୱେତା ସାହୁ।
ନିଜର ଅଜାଙ୍କୁ ପ୍ରେରଣା ମଣୁଥିବା ମହାଶ୍ୱେତା ଉତ୍କଳ ବିଶ୍ଵବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ବେଳେ ଜାତୀୟ ପ୍ରବେଶିକା ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛନ୍ତି।ବର୍ତ୍ତମାନ ସୁଶୀଳାବତୀ ସରକାରୀ କନିଷ୍ଠ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପିକା ଅଛନ୍ତି ଲେଖିକା ମହାଶ୍ୱେତା।ମାତ୍ର ନବମ ଶ୍ରେଣୀରୁ ନିଜର ସାହିତ୍ୟିକ ଜୀବନ ଆରମ୍ଭ କରିଥିଲେ ଏହି ଯୁବ ଲେଖିକା।ରମାଦେବୀରେ ଅଧ୍ୟୟନ କରୁଥିବା ସମୟରେ ମହାଶ୍ୱେତାଙ୍କ ଲେଖା ମହାବିଦ୍ୟାଳୟ ମୁଖପାତ୍ର “ଅରୁନ୍ଧତୀ” ପ୍ରକାଶ ପାଇଥିବା ସହ ତତ୍କାଳୀନ ସମୟରେ ସମୟ,ସୁଚାରିତା,ଝଙ୍କାରରେ ମଧ୍ୟ ପ୍ରକାଶ ପାଇଥିଲା।ଓଡ଼ିଆ ଭାଷା ସାହିତ୍ୟରେ ସୁରେନ୍ଦ୍ର ମହାନ୍ତି,ଚନ୍ଦ୍ରଶେଖର ରଥଙ୍କୁ ନିଜର ପ୍ରେରଣା ମଣୁଥିବା ଏହି ସୁସାହିତ୍ୟିକା ଗଳ୍ପ ସାହିତ୍ୟରେ ନିପୁଣା ଅଟନ୍ତି।ତାଙ୍କ ମତରେ”ଗଳ୍ପ ସଂକଳନରେ ଜଣେ ଲେଖକ ମୁକ୍ତ ଭାବେ ଲେଖିପାରେ।”
ଅଧ୍ୟାପିକା ମହାଶ୍ୱେତାଙ୍କ କିଛି କୃତି ଓ ପୁରସ୍କାର ବିଷୟରେ ପଦେ-
ଅବ୍ୟକ୍ତ ନୀରବତା,ମାଟିର ଝରକା,ଦର୍ପଣର ଛାଇ,ପ୍ରେମିକା,ଯେତେ ସବୁ ପାରିପାର୍ଶ୍ବିକ,ରକ୍ତଝୋଟି,ଅନ୍ଧାରର ଇନ୍ଦ୍ରଧନୁ,ପାପୁଲିଏ କ୍ଷତ,ସାହିତ୍ୟ ମନୀଷା ଭାଗ ୧ ଓ ୨(ପ୍ରତିଯୋଗିତାମୂଳକ ସାହିତ୍ୟ),ବିଷାଦ ବୃତ୍ତର ରାଜପୁତ୍ର ପ୍ରମୁଖ।
ପୁରସ୍କାର-
ରବି ପଟ୍ଟନାୟକ ସ୍ମୃତି ପୁରସ୍କାର,କାଦମ୍ବିନୀ ଗଳ୍ପ ପୁରସ୍କାର,ଉତ୍ତମ ଚରଣ ଗଳ୍ପ ପୁରସ୍କାର,କଳିଙ୍ଗ ଯୁବ ସାହିତ୍ୟ ପୁରସ୍କାର,ସଚିବାଳୟ ଲେଖକ ସଙ୍ଘ,ସାହିତ୍ୟ ଦର୍ପଣ ଗଳ୍ପ ପୁରସ୍କାର ଇତ୍ୟାଦି ଅନେକ।
ତେବେ ଜଣେ ଗାଳ୍ପିକା ଭାବେ ନିଜର ଏହି ମତ ଦିଅନ୍ତି ଯେ “ସାହିତ୍ୟ ଜୀବନ ଓ ସମାଜ ମଧ୍ୟରେ ଏକ ସେତୁ ରୂପେ କାର୍ଯ୍ୟ ନିର୍ବାହ କରିଥାଏ।ସମାଜ ବିନା ମନୁଷ୍ୟର କୌଣସି ଅସ୍ଥିତ୍ଵ ନାହିଁ।ଅର୍ଥାତ ଜଣେ ଗାଳ୍ପିକ ଲେଖିବା ସମୟରେ କେବେ ନିଜର ବ୍ୟକ୍ତିଗତ ଜୀବନ ଉପରେ ସମ୍ପୂର୍ଣ୍ଣ ଲେଖିପାରେ ନାହିଁ।ସେ ଲେଖିଥାଏ ସାମ୍ପ୍ରତିକ ସମାଜର ମନସ୍ତତ୍ୱକୁ ଆଧାର କରି।”
ମହାଶ୍ୱେତାଙ୍କ ପାଇଁ ସାହିତ୍ୟ ହେଉଛି ପ୍ରେମ ଏବଂ ଅବକାଶ ସମୟର ବନ୍ଧୁ।ଭଲ ଲେଖିଲେ ଖୁବ୍ ମାନସିକ ଶାନ୍ତି ପାଇଥାନ୍ତି ଏହି ଯୁବ ଲେଖିକା।ଜୀବନର ଦୁଃଖ ଓ ସୁଖ ସମୟରେ ସାହିତ୍ୟକୁ ଖୋଜୁଥିବା ମହାଶ୍ୱେତା ଉଦାସରେ ମଧ୍ୟ କଲମ ଧରିଥାନ୍ତି।ଗୋଟାପଣ ଭାବେ ଏହା କୁହାଯାଇପାରେ ଯେ ସାହିତ୍ୟ ବିନା ତାଙ୍କ ଜୀବନରେ ଶୂନ୍ୟତା ଖେଳିଯାଇଥାନ୍ତା।ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ୟକୁ ଆସୁଥିବା ନବାଗତଙ୍କୁ ଯୁବ ଲେଖିକା ମହାଶ୍ୱେତା ସାହୁ ଏହି ଉପଦେଶ ଦିଅନ୍ତି ଯେ “ବହୁତ ପୁସ୍ତକ ପ୍ରଥମେ ଅଧ୍ୟୟନ କରନ୍ତୁ।ମନରେ ଅହଂଭାବକୁ ପୋଷଣ ନ କରି ଅହରହ ସାହିତ୍ୟ ସାଧନା ଜାରି ରଖନ୍ତୁ।”ତେବେ ଜୀବନର ଶେଷ ନିଃଶ୍ୱାସ ଯାଏଁ ସାହିତ୍ୟ ସାଧନା ଜାରି ରଖିବା ସହ ନିଜର ଗଳ୍ପରେ ନୂଆ ଶୈଳୀ ଆଣିବା ପାଇଁ ନିଜର ପ୍ରୟାସ ଜାରି ରଖିବେ ଶ୍ରୀମତୀ ମହାଶ୍ୱେତା।