ନାସା ପକ୍ଷରୁ ଜାରି ହେଲା ବ୍ରହ୍ମାଣ୍ଡର ପ୍ରଥର ରଙ୍ଗୀନ ଛବି ।

ୱାଶିଂଟନ: ମହାକାଶ ଗବେଷଣାରେ ଯୋଡ଼ି ହୋଇଛି ଆଉ ଏକ ମାଇଲ ଖୁଣ୍ଟ। ଆମେରିକାର ମହାକାଶ ସଂସ୍ଥା ନାସା ପକ୍ଷରୁ ଗାଲାକ୍ସିର ପ୍ରଥମ ରଙ୍ଗୀନ ଚିତ୍ର ଛଡାଯାଇଛି। ଯାହାକି ଏପର୍ଯ୍ୟନ୍ତ ଦେଖାଯାଇଥିବା ବ୍ରହ୍ମାଣ୍ଡର ସବୁଠୁ ଅଧିକ ରିଜୋଲ୍ୟୁସନ୍‌ ଥିବା ଚିତ୍ର। ଯେଉଁଥିରେ ଏପର୍ଯ୍ୟନ୍ତ ବ୍ରହ୍ମାଣ୍ଡର ସବୁଠୁ ଅଧିକ ଗହୀର ଦୃଶ୍ୟ ଦେଖାଯାଇଛି। ମହାକାଶରୁ ଚିତ୍ର ଉତ୍ତୋଳନ କରୁଥିବା ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ ମଧ୍ୟରୁ ଅନ୍ୟତମ ଜେମ୍ସ ୱେବ୍ ଟେଲିସ୍କୋପ ଦ୍ୱାରା ଉତ୍ତୋଳିତ ହୋଇଛି ଏହି ଚିତ୍ର। ଏହା ମହାକାଶକୁ ଦେଖିବାର ଦୃଷ୍ଟିଭଙ୍ଗୀକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେବ ବୋଲି ଆଶା ରଖିଛନ୍ତି ମହାକାଶ ବିଜ୍ଞାନୀ।

ନାସା ପକ୍ଷରୁ ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ପ୍ରତିଛବିକୁ ଜାରି କରି ଅଭିନନ୍ଦନ ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଏହି ଚିତ୍ରରେ ମହାକାଶରେ ବୁଲୁଥିବା ଶହ ଶହ ଗ୍ରହ, ଗ୍ରହାଣୁ ପୁଞ୍ଜ ଚିତ୍ର ସ୍ପଷ୍ଟ ଦୃଶ୍ୟମାନ ହେଉଛନ୍ତି। ଗତକାଲି ହ୍ୱାଇଟ ହାଉସରେ ‘ଜେମ୍ସ ୱେବ୍ ସ୍ପେସ୍’ ଟେଲିସ୍କୋପ ଦ୍ୱାରା ନିଆଯାଇଥିବା ପ୍ରଥମ ପ୍ରତିଛବିକୁ ଉନ୍ମୋଚନା କରିଛନ୍ତି ବାଇଡେନ। ଏହି ଅବସରରେ ନାସା ଆଡମିନିଷ୍ଟ୍ରେଟର ବିଲ୍ ନେଲସନ ମଧ୍ୟ ଉପସ୍ଥିତ ଥିଲେ।

ଆମେରିକାର ରାଷ୍ଟ୍ରପତି ଟ୍ୱିଟ କରି କହିଛନ୍ତି, “ୱେବ୍ ସ୍ପେସ୍ ଟେଲିସ୍କୋପର ପ୍ରଥମ ପ୍ରତିଛବି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଐତିହାସିକ ମୁହୂର୍ତ୍ତକୁ ପ୍ରତିନିଧିତ୍ୱ କରୁଛି। ଏହା ଜ୍ୟୋତିର୍ବିଜ୍ଞାନ ଏବଂ ମହାକାଶ ଅନୁସନ୍ଧାନ ପାଇଁ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ। ଆମେରିକା ଏବଂ ସମସ୍ତ ମାନବିକତା ପାଇଁ ଏହା ସମର୍ପିତ।”

ବାଇଡେନ ଜାରି କରିଥିବା ପ୍ରଥମ ପ୍ରତିଛବିରେ ବ୍ରହ୍ମାଣ୍ଡର ସବୁଠୁ ଅଧିକ ଗହୀର ଦୃଶ୍ୟ ଦେଖାଯାଇଛି, ଯାହାକି ପୂର୍ବରୁ କେବେ ଦୃଶ୍ୟମାନ ହୋଇ ନ ଥିଲା। ନେଲସନ ଏକ ବିବୃତିରେ କହିଛନ୍ତି ଯେ ଏହା ବ୍ରହ୍ମାଣ୍ଡର ସବୁଠୁ ଅଧିକ ଗଭୀରତମ ଚିତ୍ର। ବାକି ହାଇ-ରିଜୋଲ୍ୟୁସନ୍ ରଙ୍ଗୀନ ଚିତ୍ରଗୁଡ଼ିକ ଆସନ୍ତା ୧୨ରେ ପ୍ରକାଶ ପାଇବ। ଯାହା ନାସାର ୱେବସାଇଟ୍ ପରିଦର୍ଶନ କରି ମଧ୍ୟ ଦେଖିହେବ।

ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ମଧ୍ୟ ନାସାର ଏହି ସଫଳତାରେ ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ରୋମାଞ୍ଚକର ମୁହୂର୍ତ୍ତ। ଆଜି ବ୍ରହ୍ମାଣ୍ଡରେ ଏକ ରୋମାଞ୍ଚକର ନୂତନ ଅଧ୍ୟାୟ ସୃଷ୍ଟି ହେଲା ବୋଲି କହିଛନ୍ତି ହାରିସ୍‌।

ମହାକାଶକୁ ଉତକ୍ଷେପିତ ହୋଇଥିବା ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ ମଧ୍ୟରୁ ଜେମ୍ସ ୱେବ୍ ଟେଲିସ୍କୋପ ଅନ୍ୟତମ| ନାସାର ଡେପୁଟି ଆଡମିନିଷ୍ଟ୍ରେଟର ପାମ ମେଲରାୟଙ୍କ ବିବୃତି ଅନୁଯାୟୀ, ଏହି ମିଶନକୁ ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ସଞ୍ଚାଳନ କରିବା ନିମନ୍ତେ ପର୍ଯ୍ୟାପ୍ତ ଅତିରିକ୍ତ ଇନ୍ଧନ କ୍ଷମତା ରହିଛି।

ଗତ ଶୁକ୍ରବାର ନାସା ଜେମ୍ସ ୱେବ୍‌ର ପ୍ରଥମ ପାଞ୍ଚଟି ମହାଜାଗତିକ ଲକ୍ଷ୍ୟ ପ୍ରକାଶ କରିଥିଲା। ସେଥିମଧ୍ୟରେ କୈରିନା ନେବୁଲା, WASP-96b, ଦକ୍ଷିଣ ରିଙ୍ଗ୍ ନେବୁଲା, ଷ୍ଟିଫେନର ପଞ୍ଚକ ଏବଂ SMACS 0723 ଅନ୍ତର୍ଭୁକ୍ତ। ଏହି ଲକ୍ଷ୍ୟଗୁଡିକ ଏକ ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଥିଲା। ଯେଉଁଥିରେ ନାସା, ୟୁରୋପୀୟ ସ୍ପେସ୍ ଏଜେନ୍ସି, କାନାଡିୟ ସ୍ପେସ୍ ଏଜେନ୍ସି ଏବଂ ବଲ୍‌ଟିମୋର୍‌ର ସ୍ପେସ୍ ଟେଲିସ୍କୋପ୍ ସାଇନ୍ସ ଇନଷ୍ଟିଚ୍ୟୁଟର ସଦସ୍ୟମାନେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *