ମଦର ପକ୍ଷରୁ ରାଷ୍ଟ୍ରୀୟ ଉପଭୋକ୍ତା ଦିବସ ପାଳିତ
ଭୁବନେଶ୍ୱର : ସାମାଜିକ ସଂଗଠନ ମଦର ପକ୍ଷରୁ ରାଷ୍ଟ୍ରୀୟ ଉପଭୋକ୍ତା ଦିବସ ପାଳନ କରାଯାଇଅଛି | ଆଜି ଦେଶବ୍ୟାପୀ ଖାଉଟି ମାନଙ୍କ ଅଧିକାର ଓ ସୁରକ୍ଷା ସମ୍ବନ୍ଧରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ମଦର ପକ୍ଷରୁ ଭୁବନେଶ୍ୱରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ମଦର ଅନୁଷ୍ଠାନର ସଦସ୍ୟ ମାନେ ଜୟଦେବ ଭବନ ଠାରେ ଖାଉଟି ଅଧିକାର ଓ ସୁରକ୍ଷା ସମ୍ବନ୍ଧରେ ସଚେତନତା ପ୍ଲାକାର୍ଡ଼ ଓ ପୋଷ୍ଟର ପ୍ରଦର୍ଶନ କରିଥିଲେ | ଏହି ଅବସରରେ ମଦରର ମୁଖ୍ୟ ପରିଚାଳକ ପ୍ରମୋଦ କୁମାର ଦାସ କହିଥିଲେ କି, ଆଜିର ସମୟରେ ଦ୍ରବ୍ୟ ଓ ସେବା ବ୍ୟବହାର କରୁଥିବା ଉପଭୋକ୍ତା ମାନେ ସେମାନଙ୍କ ଅଧିକାର ବିଷୟରେ ଜାଣିବା ଏକ ଅତ୍ୟନ୍ତ ଜରୁରୀ କଥା |
ଦ୍ରବ୍ୟର ଗୁଣ, ମାତ୍ରା, ମୂଲ୍ୟ, ଶୁଦ୍ଧତା ଇତ୍ୟାଦି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପାଇବା ଏବଂ ଉପଭୋକ୍ତାମାନଙ୍କୁ ସେମାନଙ୍କର ଅଧିକାର ଏବଂ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇବା ଆମର ଲକ୍ଷ୍ୟ | ଉପଭୋକ୍ତା ଅଭିଯୋଗ ଦ୍ରୁତ ଏବଂ ସହଜରେ ନିଷ୍ପତ୍ତି ପାଇଁ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଉପଭୋକ୍ତା ଫୋରମ ବିଷୟରେ ଖାଉଟିଙ୍କୁ ଜଣାଇବା ଆମ ଉଦ୍ଦେଶ୍ୟ ବୋଲି ଶ୍ରୀଯୁକ୍ତ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ | ମଦର ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ଏହି ଦିବସରେ ଖାଉଟି ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ବର୍ଷ ସାରା ବିଭିନ୍ନ ସମ୍ବନ୍ଧୀୟ କାର୍ଯ୍ୟ ହାତକୁ ନିଆଯାଉଛି | କାର୍ଯ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ପ୍ରଶାନ୍ତ ରାଉତରାୟ, ମଣ୍ଟୁ ମଲ୍ଲିକ, ନବକାନ୍ତି ମାଝୀ, ଦିପ୍ତୀଶ୍ରୀ ନାୟକ, ଓମପ୍ରସାଦ ଦାସଙ୍କ ସମେତ ବହୁ ସାମାଜିକ କର୍ମୀ ଯୋଗ ଦେଇଥିଲେ |