ନେପାଳରେ ଚାଷୀ ରାସ୍ତାରେ ଫିଙ୍ଗୁଛନ୍ତି ଟମାଟୋ ; ଭାରତକୁ ଯୋଗାଇବାକୁ ଦେଲା ପ୍ରସ୍ତାବ

ନୂଆଦିଲ୍ଲୀ : ଦେଶରେ ଏବେ ଟମାଟୋ ଦର ଆକାଶଛୁଆଁ ହୋଇଛି । ଦେଶର ଅଧିକାଂଶ ସ୍ଥାନରେ ଟମାଟୋ ଦର ୧୦୦ ଟଙ୍କାରୁ ଅଧିକ ଥିବାବେଳେ କେତେକ ସ୍ଥାନରେ ୨୦୦ ଟଙ୍କା ଟପିଯାଇଛି । ଏପରିସ୍ଥିତିରେ ଭାରତର କ୍ଷୁଦ୍ର ପଡ଼ୋଶୀ ଦେଶ ନେପାଳ ଟମାଟୋ ଯୋଗାଇବାକୁ ପ୍ରସ୍ତାବ ଦେଇଛି ।

ନେପାଳ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ବଜାରରେ ପ୍ରବେଶ ପାଇଁ ଭାରତ ସରକାର ଅନୁମତି ଦେଲେ ବିପୁଳ ପରିମାଣରେ ଟମାଟୋ ରପ୍ତାନି କରିବାକୁ ସେମାନେ ପ୍ରସ୍ତୁତ ଅଛନ୍ତି । ନେପାଳ କୃଷି ମନ୍ତ୍ରାଳୟର ମୁଖପାତ୍ର ସବନମ୍ ଶିବକୋଟି କହିଛନ୍ତି ଯେ ତାଙ୍କ ଦେଶ ଦୀର୍ଘ ମିଆଦୀ ଭିତ୍ତିରେ ଭାରତକୁ ଟମାଟୋ ପଠାଇବାକୁ ପ୍ରସ୍ତୁତ ଅଛି । କେବଳ ଭାରତ ସରକାର ବଜାର ଅନୁମତି ଓ ଅନ୍ୟାନ୍ୟ ସୁବିଧା ଦେଲେ ଟମାଟୋ ରପ୍ତାନି ଆରମ୍ଭ ହୋଇପାରିବ ।

କିଛିଦିନ ତଳେ ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଭାରତ ନେପାଳରୁ ଟମାଟୋ ଆମଦାନୀ କରିବା ଆରମ୍ଭ କରିଛି । ତାଙ୍କର ଏହି ବୟାନ ପରେ ନେପାଳ ପକ୍ଷରୁ ଏହି ମନ୍ତବ୍ୟ ଆସିଛି ।

ନେପାଳର ୩ଟି ଜିଲ୍ଲା କାଠମାଣ୍ଡୁ, ଲଳିତପୁର ଓ ଭକ୍ତପୁରରେ ପ୍ରଚୁର ପରିମାଣରେ ଟମାଟୋ ଉତ୍ପାଦନ ହୁଏ, ଯାହାକି ନେପାଳର ଚାହିଦାଠାରୁ ଢେର୍ ଅଧିକ । ଏହି କାରଣରୁ ଭାରତକୁ ନିଜର ବଳକା ଟମାଟୋ ରପ୍ତାନି କରିବାକୁ ଇଚ୍ଛା ପ୍ରକାଶ କରିଛି ନେପାଳ । ଗତ ମାସରେ ନେପାଳର ଚାଷୀମାନେ କାଲିମାଟି ମାର୍କେଟ୍ ନିକଟରେ ୬୦ରୁ ୭୦ ହଜାର ଟନ ଟମାଟୋ ଫିଙ୍ଗିଦେଇଥିଲେ । ଟମାଟୋର ଉପଯୁକ୍ତ ଦର ନ ମିଳିବାରୁ ସେମାନେ ଏହା କରିଥିଲେ। କିନ୍ତୁ ଏବେ ନେପାଳ ଚାଷୀମାନେ ଚୋରାରେ ଭାରତକୁ ଟମାଟୋ ପଠାଇବା ପରେ ସେଠାରେ ଦର ବଢିଯାଇଛି ।

Leave a Reply

Your email address will not be published. Required fields are marked *