ଦ୍ୱାଦଶ ଯାତ୍ରାର ଶେଷ ଅଙ୍କ ‘ନୀଳାଦ୍ରିବିଜେ’

ଶ୍ରୀମନ୍ଦିର ପରମ୍ପରାରେ ବାର ମାସରେ ତେର ପର୍ବ ପାଳିତ ହୁଏ | ଲୀଳାମୟ ନୀଳାଦ୍ରୀଶଙ୍କ ସ୍ୱୟଂ ନିର୍ଦେଶ କ୍ରମେ ଏ ସମସ୍ତ ପର୍ବ ଓ ଯାତ୍ରା ଅନୁଷ୍ଠିତ ହୁଏ |ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ସବୁ ହେଲା ସ୍ନାନ ଯାତ୍ରା, ରଥ ଯାତ୍ରା, ଶୟନ ଯାତ୍ରା, ଦକ୍ଷିଣାୟନ ଯାତ୍ରା, ପାର୍ଶ୍ଵ ପରିବର୍ତ୍ତନ, ଦେବୋତ୍ଥାନ , ପ୍ରାବରଣ ଷଷ୍ଠୀ, ପୁଷ୍ୟାଭିଷେକ, ଉତ୍ତରାୟଣ ଯାତ୍ରା, ଦୋଳ ଯାତ୍ରା, ଦୟଣା ଯାତ୍ରା, ଚନ୍ଦନ ଯାତ୍ରା (ଅକ୍ଷୟତୃତୀୟା )|ଏହି ଦ୍ୱାଦଶ ଯାତ୍ରାର ପ୍ରଧାନ ଯାତ୍ରା ରଥ ଯାତ୍ରାର ଶେଷ ଅଙ୍କ ନୀଳାଦ୍ରି ବିଜେ |

ବାହୁଡା଼ ଯାତ୍ରାରେ ପ୍ରଭୁ ଜନ୍ମବେଦିରୁ କର୍ମବେଦିକୁ ଫେରି ସିଂହଦ୍ୱାରରେ ଅବସ୍ଥାନ କରନ୍ତି | ସୁନାବେଶ ବା ରାଜରାଜେଶ୍ୱର ବେଶ ହୋଇ ଭକ୍ତ ଜନଙ୍କୁ ନିଜର ଐଶ୍ଵର୍ଯ୍ୟ ପ୍ରଦର୍ଶନ କରନ୍ତି |ତା ପରେ ରଥଯାତ୍ରାରେ ଯୋଗ ଦେଇଥିବା ଦେଵୀ ଦେବତା, ଅଶରୀରି ଆତ୍ମା, ରଥରେ ଅବସ୍ଥାନ କରିଥିବା ପାର୍ଶ୍ଵ ଦେବୀ ଦେବତାଙ୍କୁ ଅଧରପଣାରେ ସନ୍ତୁଷ୍ଟ କରି ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ପ୍ରସ୍ତୁତ ହୁଅନ୍ତି |ଏହି ପର୍ବ ନୀଳାଦ୍ରି ବିଜେ ନାମରେ ଖ୍ୟାତ |

ରଥ ଯାତ୍ରାର ଶେଷ ଅଙ୍କ ହେଉଛି ନୀଳାଦ୍ରିବିଜେ |ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ଏହି ପର୍ବ ଅନୁଷ୍ଠିତ ହୁଏ |ତିନି ରଥରେ ମଙ୍ଗଳ ଆଳତି, ମଇଲମ, ତଡପ ଲାଗି, ଅବକାଶ ଓ ବେଶ ସମାପନ ହୁଏ |ତା ପରେ ଗୋପାଳ ବଲ୍ଳଭ ନୀତି ସମ୍ପର୍ଣ୍ଣ ହୁଏ | ସକାଳ ଧୂପ, ମଇଲମ, ମହାସ୍ନାନ ଓ ସର୍ବାଙ୍ଗ ନୀତି ପରେ ଠାକୁର ମାନଙ୍କୁ ବେଶ କରାଯାଏ | ତା ପରେ ମଧ୍ୟାହ୍ନ ଧୂପ, ମଇଲମ ଓ ବେଶ, ସନ୍ଧ୍ୟା ଆଳତି, ଓ ସନ୍ଧ୍ୟା ଧୂପ ଆଦି ନୀତି ସମ୍ପର୍ଣ୍ଣ ହୁଏ |

ଅପରାହ୍ନରେ ରଥରେ ଚାର ବନ୍ଧା ସରିବା ପରେ ବଡ଼ ଓଡ଼ିଆ ମଠର ମଠାରଧିଶ ନୀଳାଦ୍ରି ବିଜେ ପାଇଁ ହେବା ପହଣ୍ଡି ପୂର୍ବରୁ ରତ୍ନ ସିଂହାସନର ମାର୍ଜନା କରନ୍ତି |ପ୍ରଥମେ ରାମକୃଷ୍ଣ ଓ ମଦନ ମୋହନ ନୀଳାଦ୍ରି ବିଜେ କରନ୍ତି | ନୀଳାଦ୍ରି ବିଜେ ଗୋଟି ପହଣ୍ଡିରେ ହୁଏ | ବଡ଼ ଠାକୁର ବଳଭଦ୍ର ପହଣ୍ଡିରେ ଯାଇ ରତ୍ନ ସିଂହାସନରେ ବିରାଜମାନ କରିବା ପରେ କାମ୍ପିଲ୍ୟ ବାସିନୀ ମା’ ସୁଭଦ୍ରାଙ୍କର ପହଣ୍ଡିହୁଏ |ମା’ ସୁଭଦ୍ରା ରତ୍ନ ବେଦିରେ ବିଜେ କରିବା ପରେ କୋଟି କୈବଲ୍ୟନାଥ ବଳିୟାରଭୁଜ ମହାବାହୁ ଶ୍ରୀଜଗନ୍ନାଥଙ୍କର ପହଣ୍ଡି ଆରମ୍ଭ ହୁଏ | ପହଣ୍ଡି ଆରମ୍ଭରୁ ଚାରମାଳ ଉପରେ ତିନି ଠାକୁରଙ୍କ ଟାହିଆ ବନ୍ଧା ହୁଏ | ଏହି ଟାହିଆ ଅଶ୍ୱତଥ ପତ୍ର ଆକୃତିରେ ତିଆରି ହୋଇଥାଏ | ଏହାକୁ ରାଘବ ଦାସ ମଠ ତରଫରୁ ପ୍ରଭୁଙ୍କୁ ଅର୍ପଣ କରାଯାଇଥାଏ |

ନୀଳାଦ୍ରି ବିଜେର ବିଶେଷତ୍ୱ ହେଲା ରସଗୋଲା ଭୋଗ |ବର୍ଷର ଏହି ଗୋଟିଏ ଦିନ ଶ୍ରୀମନ୍ଦିରରେ ରସଗୋଲା ଭୋଗ ହୁଏ |ପ୍ରଭୁ କାଳିଆ ସାଆନ୍ତ ଜୟ ବିଜୟ ଦ୍ୱାର ନିକଟରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ତାଙ୍କର ମାନ ଭଞ୍ଜନ କରିଥାନ୍ତି ଓ ତା ପରେ ନୀଳାଦ୍ରି ବିଜେ କରନ୍ତି |ପ୍ରଭୁ ନୀଳାଦ୍ରିଶଙ୍କର ଏହା ଅପୂର୍ବ ମାନବୀୟ ଲୀଳାର ଅନନ୍ୟ ପରିପ୍ରକାଶ |
ଜୟ ଜଗନ୍ନାଥ 🙏🙏

ଶ୍ରୀକାନ୍ତ ଦାଶ, ମହାସଚିବ, ଓଡ଼ିଆ ଜାତୀୟ ସମ୍ମିଳନୀ,
ଦୂରଭାଷ :923830419

Leave a Reply

Your email address will not be published. Required fields are marked *