ଓଡ଼ିଶାର ପ୍ରଥମ ରାଜ୍ୟ ନିର୍ବାଚନ କମିଶନର ଦେବେନ୍ଦ୍ର କୁମାର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ରାଜ୍ୟ ନିର୍ବାଚନ କମିଶନର ତଥା ଅବସରପ୍ରାପ୍ତ ଆଇଏଏସ୍ ଦେବେନ୍ଦ୍ର କୁମାର ମିଶ୍ରଙ୍କର ଆଜି ଦିନ ୧୨ଟା ୩୦ମିନିଟରେ ପରଲୋକ ହୋଇଯାଇଛି । କରୋନାରୁ ସୁସ୍ଥ ହେବା ପରେ ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସେ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା ।
ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିବା ଶ୍ରୀ ମିଶ୍ର ଓଡ଼ିଶାର ପ୍ରଥମ ରାଜ୍ୟ ନିର୍ବାଚନ କମିଶନର ଭାବେ ୧୯୯୪ରୁ ୧୯୯୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ସ୍ୱତନ୍ତ୍ର ସହାୟକ, ଭବାନୀପାଟଣା ଉପଜିଲ୍ଲାପାଳ, ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀ, ଓଡ଼ିଶା ହ୍ୟାଣ୍ଡଲୁମ୍ ନିଗମର ଜେନେରାଲ ମ୍ୟାନେଜର, ମ୍ୟୁନିସପାଲ ପ୍ରଶାସନର ନିର୍ଦ୍ଦେଶକ ଭଳି ପଦବୀରେ ସଫଳତାର ସହ କାର୍ଯ୍ୟ କରିଥିଲେ । ସେ ଭୁବନେଶ୍ୱର ଓ ସୋନପୁରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ସକ୍ରିୟ ଭାବେ ଜଡ଼ିତ ଥିଲେ ।
ଆସନ୍ତାକାଲି ସକାଳେ ଶ୍ରୀମିଶ୍ରଙ୍କ ଶହୀଦନଗରସ୍ଥିତ ବାସଭବନରେ ତାଙ୍କର ମରଶରୀରକୁ ସର୍ବସାଧାରଣଙ୍କ ଶେଷଦର୍ଶନ ପାଇଁ ରଖାଯିବ । ଆସନ୍ତାକାଲି ଫେବୃୟାରୀ ୧୩ତାରିଖରେ ଭୁବନେଶ୍ୱରର ସତ୍ୟନଗର ମଶାଣୀରେ ଦିନ ୧୧ଟା ୩୦ମିନିଟରେ ତାଙ୍କର ଶେଷକୃତ୍ୟ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି ।
ଶ୍ରୀ ମିଶ୍ରଙ୍କ ମୃତ୍ୟୁବେଳକୁ ତାଙ୍କ ପାଖରେ ତାଙ୍କ ପତ୍ନୀ ସୁହାସିନୀ ମିଶ୍ର, ପୁଅ ଅସିତ୍ ମିଶ୍ର ଓ ବୋହୂ ବିଭୂଦତ୍ତ ପଟେଲ ଓ ସାନ ପୁଅ ବ୍ରଜେନ୍ଦ୍ର ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *