ନଭେମ୍ବର ୨୭ ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ | ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ନେଇ ରାଷ୍ଟ୍ରପତି ଭବନର ସୂଚନା |

ସମ୍ବଲପୁର/ଜଗତସିଂହପୁର/ବାରିପଦା: ଚଳିତ ମାସ ୨୦ରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ନେଇ ସରକାରୀ ଭାବେ ଏଯାଏ କୁହାଯାଇନାହିଁ। ମାତ୍ର ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣାଠାରେ ଏକ ଏକଲବ୍ୟ ମଡେଲ୍‌ ଆବାସିକ ବିଦ୍ୟାଳୟର ଉଦ୍‌ଘାଟନ କରିବେ। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ଏହି ସୂଚନା ଦେଇଛନ୍ତି। ଏହା ପରେ ଦୁଇଦିନିଆ ସମ୍ବଲପୁର ଗସ୍ତରେ ଯିବେ ରାଷ୍ଟ୍ରପତି। ୨୧ ତାରିଖ ମଧ୍ୟାହ୍ନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମ୍ବଲପୁର ପହଞ୍ଚି ଅଶୋକ ନିବାସରେ ଅବସ୍ଥାନ କରି‌ବେ। ଅପରାହ୍‌ଣ ୪ଟା ୧୫ରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌)ର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସମାବର୍ତ୍ତନ ଉତ୍ସବରେ କୁଳାଧିପତି ତଥା ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ୨୨ ତାରିଖ ସକାଳ ୯ଟାରେ ଶାସନ କିଲାସମା ପାଖ ପାବନ ସରୋବରରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଦ୍ବାରା ଆୟୋଜିତ ଏକ ସ୍ବତନ୍ତ୍ର ସମାବେଶରେ ସାମିଲ ହେବେ। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୪ହଜାର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉଭୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଏକ ଘଣ୍ଟା ଲେଖାଏଁ ରହିବେ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ଭିସୁଟ୍ କୁଳପତି ପ୍ରଫେସର ବଂଶୀଧର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍‌ପି ମୁକେଶ ଭାମୁ, ଏସ୍‌ଏମ୍‌ସି କମିସନର ବେଦଭୂଷଣଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ନଭେମ୍ବର ୨୭ ତାରିଖରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି। ପାରାଦୀପରେ ସେହି ଦିନ ୧୦ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ ବୋଲି ଗତକାଲି ତାଙ୍କର ବ୍ୟକ୍ତିଗତ ସଚିବ ସମ୍ପଦ ମେହେଟ୍ଟା ଭାରତ ସରକାରଙ୍କ ବନ୍ଦର, ଜାହାଜ ଏବଂ ଜଳମାର୍ଗ ମନ୍ତ୍ରଣାଳୟକୁ ଚିଠି ‌ଯୋଗେ ଅବଗତ କରାଇଛନ୍ତି। ପାରାଦୀପକୁ ରାଷ୍ଟ୍ରପତି ଆସୁଥିବା ସ୍ଥିର ହେବା ପରେ ଜିଲ୍ଲା ପ୍ରଶାସନ ଓ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଜିଠାରୁ ପ୍ରସ୍ତୁତି ଜୋରଦାର କରାଯାଇଛି।

ପାରାଦୀପ ବୋଇତ ବନ୍ଦାଣ ଉତ୍ସବ ସବୁବେଳେ ସ୍ବତନ୍ତ୍ର। ପୂର୍ବରୁ ଅନେକ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଆସିଛନ୍ତି। କିନ୍ତୁ ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବାରୁ ଏହାକୁ ନେଇ ବନ୍ଦର ଅଞ୍ଚଳରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି। ଗତକାଲି ବନ୍ଦର ଅଧ୍ୟକ୍ଷ ପିଏଲ ହରନାଦ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିବା ପରେ ଏହି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସୂଚନା ଅନୁଯାୟୀ ଆସନ୍ତାକାଲି ବନ୍ଦର ଅଧ୍ୟକ୍ଷ ଶ୍ରୀ ହରନାଦ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିବେ। ଅତିଥିମାନଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହେବା ପରେ ଆବଶ୍ୟକୀୟ ସୁରକ୍ଷା ତଥା ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯିବ। ଅନ୍ୟ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ଏ ପର୍ଯ୍ୟନ୍ତ ସୂଚନା ମିଳି ନାହିଁ।

Leave a Reply

Your email address will not be published. Required fields are marked *