ରାଜପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ୨୧ ତୋପ ସଲାମୀ ପରେ ପରେଡ ଆରମ୍ଭ

ନୂଆଦିଲ୍ଲୀ: କରୋନାର ତୃତୀୟ ଲହର ମଧ୍ୟରେ ଆଜି ସମଗ୍ର ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । । ଏହି ଅବସରରେ ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଜାତୀୟ ପତାକା ଉତ୍ତୋଳନ ପରେ ଭବ୍ୟ ପରେଡର ଆୟୋଜନ ହୋଇଛି।
ରାଷ୍ଟ୍ରପତି କୋବିନ୍ଦଙ୍କୁ ୨୧ ତୋପ ସଲାମୀ ଦେବା ପରେ ଆରମ୍ଭ ହେଲା ପରେଡ। ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି କୋବିନ୍ଦ । ପରେଡରେ ପ୍ରଦର୍ଶିତ ହେବ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ।
ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ନ୍ୟାସନାଲ ୱାର ମେମୋରିଆଲ ପହଞ୍ଚି ସେଠାରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ। ଏହାପରେ ୱାର ମେମୋରିଆଲ ଭିଜିଟର ବୁକ୍‌ରେ ଦସ୍ତଖତ କଲେ। ରାଷ୍ଟ୍ରୀୟ ସମର ସ୍ମାରକରେ ୨୬ ହଜାରରୁ ଅଧିକ ସହିଦଙ୍କ ନାମ ଖୋଦିତ ହୋଇଛି। ଏହାପରେ ସେଠାରୁ ରାଜପଥରେ ପହଞ୍ଚି ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ।
ଆଜି ଦିଲ୍ଲୀ ରାଜପଥରୁ ଆଜି ଦୁନିଆ ଦେଖିବ ଭାରତର ଶୌର୍ଯ୍ୟ ଓ ସାମର୍ଥ୍ୟ । ଦୁନିଆ ଦେଖିବ ଭାରତର ସାଂସ୍କୃତିକ ବିବିଧତାର ଝଲକ । ଆଜିର ଦିନକୁ ଅମୃତ ମହୋତ୍ସବ ଭାବେ ପାଳନ କରାଯାଉଛି। ଏହି ଅବସରରେ ରକ୍ଷା ମନ୍ତ୍ରାଳୟ ପକ୍ଷରୁ ପରେଡ ସମୟରେ ନୂଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।
ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ରାଫେଲ, ସୁଖୋଇ, ଜାଗୁଆର, ଏମ୍‌ଆଇ-୧୭, ସାରଙ୍ଗ, ଉପାଚେ ଓ ଡକୋଟା ସମେତ ରାହତ, ମେଘନା, ଏକଲବ୍ୟ, ତ୍ରିଶୁଲ, ତିରଙ୍ଗା, ବିଜୟ ଓ ଅମୃତ ଆଦିପୁରୁଣା ଓ ଆଧୁନିକ ବିମାନ ଫ୍ଲାଇ-ପାଷ୍ଟରେ ନିଜ ଶକ୍ତି ପ୍ରଦର୍ଶନ କରିବେ । ପ୍ରଥମ ଥର ପାଇଁ ପରେଡ ସମୟରେ ରାଜପଥରେ ୭୫ ମିଟ ଲମ୍ବା ଓ ୧୫ ଫୁଟ ଉଚ୍ଚାରେ ୧୦ ସ୍କ୍ରାଲ ପ୍ରଦର୍ଶୀତ କରାଯିବ । ଦୁରଦର୍ଶନର ୫୯ କ୍ୟାମେରା ଦ୍ୱାରା ସାଧାରଣତନ୍ତ୍ର ଦିବସର ସବୁ ଟିକିନିଖି ଖବରକୁ ପରିବେଶଣ କରାଯିବ ।

Leave a Reply

Your email address will not be published. Required fields are marked *