ତାମିଲନାଡୁର ସଲିମ ନାମକ ଯୁବକ ଟଙ୍କିକିଆ କଏନ ଦେଇ ୨.୬ ଲକ୍ଷ ଟଙ୍କାର ବାଇକ କିଣିଲେ ; ଗଣିବାକୁ ଲାଗିଲା ୧୦ ଘଣ୍ଟା

ଚେନ୍ନାଇ : ଶେଷରେ ନିଜ ସ୍ୱପ୍ନର ବାଇକ କିଣି ପାରିଛନ୍ତି ଜଣେ ୨୯ ବର୍ଷୀୟ ଯୁବକ। ଦୀର୍ଘ ୩ ବର୍ଷ ତଳେ ସେ ନିଜ ଟଙ୍କାରେ ବାଇକ କିଣିବାକୁ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ଶନିବାର ପୂରଣ ହୋଇଛି। ତାମିଲନାଡୁର ସାଲେମରେ ରହୁଥିବା ୨୯ ବର୍ଷୀୟ ଯୁବକ ଭି ବୋପାଥି ଗାଡ଼ି ପାଇବା ପରେ ବେଶ ଖୁସି ହୋଇ ଯାଇଛନ୍ତି।

ହେଲେ ବାଇକ ପାଇଁ ସେ ୨.୬ ଲକ୍ଷର କେବଳ ଟଙ୍କିକିଆ କଏନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବାଇକ ଶୋ’ ରୁମର କର୍ମଚାରୀମାନେ ମଧ୍ୟ ଏତେ ପରିମାଣର କଏନକୁ ଗଣିଗଣି ନୟାନ୍ତ ହୋଇଛନ୍ତି। ତଥାପି ସେମାନେ ବୋପାଥିଙ୍କ ସ୍ୱପ୍ନ ପୂରଣ କରିବାରେ କୌଣସି ପ୍ରକାରର ଅବହେଳା କରିନାହାନ୍ତି।

ବୋପାଥି ୩ ବର୍ଷ ତଳେ ବଜାଜ ଡୋମିନାର ୪୦୦ କିଣିବେ ବୋଲି ନିଷ୍ପତ୍ତି ନେଇଥିଲେ। ସେତେବେଳେ ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା ଥିଲା। କିନ୍ତୁ ବୋପାଥିଙ୍କ ପାଖରେ ଏତେ ଟଙ୍କା ସେହି ସମୟରେ ନଥିଲା। ହେଲେ ସେ ନିଜ ସ୍ୱପ୍ନର ବାଇକ କିଣିବା ପାଇଁ ସଞ୍ଚୟ ଆରମ୍ଭ କରିଥିଲେ। ସେ ଟଙ୍କିକିଆ କଏନକୁ ପ୍ରତିଦିନ ସଂଗ୍ରହ କରି ବାଇକ ପାଇଁ ରଖିଥିଲେ। ଦୀର୍ଘ ୩ ବର୍ଷରୁ ଅଧିକ ସମୟ ସେ ଟଙ୍କିକିଆ କଏନ ସଞ୍ଚୟ କରିବା ପରେ ବାଇକ କିଣିବାକୁ ଆଗେଇ ଆସିଥିଲେ।

ଏବେ ଉକ୍ତ ବାଇକର ମୂଲ୍ୟ ୨.୬ ଲକ୍ଷ ହୋଯାଇଛି। ଏହା ଶୁଣି ବୋପାଥି ଗୋଟିଏ ଭ୍ୟାନରେ କେବଳ ଟଙ୍କିକିଆ କଏନ ଧରି ଶୋ’ ରୁମକୁ ଆସିଥିଲେ। ଏହାପରେ ଗୋଟିଏ ଛୋଟ ଛକା ଲାଗିଥିବା ବାଉଲରେ କଏନଗୁଡ଼ିକ ଭର୍ତ୍ତି କରି ଶୋ’ ରୁମର ମ୍ୟାନେଜରଙ୍କ ପାଖରେ ପହଞ୍ଚିଥିଲେ।

ଏତେ ପରିମାଣର କଏନ ଦେଖି ମ୍ୟାନେଜର ଓ ଶୋ’ ରୁମର କର୍ମଚାରୀମାନେ ପୂରା ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ତେବେ ସମସ୍ତେ ପରବର୍ତ୍ତୀ ଅବସ୍ଥାରେ ବୋପାଥିଙ୍କ ପୂରା କାହାଣୀ ଜାଣିବା ପରେ କଏନ ବଦଳରେ ବାଇକ ଦେବାକୁ ରାଜି ହୋଇଥିଲେ। ଏହି କଏନର ଗଣତି କାମରେ ବୋପାଥିଙ୍କ ୪ ଜଣ ବନ୍ଧୁ ଓ ଶୋ’ ରୁମର ୫ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। ଦୀର୍ଘ ୧୦ ଘଣ୍ଟାର ଗଣତି ପରେ ବୋପାଥି ଶନିବାର ରାତି ପ୍ରାୟ ୯ଟା ବେଳେ ନିଜ ସ୍ୱପ୍ନର ବାଇକ କିଣିବାରେ ସକ୍ଷମ ହୋଇଇଛନ୍ତି। ଏବେ ତାଙ୍କ ଖୁସି ବନ୍ଧବାଡ଼ ମାନୁନାହିଁ।

Leave a Reply

Your email address will not be published. Required fields are marked *