ମହାକାଳପଡ଼ା ମା’ ତାରିଣୀ କଲେଜ ପ୍ରିନ୍ସିପାଲ ବିକାଶ ଦାଶ ଓ ସାଲେପୁର ଏସ୍‌ଡିପିଓ ପ୍ରଶାନ୍ତ ମାଝୀଙ୍କୁ ନିଲମ୍ବନ କରିବା ପାଇଁ ସୁପାରିଶ କଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର : ନିର୍ବାଚନୀ ସଭାରେ ଯୋଗଦେଇ ହଟହଟା ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ମା’ ତାରିଣୀ କଲେଜ ପ୍ରିନ୍ସିପାଲ ବିକାଶ ଦାଶ ଓ ସାଲେପୁର ଏସ୍‌ଡିପିଓ ପ୍ରଶାନ୍ତ ମାଝୀ। ଉଭୟଙ୍କ ବିରୋଧରେ ଆସିଛି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ। ଏପରି ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ କମିଶନ ଏହି ଦୁଇ ସରକାରୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମ୍ପୃକ୍ତ ବିଭାଗକୁ କରିଛନ୍ତି ସୁପାରିସ।

ପ୍ରିନ୍ସିପାଲ ବିକାଶ ଦାଶଙ୍କୁ ନିଲମ୍ବନ କରିବା ପାଇଁ ଗଣଶିକ୍ଷା ବିଭାଗକୁ ସୁପାରିସ୍ କରାଯାଇଛି। ଏଥିସହ ତାଙ୍କ ନାଁରେ ଏଫଆଇଆର ରୁଜୁ କରିବା ପାଇଁ ଜିଲ୍ଲାପାଳଙ୍କୁ କହିଛନ୍ତି ନିର୍ବାଚନ କମିଶନ। ସେହିପରି ସାଲେପୁର ଏସ୍‌ଡିପିଓ ପ୍ରଶାନ୍ତ ମାଝୀଙ୍କୁ ନିଲମ୍ବନ କରିବା ପାଇଁ ଡିଜିପିଙ୍କୁ ସୁପାରିସ କରାଯାଇଛି। ଏଥିସହ ତାଙ୍କୁ ପୁଲିସ୍‌ ମୁଖ୍ୟାଳୟରେ ରଖିବାକୁ କୁହାଯାଇଛି।

ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଜାରି କରିଥିବା ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରି ଗତ ରବିବାର ମା’ତାରିଣୀ କଲେଜରେ ଆୟୋଜିତ ହୋଇଥିଲା ଏହି ନିର୍ବାଚନୀ ସଭା। ଏହି ସଭାରେ ୨ଶହରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ଗଡ଼ରୋମିତ ପଞ୍ଚାୟତର ଆଶାୟୀ ସରପଞ୍ଚ ପ୍ରାର୍ଥୀ (ଜଣେ ମହିଳା)ଙ୍କୁ ଜିତାଇବା ପାଇଁ ଏହି ସଭା ଆୟୋଜିତ ହୋଇଥିଲା। ପ୍ରିନ୍ସିପାଲ ବିକାଶ ଦାଶ ଓ ଏସ୍‌ଡିପିଓ ପ୍ରଶାନ୍ତ ମାଝୀ ଉକ୍ତ ପଞ୍ଚାୟତର ବାସିନ୍ଦା ହୋଇଥିବାରୁ ସେମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଆଉ ଗତକାଲି ଏହାର ଭିଡିଓ ଭାଇରାଲ ହେବା ପରେ ଦୁହେଁ ଚର୍ଚ୍ଚାକୁ ଆସିଥିଲେ। ଏହି ଘଟଣା ନେଇ ଗତକାଲି ରାଜ୍ୟ ନିର୍ବାଚନ କମିଶନର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ। ଆଉ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଉଭୟ ସରକାରୀ ଅଧିକାରୀଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ସୁପାରିସ କରିଛନ୍ତି କମିଶନ।

ସୂଚନାଯୋଗ୍ୟ, ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକାରର ସଭାସମିତି, ବୈଠକ, ବାଇକ ର‌୍ୟାଲି ଓ ପଥପ୍ରାନ୍ତ ସଭା ଆଦି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। କେବଳ ସର୍ବାଧିକ ୫ଜଣଙ୍କୁ ଧରି ପ୍ରାର୍ଥୀ ଡୋରଟୁ ଡୋର ପ୍ରଚାର କରିପାରିବେ।

Leave a Reply

Your email address will not be published. Required fields are marked *