ଜାମିନ ପାଇଲେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ; ଆସନ୍ତାକାଲି ସକାଳେ ଜେଲରୁ ବାହାରିବେ

ମୁମ୍ବାଇ: ଦୀର୍ଘ ଦିନର ଆଇନଗତ ଲଢ଼େଇ ଓ ଆରୋପ ପ୍ରତ୍ୟାରୋପ ପରେ ଶେଷରେ ଜାମିନ ପାଇଛନ୍ତି ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ତାଙ୍କୁ ବମ୍ବେ ହାଇକୋର୍ଟଙ୍କ ଜଣିକିଆ ବେଞ୍ଚ ଜାମିନ ପ୍ରଦାନ କରିଛନ୍ତି। ସେ ୨୬ ଦିନ ଧରି ପୁଲିସ୍‌ ହେପାଜତରେ ରହିବା ପରେ ଜାମିନ ପାଇଛନ୍ତି। ଆର୍ଯ୍ୟନଙ୍କ ସହ ତାଙ୍କ ବନ୍ଧୁ ଅର୍ବାଜ ମରଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ମଧ୍ୟ ବମ୍ବେ ହାଇକୋର୍ଟ ଜାମିନ ଦେଇଛନ୍ତି।

ଜାମିନ ମିଳିଥିଲେ ମଧ୍ୟ ସମସ୍ତ ଅଭିଯୁକ୍ତ ଆଜି ଜେଲରେ ରାତି କାଟିବେ। ଆସନ୍ତାକାଲି ସକାଳେ ହାଇକୋର୍ଟଙ୍କ ରାୟର ବିସ୍ତୃତ ନିର୍ଦ୍ଦେଶନାମା ମିଳିବା ପରେ ଅଭିଯୁକ୍ତ ଆର୍ଯ୍ୟନ, ଅର୍ବାଜ ଓ ମୁନମୁନ ଜେଲରୁ ବାହାରିବେ ବୋଲି ଜଣାପଡ଼ିଛି।

ଏନସିବି ପକ୍ଷରୁ ଅତରିକ୍ତ ସଲିସିଟର ଜେନେରାଲ ଅନୀଲ ସିଂହ ଆଜି ଶୁଣାଣି ବେଳେ ଆର୍ଯ୍ୟନଙ୍କ ଜାମିନକୁ ଜୋରଦାର ବିରୋଧ କରିଥିଲେ। କିନ୍ତୁ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।

ଏନସିବି ପକ୍ଷରୁ ଶ୍ରୀ ସିଂହ କହିଥିଲେ, ଅକ୍ଟୋବର ୨ରେ ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟି ହେଉଥିଲା। ସେଦିନ ଗାନ୍ଧି ଜୟନ୍ତୀ ଥିବାରୁ ଅତିକମରେ ଆର୍ଯ୍ୟନ ଓ ତାଙ୍କ ବନ୍ଧୁମାନେ ଏପରି କାମ କରିବାର ନଥିଲା। ସେହିପରି ଆର୍ଯ୍ୟନ ଖାନ ନିୟମିତ ଡ୍ରଗ୍ସ ସେବନ କରୁଥିଲେ ଓ ଡ୍ରଗ୍ସ କିଣୁଥିବାର ପ୍ରମାଣ ରହିଛି। ସେ ଜାମିନରେ ଗଲେ ସବୁ ପ୍ରମାଣକୁ ନଷ୍ଟ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି ବୋଲି ଶ୍ରୀ ସିଂହ ନିଜର ଯୁକ୍ତି ରଖିଥିଲେ।

ଏନିସିବି ଆର୍ଯ୍ୟନଙ୍କୁ କେମିତି ଜାମିନ ନ ମିଳିବ, ସେଥିପାଇଁ ୩ଟି ପ୍ରମୁଖ ଦାବି ରଖିଛି। ପ୍ରଥମତଃ ସହମତି ଭିତ୍ତିରେ କ୍ରୁଜ୍‌ ଭିତରୁ ଯାଇଥିବା ଡ୍ରଗ୍ସ ସହ ଆର୍ଯ୍ୟନ ଖାନ ଧରା ପଡ଼ିଛନ୍ତି। ଦ୍ୱିତୀୟତଃ ଆର୍ଯ୍ୟନ ଖାନ ଡ୍ରଗ୍ସ ପେଡେଲରଙ୍କ ସହ ଯୋଗାଯୋଗରେ ରହିଛନ୍ତି। ତୃତୀୟତଃ ତାଙ୍କ ଗିରଫଦାରୀ ବୈଧ। ସେ ଜାମିନରେ ଗଲେ ପ୍ରମାଣ ନଷ୍ଟ କରିପାରନ୍ତି। ଷଡ଼ଯନ୍ତ୍ରକୁ ପ୍ରମାଣ କରିବା କଷ୍ଟକର। କେବଳ ଷଡ଼ଯନ୍ତ୍ରକାରୀ ଜାଣିଛନ୍ତି ସେମାନେ କେମିତି ଷଡ଼ଯନ୍ତ୍ର କରିଥିଲେ ବୋଲି ଶ୍ରୀ ସିଂହ କହିଛନ୍ତି।

ଶ୍ରୀ ସିଂହ କହିଛନ୍ତି, “ମୁମ୍ବାଇ କ୍ରୁଜ୍‌ରେ କଲରଫୁଲ ପାର୍ଟି ହେଉଥିଲା। ସେମାନେ ଅତିକମରେ ଗାନ୍ଧି ଜୟନ୍ତୀରେ ଏପରି କରିବାର ନଥିଲା। ଡ୍ରଗ୍ସ କାରବାର ସହ ଆର୍ଯ୍ୟନଙ୍କ ଲିଙ୍କ ଥିବା ପୂରା ହ୍ୱାଟସଆପ ଚାଟରୁ ସ୍ପଷ୍ଟ ହୋଇଛି। ଆର୍ଯ୍ୟନ ଡ୍ରଗ୍ସ କ୍ରୁଜ ମଧ୍ୟକୁ ଯାଇଥିବା ଭଲ ଭାବେ ଜାଣିଥିଲେ। ଏହାକୁ ଉଭୟ ଆର୍ଯ୍ୟନ ଓ ଅର୍ବାଜ ସେବନ ପାଇଁ ନେଇଥିଲେ।

ଆମେ(ଏନସିବି) ବର୍ତ୍ତମାନ ସେମାନେ ଡ୍ରଗ୍ସ କେଉଁଠୁ ପାଉଥିଲେ, ତା’ର ମୂଳରେ ପହଞ୍ଚିବାକୁ ଚାହୁଁଛି। ଆମକ ପାଖରେ ହ୍ୱାଟସଆପ ଚାଟ ଓ ୬୫ବି ପ୍ରମାଣପତ୍ର ରହିଛି। ଆମେ ଏସବୁର ତଦନ୍ତ କରିବାକୁ ଚାହୁଁଛୁ।” ଶୁଣାଣି ବେଳେ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ସାମ୍ବ୍ରେଙ୍କୁ ଏନସିବି କହିଥିଲା ଯେ “ଆମ ପାଖରେ ପୂରା ହ୍ୱାଟସଆପ ଚାଟର ରେକର୍ଡ ରହିଛି। ଯାହାକୁ ଆମେ ଶେୟାର କରିପାରିବୁ ନାହିଁ। ଯଦି ଆପଣ କହିବେ, ତା’ହେଲେ କେବଳ କୋର୍ଟଙ୍କୁ ଏହା ଦେଖାଇ ହେବ।”

ଏହାର ଜବାବରେ ଜଷ୍ଟିସ ସାମ୍ବ୍ରେ କହିଥିଲେ, “ଯୁକ୍ତି ଉପସ୍ଥାପନ ଶେଷ ହେବା ପରେ ଆମେ ଏହାକୁ ଦେଖିବୁ। କିନ୍ତୁ କେଉଁ ଆଧାରରେ ଆର୍ଯ୍ୟନ ଖାନଙ୍କ ସମ୍ପର୍କ ଡ୍ରଗ୍ସର ବ୍ୟବସାୟିକ ପରିମାଣ ସହ ରହିଥିଲା ବୋଲି ଆପଣ କହୁଛନ୍ତି?” ଏନସିବି ଓକିଲ ଶ୍ରୀ କହିଥିଲେ, “ଆର୍ଯ୍ୟନ ଖାନ ଡ୍ରଗ୍ସ ପେଡେଲରଙ୍କ ଯୋଗାଯୋଗରେ ରହିଥିବା ଅନେକ ପ୍ରମାଣ ମିଳିଛି। ଅଚିତ ଜଣେ ଡ୍ରଗ୍ସ ପେଡେଲର। ତାଙ୍କ ସହ ଆର୍ଯ୍ୟନଙ୍କ ସମ୍ପର୍କ ରହିଛି। ତାଙ୍କୁ ମୁମ୍ବାଇ କ୍ରୁଜ ଘଟଣାରେ ଗିରଫ କରାଯାଇ ନାହିଁ। ତେଣୁ ତାଙ୍କୁ ଧରିବା ଏବେ ବଡ଼ ଚ୍ୟାଲେଞ୍ଜ। ଏପରି ସ୍ଥିତିରେ ଆର୍ଯ୍ୟନଙ୍କୁ ଜାମିନ ଦେବା ଠିକ୍‌ ହେବନି। ଏନଡିପିଏସ୍‌ରେ ଜାମିନ ଗୋଟିଏ ବ୍ୟତିକ୍ରମ। ଡ୍ରଗ୍ସ ଚାଲାଣ ଗୋଟିଏ ଜଘନ୍ୟ ଅପରାଧ।”

ଦୀର୍ଘ ୩ ଦିନ ହେଲା ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ଚାଲିଛି। ମଙ୍ଗଳବାର ଆର୍ଯ୍ୟନଙ୍କ ଓକିଲ ମୁକୁଲ ରୋହତଗି ଜାମିନ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ସେହିପରି ବୁଧବାର ଘଟଣାର ଅନ୍ୟ ଦୁଇ ଅଭିଯୁକ୍ତ ଅର୍ବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ଓକିଲ ଜାମିନ ପାଇଁ ନିଜର ପକ୍ଷ ରଖିଥିଲେ। ଆଜି ଏନସିବି ପକ୍ଷରୁ ଅନୀଲ ସିଂହ ଜାମିନକୁ ବିରୋଧ କରି ନିଜର ପକ୍ଷ ରଖିଛନ୍ତି। ଦୀର୍ଘ ଦେଢ଼ ଘଣ୍ଟାକାଳ ସେ ନିଜର ପକ୍ଷ ରଖିଥିଲେ।

ସୂଚନାଯୋଗ୍ୟ, ଅକ୍ଟୋବର ୨ରେ ଏନସିବିର ଗୋଟିଏ ଟିମ ମୁମ୍ବାଇ କ୍ରୁଜ ପାର୍ଟିରେ ରେଡ୍‌ କରି ଆର୍ଯ୍ୟନଙ୍କ ସମେତ ୧୧ ଜଣଙ୍କୁ ଅଟକ ରଖିଥିଲା। ଏହାର ପରଦିନ ଅର୍ଥାତ ଅକ୍ଟୋବର ୩ରେ ୧୧ ଜଣଙ୍କ ମଧ୍ୟରୁ ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଥିଲା। ଏହାର ପରବର୍ତ୍ତୀ ଅବସ୍ଥାରେ ଆଉ ୧୨ ଜଣ ଗିରଫ ହୋଇଛନ୍ତି। ଆର୍ଯ୍ୟନ ଡ୍ରଗ୍ସ ବିକ୍ରେତାଙ୍କ ସହ ଯୋଗାଯୋଗ ରଖିଥିବାରୁ ତାଙ୍କୁ ଅକ୍ଟୋବର ୮ରେ ଆର୍ଥର ରୋଡ ଜେଲ୍‌କୁ ପଠାଇ ଦିଆଯାଇଛି। ସେବେଠାରୁ ସେ ଜେଲ୍‌ରେ ହିଁ ରହିଛନ୍ତି।

Leave a Reply

Your email address will not be published. Required fields are marked *