ରାଜଧାନୀରେ ଚାଞ୍ଚଲ୍ୟ: ଆପାର୍ଟମେଣ୍ଟରୁ ମିଳିଲା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଶୈଳଶ୍ରୀ ବିହାରର ଏକ ଆପାର୍ଟମେଣ୍ଟରେ ସେ ଶୁକ୍ରବାର ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଗତକାଲି ଘଟଣାଟି ସାମ୍ନାକୁ ଆସିଛି। ମୃତ ଯୁବତୀଙ୍କ ନାଁ ଶ୍ୱେତା ଉତ୍କଳ କୁମାରୀ। ତାଙ୍କ ଘର ଭଦ୍ରକରେ। ସେ ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି କରୁଥିଲେ।

ଶୁକ୍ରବାର ବିଳମ୍ବିତ ରାତିରେ ଶ୍ୱେତା ରୁମ୍‌ ଭିତରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଗତକାଲି ଘର ଲୋକେ ତାଙ୍କୁ ଫୋନ୍ କରିଥିଲେ। କିନ୍ତୁ ତାଙ୍କ ମୋବାଇଲ ସୁଇଚ ଅଫ୍ ଥିଲା। ଶ୍ୱେତାଙ୍କ ସହିତ ଯୋଗାଯୋଗ କରିବାରେ ବିଫଳ ହେବା ପରେ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌କୁ ଖବର ଦେଇଥିଲେ। ଏହା ପରେ ପୁଲିସ ଶ୍ୱେତା ରହୁଥିବା ଆପାର୍ଟମେଣ୍ଟକୁ ଯାଇଥିଲା।

ଶ୍ୱେତାଙ୍କ ଘର ଭିତର ପଟୁ ବନ୍ଦ ଥିଲା। ପୁଲିସ୍ କବାଟ ବାଡ଼େଇବାରୁ ଭିତରୁ କିଛି ପ୍ରତିକ୍ରିୟା ଆସି ନଥିଲା। ଏହା ପରେ ପୁଲିସ୍ କବାଟ ଭାଙ୍ଗି ଭିତରକୁ ପଶିଥିଲା। ଶ୍ୱେତା ବେକରେ ଓଢ଼ଣୀ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିବା ପୁଲିସ୍ ଦେଖିବାକୁ ପାଇଥିଲା। ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।

ଶ୍ୱେତାଙ୍କ ପରିବାର ଲୋକେ ଏହି ଘଟଣା ନେଇ ପୁଲିସ୍‌ରେ ଲିଖିତ ଅଭିଯୋଗ କରିଥିବା ବେଳେ ତଦନ୍ତ ଜାରି ରହିଛି। ପୁଲିସ୍ ଶ୍ୱେତାଙ୍କ ମୋବାଇଲ୍ ଫୋନ୍ ଓ ଡାଏରୀ ଜବତ କରିଛି। ଶ୍ୱେତା ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ସହିତ ଆଉ କିଛି ଘଟିଛି? ଯଦି ସେ ଆତ୍ମହତ୍ୟା କରିଛନ୍ତି, ତା’ହେଲେ କାହିଁକି? ଏସବୁ ଦିଗକୁ ନେଇ ପୁଲିସ୍ ତା’ର ତଦନ୍ତ ଚଲାଇଛି।

Leave a Reply

Your email address will not be published. Required fields are marked *