ପରୋପକାରୀ ଆଧ୍ୟାତ୍ମିକବାଦୀ ବ୍ୟକ୍ତିତ୍ୱ କୃଷ୍ଣଚନ୍ଦ୍ର ରଥଙ୍କ ବିୟୋଗ
ଭୁବନେଶ୍ୱର : ଅବସର ପରବର୍ତ୍ତୀ ଜୀବନକୁ ଅସହାୟଙ୍କ ସେବାରେ ସମର୍ପି ଦେଇଥିବା ଜଣେ ଅମାୟିକ ବ୍ୟକ୍ତିତ୍ୱ କୃଷ୍ଣଚନ୍ଦ୍ର ରଥଙ୍କ ପରଲୋକ ହୋଇଯାଇଛି | ଗତ ୨୮ ତାରିଖ ବୁଧବାର ଦିନ ଜୟଦେବ ବିହାର ବାସିନ୍ଦା ଶ୍ରୀଯୁକ୍ତ ରଥ ଙ୍କର ହୃତଘାତ ଜନିତ ମୃତ୍ୟୁ ଘଟିଛି | ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା | ଶେଷ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ନିରୁପମା ରଥଙ୍କ ସମେତ ଦୁଇ ପୁଅ, ବୋହୁ, ଝିଅ ଜ୍ୱାଇଁ ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ | ୧୦ ଭାଇ ଭଉଣୀଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ବଡ଼ ଥିବା ହେତୁ ପିଲାଟି ବେଳୁ ଦାୟିତ୍ୱବାନ ହେବା ସହ ସାମାଜିକ କାର୍ଯ୍ୟକୁ ବେଶ ସୁଚାରୁରୂପେ ତୁଲାଇ ଆସୁଥିଲେ | ବହୁ ମେଳାପୀ ଓ ପରୋପକାରୀ ପ୍ରକୃତିର ଥିବା କୃଷ୍ଣଚନ୍ଦ୍ର ଅସହାୟଙ୍କ ନିମନ୍ତେ ଉତ୍ସର୍ଗୀକୃତ ଥିଲେ | ଚାକିରୀ କାଳରେ ଥିବା ବେଳେ ନିଜ ନିଷ୍ଠା ଓ ଦକ୍ଷତାର ପରିଚୟ ଦେଇ ସହକର୍ମୀ ଏବଂ ଉପରିସ୍ଥ ଅଧିକାରୀମାନଙ୍କ ବେଶ ପ୍ରିୟଭାଜନ ହୋଇପାରିଥିଲେ |
ଅବସର ପରେ ସାଧାରଣ ଲୋକମାନଙ୍କ ଅଭାବ ଅସୁବିଧା ଦେଖି ସେ ସ୍ଥିର ହୋଇ ରହି ପାରୁନଥିଲେ | ଆଧ୍ୟାତ୍ମିକତା ଓ ସମାଜସେବା ତାଙ୍କ ଜୀବନର ପ୍ରମୁଖ ଅଙ୍ଗ ପାଲଟି ଯାଇଥିଲା | ସାଧାରଣରେ ଜଣେ ମେଳାପୀ ସ୍ୱଭାବର ବ୍ୟକ୍ତି ହୋଇ ଥିବାରୁ ବୁଧବାର ଦିନ ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ତାଙ୍କ ବାସଭବନ ଠାରେ ବହୁ ପରିଚିତ ଲୋକଙ୍କ ସହ ସାଧାରଣ ଲୋକଙ୍କର ମଧ୍ୟ ଭିଡ଼ ଜମିବାରେ ଲାଗିଥିଲା | ପରେ ତାଙ୍କ ମରଶରୀରକୁ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା | ତାଙ୍କର ବଡ ପୁଅ ସତ୍ୟ ଶେଖର ରଥ ମୁଖାଗ୍ନି ଦେଇଥିବା ବେଳେ ମଝିଆ ପୁଅ ଶିବ ଶେଖର ରଥ, ସାନ ଝିଅ ତପସ୍ୱିନୀ ପଣ୍ଡା, ଜ୍ୱାଇଁ ଜୀତେନ୍ଦ୍ର କୁମାର ପଣ୍ଡା, ନାତି ସୋମୁ, ପପୁନା, ସମ୍ବିତ ଓ ନାତୁଣୀ ସାଗରୀକା ରଥ ଉପସ୍ଥିତ ଥିଲେ | ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ରଥଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କ ଅବର୍ତ୍ତମାନ ଏକ ଅପୂରଣୀୟ କ୍ଷତିର ଅନୁଭବ ଦେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି |