ମଦର ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ଜଗତସିଂହପୁର : ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା, ପରିବେଶ ଆଉ ପୃଥିବୀକୁ ସୁରକ୍ଷିତ ରଖିବା | ବିଶେଷ କରି ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରିବା ପରି ସ୍ଲୋଗାନ ସହ ସାମାଜିକ ଅନୁଷ୍ଠାନ ମଦର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି | ସ୍ଥାନୀୟ ତିର୍ତ୍ତୋଲ ଠାରେ ଆୟୋଜିତ ଏହି ଜନସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ, କଲେଜ ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ | ମଦର ଅନୁଷ୍ଠାନର କର୍ମକର୍ତ୍ତା ନିଶାକର ଦାସଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ବ୍ୟବହାର ନିଷେଧ ଉପରେ ପ୍ଲାକାର୍ଡ଼ ପ୍ରଦର୍ଶନ ପୂର୍ବକ ପଥଚାରୀ ମାନଙ୍କୁ ସଚେତନ କରାଯାଇଥିଲା | ବିଶେଷ କରି ସ୍ଥାନୀୟ ଅଞ୍ଚଳର ଶିକ୍ଷାନୁଷ୍ଠାନ ଯୁନୋପୋଷ କଲେଜର ଅନେକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |
ଏହି ଅବସରରେ ଶ୍ରୀ ଦାସ କହିଥିଲେ କି, ପ୍ଲାଷ୍ଟିକ ପ୍ରଦୂଷଣ ମାନବ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି | ଯଦି ପ୍ଲାଷ୍ଟିକ୍ ବ୍ୟବହାରକୁ ଆମେ କମ୍ ନ କରିବା ତେବେ ଆଉ କିଛି ବର୍ଷ ମଧ୍ୟରେ ମଣିଷ ମାନଙ୍କୁ ହେଉଥିବା ରୋଗର ସଂଖ୍ୟା ଦ୍ବିଗୁଣିତ ହୋଇଯିବ। ଯଦି ୨୧୦୦ ସୁଦ୍ଧା ବିଶ୍ବରେ ପ୍ଲାଷ୍ଟିକର ଉତ୍ପାଦନ ଅଧିକା ହୁଏ ତେବେ ବିଶ୍ବର ଇକୋସିଷ୍ଟମ ଓ ଆମ ସ୍ବାସ୍ଥ୍ୟକୁ ଅଧିକା ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଏହି ସମସ୍ୟାକୁ ଏଡ଼ାଇବା ପାଇଁ ଆମ ଅନୁଷ୍ଠାନ ମଦର ପକ୍ଷରୁ ବର୍ଷ ତମାମ ବିଭିନ୍ନ ସ୍ଥାନରେ ସମାଜର ଯୁବବର୍ଗଙ୍କୁ ନେଇ ଏଭଳି ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଅଛି | ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଯୁବ ବର୍ଗ ଜନସାଧାରଣ ଯୋଡି ହେବ ପାଇଁ ସେ ଆହ୍ୱାନ ଦେଇଛନ୍ତି |