ବଡ଼ଗଡ଼ ଥାନା ଅଧୀନ କଳିଙ୍ଗ ବସ୍ତିରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି , ମା’କୁ ମାରି ପୋଡ଼ି ଦେଲା ପୁଅ

ଭୁବନେଶ୍ବର: ରାଜଧାନୀରେ ବର୍ଷର ପ୍ରଥମ ମାସରେ ଘଟିଛି ତୃତୀୟ ହତ୍ୟାକାଣ୍ଡ। ମଙ୍ଗଳବାର ସନ୍ଧ୍ୟାରେ ଜନ୍ମଦାତ୍ରୀ ମା’କୁ ପିଟି ମାରି ଦେବା ପରେ ପୋଡ଼ି ଦେବାକୁ ଉଦ୍ୟମ କରିଛି ପୁଅ। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଲୋକଙ୍କଠାରୁ ଖବର ପାଇ ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ଦରପୋଡ଼ା ମୃତଦେହ ଜବତ କରିଛି। ମୃତଦେହ ବ୍ୟବଚ୍ଛେଦ ଲାଗି ରାଜଧାନୀ ଚିକିତ୍ସାଳୟକୁ ପଠାଯାଇଥିବାବେଳେ ହତ୍ୟାକାରୀ ପୁଅ ପ୍ରଶାନ୍ତ ଜେନାକୁ ପୁଲିସ ଗିରଫ କରିଛି। ନିଶା ସେବନକୁ ବିରୋଧ କରୁଥିବା ମା’କୁ ପ୍ରଶାନ୍ତ ହତ୍ୟା କରିଛି। ହେଲେ ପୁଲିସ ପଚାରିବା ବେଳେ କହୁଛି ଖାଇବାକୁ ଦେଲାନାହିଁ ବୋଲି ମାରି ଦେଲି।ବଡ଼ଗଡ଼ ଥାନା ଅଧୀନ କଳିଙ୍ଗ ବସ୍ତିରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି। ବଡ଼ଗଡ଼ ଗାଁର ମଶାଣିକୁ ଲାଗି ରହିଥିବା ଏହି ବସ୍ତିରେ ପ୍ରଶାନ୍ତ ବାପାମା’ ଓ ଭାଇ ଭଉଣୀ ସହିତ ରହୁଥିଲା। ସେ ଜଣେ ନିଶାଖୋର ଯୁବକ। ବସ୍ତିରେ ପ୍ରଶାନ୍ତ ଘରକୁ ଲାଗି ଏକ ଦେଶୀ ମଦ ଭାଟି ରହିଛି। ସେ ଉକ୍ତ ମଦ ଭାଟି କଡ଼ରେ ଏକ ଜରିପାଲ ଘର କରିଛି। ସେଠାରେ ଦିନରାତି ସବୁ ସମୟରେ ମଦର ଆସର ଲାଗେ। ଦୀର୍ଘଦିନ ହେବ ନିଶାସେବନ କରୁଥିବାରୁ ପ୍ରଶାନ୍ତର ମାନସିକ ଅବସ୍ଥା ଭଲ ନାହିଁ।ତ ଦୁଇ ଦିନ ହେବ ତାକୁ ମା’ ନିଶାସେବନ କରିବାକୁ ମନା କରୁଥିଲା। ମଙ୍ଗଳବାର ସନ୍ଧ୍ୟାରେ ପ୍ରଶାନ୍ତ ଘରକୁ ଫେରିବା ପରେ ମା’କୁ ଖାଇବାକୁ ମାଗିଥିଲା। ମା’ ତାକୁ ମନା କରିଦେଇଥିଲା। ହେଲେ ଏଥିରେ ଉତ୍‌କ୍ଷିପ୍ତ ହୋଇ ମା’କୁ ଧକ୍କା ମାରିଥିଲା। ମା’ ତଳେ ପଡ଼ି ହସି ଦେଇଥିଲା। ହେଲେ ସେ ମା’ର ମନ କଥା ବୁଝି ପାରି ନ ଥିଲା। ରାଗରେ ହିତାହିତ ଜ୍ଞାନ ଭୁଲି ଯାଇ ଘରେ ପଡ଼ିଥିବା କେବୁଲ ଟିଭି ଆଣ୍ଟିନାରେ ମା’ ମୁଣ୍ଡକୁ ଏକାଧିକ ବାର ପିଟି ଦେଇଥିଲା। ମୁଣ୍ଡରୁ ରକ୍ତର ଧାର ଛୁଟିଥିଲା। ମା’ ଖଟ ଉପରକୁ ଯାଇ ଅଚେତ ହୋଇ ପଡ଼ିଯାଇଥିଲା। ଏହି ସମୟରେ ଘରେ କେହି ନ ଥିଲେ। ଏହାର ସୁଯୋଗ ନେଇ ମା’ ଉପରେ କମ୍ବଳ ଘୋଡ଼ାଇ ଦେଇ ନିଆଁ ଲଗାଇ ଦେଇଥିଲା। ନିଜେ ଘର ବାହାରେ ଜଗି ରହିଥିଲା। ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ପଡ଼ୋଶୀ ଭିତରକୁ ଯାଇ ନିଆଁ ଲିଭାଇବା ସହ ତତ୍‌କ୍ଷଣାତ୍‌ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ପ୍ରଶାନ୍ତର ମା’ଙ୍କୁ ରାଜଧାନୀ ଚିକିତ୍ସାଳୟକୁ ନେଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଶାନ୍ତକୁ ପୁଲିସ ଗିରଫ କରିଛି।

Leave a Reply

Your email address will not be published. Required fields are marked *