ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ : ପୁରୁଷ ବନ୍ଧୁ ସହ ଲିଭ୍‌-ଇନ୍‌ରେ ରହୁଥିଲେ

ଭୁବନେଶ୍ୱର : ଝିଅ ପ୍ରାୟ ଦେଢ଼ ମାସ ହେବ ନିଜ ପୁରୁଷ ବନ୍ଧୁ ସହ ଲିଭ୍‌-ଇନ୍‌ରେ ରହୁଥିଲା। ସ୍ୱାମୀସ୍ତ୍ରୀ ପରିଚୟ ଦେଇ ଉଭୟ ରାଜଧାନୀରେ ଭଡ଼ାଘରେ ରହୁଥିଲେ। ହାତରେ ଶଙ୍ଖାଚୁଡ଼ି, ମଥାରେ ସିନ୍ଦୂର ପିନ୍ଧୁଥିଲା। ସାବିତ୍ରୀ ବ୍ରତ ବି କରିଥିଲା। ହେଲେ ଝିଅର ବିବାହ ବିଷୟରେ କିଛି ଖବର ନ ଥିବା ସିଧାସିଧା କହିଛନ୍ତି ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ବାପା।

ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଏବେ ତାଙ୍କ ବାପାଙ୍କ ବୟାନ ପୂରା ଘଟଣାକୁ ଅଧିକ ଗୋଳମାଳିଆ କରୁଛି। ଏହି ଘଟଣାରେ ସନ୍ଦେହଘେର ଭିତରେ ଅଛନ୍ତି ରଶ୍ମିରେଖାଙ୍କ ତଥାକଥିତ ବୟଫ୍ରେଣ୍ଡ ସନ୍ତୋଷ ପାତ୍ର। ଝିଅ ସନ୍ତୋଷ ପାତ୍ରକୁ ନିଜ ସ୍ୱାମୀ ବୋଲି ପରିଚୟ ଦେଇ ରାଜଧାନୀରେ ରହୁଥିବା ବେଳେ ସିଏ କିଏ ଚିହ୍ନି ନ ଥିବା କହିଛନ୍ତି ରଶ୍ମିରେଖାଙ୍କ ବାପା। ହେଲେ ଝିଅ ଯଦି ବିବାହ କରିଥିଲା, ତା’ ମୃତ୍ୟୁ ପାଇଁ ସନ୍ତୋଷ ପାତ୍ର ହିଁ ଦାୟୀ, ସିଏ ହିଁ ହତ୍ୟାକାରୀ ବୋଲି କହିଛନ୍ତି ରଶ୍ମିରେଖାଙ୍କ ବାପା।

ରଶ୍ମିରେଖାଙ୍କ ବାପା କହିଛନ୍ତି, ମୋ ଝିଅ ୪ ବର୍ଷ ହେଲା ଭୁବନେଶ୍ୱରରେ ରହୁଥିଲା। ସିରିଏଲରେ କାମ କରୁଥିଲା। ସିରିଏଲ ସରିଯିବା ପରେ ଏକ ଫାଇନାନ୍ସ କମ୍ପାନୀରେ ୨ ମାସ ହେଲା କାମ କରୁଥିଲା। ନୟାପଲ୍ଲୀରେ ଘର ନେଇ ରହୁଥିଲା। ଉକ୍ତ କମ୍ପାନୀରେ ସନ୍ତୋଷ କାମ କରୁଥିବାରୁ ଝିଅର ତା’ ସହ ସେଠାରେ ପରିଚୟ ହୋଇଥିଲା। ୧୧ ତାରିଖରେ ସନ୍ତୋଷ ଆମକୁ ଫୋନ୍‌ କରି କହିଲା, ରଶ୍ମି ସହ ଝଗଡ଼ା ହୋଇଛି, ତୁମେ ଆସ। ସେଠାକୁ ଯିବା ପରେ ଝିଅର ଆଖି ମାଡ଼ ହୋଇଥିବା ଦେଖିଲି। ଏହା ପରେ ରଜ ପୂର୍ବରୁ ଝିଅ ଘରକୁ ଆସି ରଜ ଦିନ ଭୁବନେଶ୍ୱର ପଳାଇଥିଲା। ଉକ୍ତ ସମୟରେ ସେ ଶଙ୍ଖା, ସିନ୍ଦୂର ପିନ୍ଧି ନ ଥିବା ବେଳେ ବିବାହ କଥା ବି କିଛି କହି ନ ଥିଲା।

ଏହା ପରେ ଝିଅ ନିୟମିତ ଭାବେ ଫୋନ୍‌ କରି ପରିବାର ଲୋକଙ୍କ ସହ କଥା ହେଉଥିଲା। ଶୁକ୍ରବାର ରାତିରେ ମଧ୍ୟ ମା’ ସହ କଥା ହୋଇଥିଲା। ଶନିବାର ଫୋନ୍‌ କରିବାରୁ ଫୋନ୍‌ ଉଠାଇଲା ନାହିଁ। ସନ୍ଧ୍ୟାରେ ସନ୍ତୋଷ ଫୋନ୍ କରି କହିଥିଲା, ଅଙ୍କଲ ଆପଣଙ୍କ ଝିଅ ଆଉ ନାହିଁ, ସେ ଆତ୍ମହତ୍ୟା କରିଛି। ଏଥିସହ ସେ କହିଛନ୍ତି, ଯଦି ଉଭୟ ବାହା ହୋଇଥିଲେ, ତେବେ ସନ୍ତୋଷ ହିଁ ହତ୍ୟାକାରୀ। ତାକୁ ଉଚିତ ଦଣ୍ଡ ଦିଆଯାଉ।

ସନ୍ତୋଷ କିପରି ଏ ସମ୍ପର୍କରେ ଜାଣିଲେ ବୋଲି ରଶ୍ମିରେଖାଙ୍କ ବାପାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସନ୍ତୋଷର କହିବା ଅନୁସାରେ ସେ ବାରମ୍ବାର ଫୋନ୍‌ କରିଥିଲେ ବି ଝିଅ ଫୋନ୍‌ ଉଠାଇ ନ ଥିଲା। ଏହାପରେ ସେ ନିଜର ଜଣେ ସାଙ୍ଗଙ୍କୁ ଭଡ଼ା ଘରକୁ ପଠାଇଥିଲା। ସେଠାରେ ଭିତରପଟୁ କବାଟ ବନ୍ଦ ଥିବା ବେଳେ ଝିଅ ମୃତଦେହ ଝୁଲୁଥିବା ଦେଖି ତା’ ସାଙ୍ଗ ଫୋନ୍‌ କରିଥିଲା। ଏନେଇ ସନ୍ତୋଷ ଆମକୁ ଜଣାଇଥିଲା ବୋଲି କହିଛନ୍ତି ରଶ୍ମୀରେଖାଙ୍କ ବାପା।

ଏନେଇ ରଶ୍ମିରେଖାଙ୍କ ମା’ କହିଛନ୍ତି, ସନ୍ତୋଷ ମୋ ଝିଅକୁ ଜବରଦସ୍ତି ଶଙ୍ଖାଚୁଡ଼ି ପିନ୍ଧାଇଛି। ଜବରଦସ୍ତି ଡାଏରୀରେ ଲେଖାଇଛି। ଚୁଟି ଧରି ତା’ ମୁଣ୍ଡକୁ କାନ୍ଥରେ ପିଟିଛି। ମୋ ଝିଅ ମୁଣ୍ଡ ଫୁଲିଛି। ତା’ ଆଖି, ନାକରୁ ରକ୍ତ ବାହାରିଛି। ଉଭୟ ଫାଇନାନ୍ସ ଅଫିସରେ ଚାକିରି କରିଥିଲେ। ସେଠାରେ ଉଭୟଙ୍କ ପରିଚୟ ହୋଇଥିଲା। ଏହା ପରେ ସେ ମୋ ଝିଅକୁ ଫସାଇଥିବା କହିଛନ୍ତି ତାଙ୍କ ମା’।

ଗତକାଲି ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହିରେ ଥିବା ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ରଶ୍ମିରେଖାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ବି ମିଳିଥିଲା। ଉକ୍ତ ସୁଇସାଇଡ ନୋଟରେ ନିଜ ମୃତ୍ୟୁ ପାଇଁ କାହାକୁ ଦାୟୀ କରିନାହାନ୍ତି ରଶ୍ମିରେଖା। ଏହା ପଛରେ ସନ୍ତୋଷଙ୍କର କିଛି ହାତ ନ ଥିବା ବେଳେ ତାଙ୍କୁ ଗିରଫ ନ କରିବାକୁ ସ୍ପଷ୍ଟ ଭାବେ ଲେଖିଛନ୍ତି ରଶ୍ମିରେଖା। ହେଲେ ତାହା ଝିଅର ହାତଲେଖା ବୋଲି ବିଶ୍ୱାସ କରି ପାରୁ ନାହାନ୍ତି ରଶ୍ମିରେଖାଙ୍କ ବାପା।

ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ରଶ୍ମିରେଖା ଓ ସନ୍ତୋଷ ପାତ୍ର ନୟାପଲ୍ଲୀ ଗଡ଼ ସାହିରେ ଏକ ଭଡ଼ା ଘରେ ପ୍ରାୟ ଦେଢ ମାସ ହେବ ସ୍ୱାମୀସ୍ତ୍ରୀ ପରି ରହୁଥିଲେ। ଉକ୍ତ ଘରକୁ ପ୍ରଥମେ ସନ୍ତୋଷ ଭଡ଼ା ନେଇଥିବା ବେଳେ ପ୍ରାୟ ୮ ଦିନ ପରେ ରଶ୍ମିରେଖା ସେଠାରେ ପହଞ୍ଚି ରହିବା ଆରମ୍ଭ କଲେ। ଉଭୟ ପତିପତ୍ନୀ ବୋଲି ଘର ମାଲିକଙ୍କୁ କହିଥିଲେ। ରଶ୍ମୀରେଖା ବିବାହିତ ମହିଳା ପରି ରହୁଥିବା ବେଳେ ସାବିତ୍ରୀ ବ୍ରତ ବି ପାଳନ କରିଥିଲେ। ପୁଲିସ୍‌ ଏବେ ସନ୍ତୋଷ ପାତ୍ରଙ୍କୁ ଖୋଜୁଥିବା ବେଳେ ସେ ପ୍ରାୟ ୪ ଦିନ ହେବ କାମରେ ବଲାଙ୍ଗିର ଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *