ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ସଂକ୍ରାନ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ

ଭୁବନେଶ୍ୱର : ଶନିବାର ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ସଂକ୍ରାନ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଛି।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶନିବାର ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ଆଲୋଚନାରେ ଉତ୍ତର ରଖି କହିଥିଲେ ଯେ ଚଳିତମାସ ୨ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହୋଇଥିଲା । ଗତ ୧୪ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ବିସ୍ତୃତ ଆଲୋଚନା ହୋଇସାରିଛି । ଉତ୍ତମ ଆର୍ଥିକ ଓ ସଠିକ୍ ବିତ୍ତୀୟ ପରିଚାଳନା ହେଉଛି ସରକାରଙ୍କ ପରିଚୟ । ୨୦୨୨-୨୩ ଆର୍ଥିକ ବର୍ଷର ମୋଟ୍ ରାଜସ୍ୱ ପ୍ରାପ୍ତି ୧ଲକ୍ଷ ୬୩ହଜାର ୯୬୭କୋଟି ଟଙ୍କା ଓ ରାଜସ୍ୱ ବ୍ୟୟ ୧ଲକ୍ଷ ୪୫ହଜାର ୭୨୭କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ରାଜସ୍ୱ ବଳକା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ(ଜିଏସଡିପି)ର ୨.୫ ପ୍ରତିଶତ ହେବ ଓ ବିତ୍ତୀୟ ନିଅଂଟ ୩ ପ୍ରତିଶତରେ ସୀମିତ ରହିବ । ବର୍ଷ ଶେଷରେ ଋଣଭାର ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ(ଜିଏସଡିପି)ର ୧୫.୬ ପ୍ରତିଶତ ହେବାର ଆକଳନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।

ରାଜ୍ୟରେ ଋଣବୋଝ ବୃଦ୍ଧିକୁ ନେଇ ବିଧାୟକମାନେ ଚିନ୍ତା ବ୍ୟକ୍ତ କରିବା ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ପୂଜାରୀ କହିଛନ୍ତି ଯେ, ରାଜ୍ୟ ଅର୍ଥନୀତିକ ଅବସ୍ଥାରେ ଅଭିବୃଦ୍ଧି ହେବା ସହ ରାଜ୍ୟର ଋଣଧାରଣ କ୍ଷମତା ଓ ମୁଣ୍ଡପିଛା ଋଣରେ ବୃଦ୍ଧି ପାଇବା ସ୍ୱାଭାବିକ । କିନ୍ତୁ ମୁଣ୍ଡ ପିଛା ଆୟର ଅଭିବୃଦ୍ଧି ଯଦି ମୁଣ୍ଡପିଛା ଋଣର ଅଭିବୃଦ୍ଧି ପଠାରୁ ଅଧିକ ହୁଏ ତେବେ ଋଣର ପୋଷଣୀୟତା ରହିଥାଏ । ତେଣୁ ରାଜ୍ୟର ଋଣ ହାର ପୋଷଣୀୟତା ବାବଦକୁ ସନ୍ଦେହ ବ୍ୟକ୍ତ କରାନଯାଉ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *