ସଙ୍ଗୀତରେ ଆବଶ୍ୟକ ମୌଳିକତା ଯାହା ଶ୍ରୋତାଙ୍କ ହୃଦୟକୁ କରିବ ମଧୁର ଆକର୍ଷଣ – ଅନିନ୍ଦିତା ଦାସ
ସେ ଆଜି ଗର୍ବିତା ଓଡିଶା ମାଟିର ପରମ୍ପରା,ସାହିତ୍ୟ ଏବଂ ସଂସ୍କୃତିରୁ ପାଇଥିବା ଆତିଥ୍ୟତା ପାଇଁ l ସେ ବଙ୍ଗାଳୀ ପରିବାରର କନ୍ୟା ସତ କିନ୍ତୁ ଓଡ଼ିଆ ଘରର ରୀତିନୀତି,ସାଧବ ପୁଅର ବୋଇତ ଗାଥା,କୁନ୍ତଳା କୁମାରୀଙ୍କ କୃତିତ୍ୱ ଏବଂ ସର୍ବୋପରି ଆମର ସଂଗୀତ ପରମ୍ପରା ତାଙ୍କୁ କରିଦେଲା ଜଣେ ଖାଣ୍ଟି ଓଡ଼ିଆଣୀ l ତେବେ ସେହି ମହିୟସୀ ବ୍ୟକ୍ତିତ୍ୱ ହେଉଛନ୍ତି କଣ୍ଠଶିଳ୍ପୀ ଶ୍ରୀମତୀ ଅନିନ୍ଦିତା ଦାସ l ତାରକସି ସହର କଟକରେ ଜନ୍ମିତା ଅନିନ୍ଦିତା ନୃତତ୍ତ୍ୱରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଅନିନ୍ଦିତା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଗବେଷଣା ପ୍ରକଳ୍ପ ଉପରେ କାର୍ଯ୍ୟ କରୁଥିବା ବେଳେ ଓଡ଼ିଆ ସାହିତ୍ୟର ବିଶିଷ୍ଟ ସ୍ରଷ୍ଟା ଫକୀରମୋହନ,କୁନ୍ତଳା କୁମାରୀ, ମଧୁସୂଦନଙ୍କ ଗୀତିକାବ୍ୟକୁ ନିଜର ସ୍ୱର ଦେଇ ଏହାକୁ ଶତଧନ୍ୟ କରିଥାନ୍ତି ଏହି କଣ୍ଠଶିଳ୍ପୀ ଜଣଙ୍କ l
କେବଳ ସେତିକି ନୁହେଁ ମା ତାଙ୍କ ପାଇଁ ଥିଲେ ସଂଗୀତ ଦୁନିଆର ପ୍ରଥମ ଗୁରୁ ଏବଂ ପ୍ରେରଣା l ବଡ଼ ମାଉସୀଙ୍କ ହାତ ଧରି ହାର୍ମୋନିୟମର ତାଳେ ତାଳେ ସେ ଶିଖୁଥିଲେ ଶ୍ୟାମା ସଂଗୀତ,ରବୀନ୍ଦ୍ର ସଂଗୀତ ଇତ୍ୟାଦି ଅନେକ l ଏହାପରେ ସଂଗୀତ ପାଇଁ ସେ କଳା ବିକାଶ କେନ୍ଦ୍ରରେ ବିଧିବଦ୍ଧ ଭାବେ ଶିକ୍ଷା ଗ୍ରହଣ କଲେ l ପିଲାଟି ଦିନରୁ ନାଟକକୁ ପସନ୍ଦ କରୁଥିଲେ ଶ୍ରୀମତୀ ଦାସ l ଗୀତକୁ ଡ୍ରାମାରେ ସଂଗୀତର ରୂପ ଦେଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରାଉଥିଲେ ଯାହାର ଫଳ ସ୍ୱରୂପ ମାତ୍ର ଦଶ ବର୍ଷ ବୟସରେ ବିଶିଷ୍ଟ ସଙ୍ଗୀତଜ୍ଞ ତଥା ନିର୍ଦେଶକ ବାଳକୃଷ୍ଣ ଦାସ ଏବଂ ବାବୁଲାଲ ଯୋଶୀଙ୍କ ଠାରୁ ପ୍ରଥମ ସୁଯୋଗ ପାଇଥିଲେ “ମଥୁରା ବିଜୟ”ର ଏକ ସଂଗୀତ ‘ଅକଲ ମକଲ ଟକଲ ଟିଆଁ” ମାଧ୍ୟମରେ l ଯାହା ତାଙ୍କୁ ଦେଇଥିଲା ଏକ ସ୍ୱତନ୍ତ୍ର ପରିଚୟ l ପରବର୍ତ୍ତୀ ସମୟରେ ଯେତେବେଳେ ଅନିନ୍ଦିତା ଭୁବନେଶ୍ୱର ଆସନ୍ତି ଗୁରୁ ମୋହନ ଏବଂ ରାଓ ସାର ତାଙ୍କର ଶାସ୍ତ୍ରୀୟ ସଂଗୀତକୁ ଆୟତ୍ତ କରିଥିଲେ l
ଅନିନ୍ଦିତାଙ୍କ ମତରେ “ଗୀତ ଅନ୍ତରରୁ ବାହାରି ଥାଏ ଏବଂ ଏହା ଶବ୍ଦ ଦ୍ୱାରା ପ୍ରତିଫଳିତ ହୁଏ l ଗୋଟିଏ ଦୁଃଖୀ ଏବଂ ସଂଗୀତ ମଧ୍ୟରେ ଗଭୀର ସମ୍ପର୍କ l ଯାହା ଜଣେ ଦୁଃଖୀର ଦୁଃଖକୁ ନିବାରଣ କରେ”l ସଂଗୀତ ଦୁନିଆରେ ପଣ୍ଡିତ ଯଶରାଜ,କିଶୋରୀ ଅମୋନକର,
ପରବିନ ସୁଲତାନା,ଡ଼.ସୁନନ୍ଦା ପଟ୍ଟନାୟକଙ୍କୁ ନିଜର ଆଦର୍ଶ ମାନନ୍ତି ଅନିନ୍ଦିତା ଦାସ l
ଅନିନ୍ଦିତାଙ୍କ କୃତିତ୍ୱ –
ସଙ୍ଗୀତ -ବଧୂ ନିରୁପମା (ସଜନୀ ସଜନୀ ଦିବସ ରଜନୀ)
କାଳିଆ ଭରଷା (ମୁଖ୍ୟ ସଂଗୀତ) ଇତ୍ୟାଦି l
ପୁରସ୍କାର –
ପ୍ରବାସୀ ଓଡ଼ିଆ ସମାଜ (ଆମେରିକା,ଅଷ୍ଟ୍ରେଲିଆ)
ଦୁବାଇ ଓଡ଼ିଆ ସମାଜ,ସ୍ଵରଶ୍ରୀ ସମ୍ମାନ,ସ୍ୱର ତରଙ୍ଗିନୀ ସମ୍ମାନ,
ହର୍ଣ୍ଣବେଲ୍ ଉତ୍ସବ (ନାଗାଲାଣ୍ଡ )ଇତ୍ୟାଦି l
ଏକାଧାରରେ ସେ ଜଣେ ସାରସ୍ୱତ ପ୍ରେମୀ l ପିଲାଟି ଦିନରୁ ବ୍ୟାସକବିଙ୍କ ସାହିତ୍ୟ ସହ ସମ୍ପୃକ୍ତି ଥିଲେ ଅନିନ୍ଦିତା l ବ୍ୟାସକବି ଫକୀର ମୋହନଙ୍କ ପ୍ରତିଟି ଲେଖାରେ ସେ ସାଉଁଟିଥାନ୍ତି ସମବେଦନା l ବର୍ତମାନର ସମୟରେ ଶାସ୍ତ୍ରୀୟ ସଂଗୀତର ଅବସ୍ଥାକୁ ନେଇ ଖୁବ ଚିନ୍ତିତା ଏହି ବ୍ୟକ୍ତିତ୍ବ ଜଣଙ୍କ l ତାଙ୍କ ମତରେ “ଲୋକମାନେ ଦିନକୁ ଦିନ ଶାସ୍ତ୍ରୀୟତା ଠାରୁ ଦୁରେଇ ଯାଉଛନ୍ତି l ବର୍ତ୍ତମାନ ଏହା ଆଉ ପୂର୍ବଭଳି ମନକୁ ଛୁଇଁବା ସ୍ତର ପର୍ଯ୍ୟନ୍ତ ଯାଉନାହିଁ l କିନ୍ତୁ ଏହାର ନବଜୀବନ ପାଇଁ ସଂସ୍କୃତି ଏକାଡେମୀ, ସରକାର ଏବଂ କଳାକାରଙ୍କ ମୁଖ୍ୟ ଦାୟିତ୍ୱ ରହିଛି” l ଆଗାମୀ ଦିନରେ ଭଲ ସାହିତ୍ୟ ଲେଖାକୁ ଶାସ୍ତ୍ରୀୟ ସଂଗୀତ ମାଧ୍ୟମରେ ଉପସ୍ଥାପନା କରିବାକୁ ଲକ୍ଷ୍ୟ ରଖିଛନ୍ତି ଶ୍ରୀମତୀ ଅନନ୍ଦିତା ଦାସ l