କ୍ୟାପିଟାଲ ହସ୍ପିଟାଲରେ ପିଜି ପାଠ୍ୟକ୍ରମ ଆରମ୍ଭ ନିମନ୍ତେ ମିଳିଲା ଅନୁମତି

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ୨୦୨୨-୨୩ ଶିକ୍ଷା ବର୍ଷରୁ ପିଜି ପାଠ୍ୟକ୍ରମ ଆରମ୍ଭ ନିମନ୍ତେ ଅନୁମତି ମିଳିଛିି। ପ୍ରଥମ ପର୍ଯ୍ୟାୟରେ ଜେନେରାଲ ସର୍ଜରୀ ବିଭାଗରେ ୫ଟି ପିଜି ସିଟରେ ନାମ ଲେଖାଇବାକୁ ଜାତୀୟ ମେଡିକାଲ କମିଶନଙ୍କ ମେଡିକାଲ ଆସେସମେଂଟ ଆଣ୍ଡ ରେଟିଂ ବୋର୍ଡ(ଏମଏଆରବି) ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲକୁ ‘ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ’ (ପିଜିଆଇଏମଇଆର) ଭାବେ ବିକଶିତ କରି ୨୦୨୨-୨୩ ଶିକ୍ଷା ବର୍ଷରୁ ୧୫ଟି ବିଭାଗର ପିଜି ପାଠ୍ୟକ୍ରମ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନେଇଥିଲେ ।

ଜାତୀୟ ମେଡିକାଲ କମିଶନଙ୍କ ଏମଏଆରବି( ପିଜି ବିଭାଗ) ଦ୍ୱାରା ଆଜି କ୍ୟାପିଟାଲ ହସ୍ପିଟାଲସ୍ଥିତ ପିଜିଏମଇଆର ପ୍ରିନ୍ସିପାଲଙ୍କୁ ଚିଠି ଲେଖାଯାଇ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଭୁବନେଶ୍ୱରସ୍ଥିତ ଏହି ପିଜିଏମଇଆରରେ ୨୦୨୨-୨୩ ଶିକ୍ଷା ବର୍ଷରୁ ଜେନେରାଲ ସର୍ଜରୀ ବିଭାଗରେ ୫ଟି ସିଟରେ ପାଠପଢ଼ା ଆରମ୍ଭ ନିମନ୍ତେ ଅନୁମତି ଦିଆଯାଇଛି । ଏଥିପାଇଁ ଏମଏଆରବି ଦ୍ୱାରା ଜୁଲାଇ ୧୩ତାରିଖରେ କ୍ୟାପିଟାଲ ହସ୍ପିଟାଲର ଏହି ପିଜିଏମଇଆରରେ ପଢ଼ାଇବାକୁ ଥିବା ଅଧ୍ୟାପକ,ସେମାନଙ୍କର ଅଭିଜ୍ଞତା ଓ ଅନ୍ୟାନ୍ୟ ଶିକ୍ଷଣୀୟ ସୁବିଧସୁଯୋଗ ଓ ଭିତ୍ତିଭୂମିର ଅନୁଧ୍ୟାନ କରାଯାଇଥିଲା । ଜାତୀୟ ମେଡିକାଲ କମିଶନଙ୍କ ପ୍ରାବଧାନ ମୁତାବକ ପିଜିଆଇଏମଇଆର କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ଭିତ୍ତିଭୂମି ସହ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, କୋଠା, ଉପକରଣ ଓ ହସ୍ପିଟାଲ ସୁବିଧା ଏହି ସିଟରେ ପଢ଼ିବାକୁ ଥିବା ପିଲାମାନଙ୍କ ନିମନ୍ତେ ଉପଲବ୍ଧ କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲସ୍ଥିତ ପିଜିଆଇଏମଇଆରରେ ୧୫ଟି ବିଭାଗରେ ପାଠ୍ୟକ୍ରମ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ସେଥିରୁ ମେଡିସିନ, ଜେନେରାଲ ସର୍ଜରୀ, ପ୍ରସୂତୀ ଓ ଶିଶୁ ବିଭାଗରେ ୫ଟି ଲେଖାଏଁ ପିଜି ସିଟ୍ ଏବଂ ଅନ୍ୟ ୧୧ଟି ବିଭାଗରେ ୩ଟି ଲେଖାଏଁ ପିଜି ସିଟ୍ ଖୋଲିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି । ଏଥିପାଇଁ ୧୨୦ଜଣ ଶିକ୍ଷକ(ଟିଚିଙ୍ଗ ଷ୍ଟାଫ) ଓ ୫୦ଜଣ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ନିମନ୍ତେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇସାରିଛି । କ୍ୟାପିଟାଲ ହସ୍ପିଟାଲରେ ପିଜି ପାଠ୍ୟକ୍ରମ ସୁବିଧା ଥିବା ଶିକ୍ଷାନୁଷ୍ଠାନରେ ବିକଶିତ କରିବା ନିମନ୍ତେ ରାଜ୍ୟ ସରକାର ୨୦୧୩ ମସିହାରେ ନୀତିଗତ ନିଷ୍ପତ୍ତି ନେଇଥିଲେ ।

Leave a Reply

Your email address will not be published. Required fields are marked *