ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଚଳିତ ବର୍ଷ ଅଧିକ ରାଜସ୍ୱ ଆଦାୟ କରିଛି ଆୟକର ବିଭାଗ

ଭୁବନେଶ୍ବର: ଆୟକର ବିଭାଗର ଓଡ଼ିଶା କ୍ଷେତ୍ର ତା’ ପାଇଁ ନିର୍ଦ୍ଧାରିତ ହୋଇଥିବା ବଜେଟ ସଂଗ୍ରହର ଲକ୍ଷ୍ୟକୁ କେବଳ ଯେ କେବଳ ପ୍ରାପ୍ତ କରି ଅଛି ତାହା ନୁହେଁ, ଏହା ସେ ଲକ୍ଷ୍ୟକୁ ପାର କରିଯାଇଛି। ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ନିର୍ଦ୍ଧାରିତ ୧୪ ହଜାର କୋଟି ଟଙ୍କାର ବଜେଟ ସଂଗ୍ରହ ଲକ୍ଷ୍ୟ ରହିଥିବା ବେଳେ ଓଡ଼ିଶା କ୍ଷେତ୍ର ୧୫,୪୮୧ କୋଟି ଟଙ୍କାର ବଜେଟ ସଂଗ୍ରହ କରିଛି, ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୧୧୦.୫୭ ପ୍ରତିଶତ।

ଆର୍ଥିକ ବର୍ଷ ୨୦୨୧-୨୨ରେ ବଜେଟ ସଂଗ୍ରହ ଆର୍ଥିକ ବର୍ଷ ୨୦୨୦-୨୧ର ବଜେଟ ସଂଗ୍ରହ ତୁଳନାରେ ୫୨.୫୦ ପ୍ରତିଶତ ଅଧିକ ଥିଲା ଓ ଆର୍ଥିକ ବର୍ଷ ୨୦୨୦-୨୧ରେ ବଜେଟ ସଂଗ୍ରହ ଆର୍ଥିକ ବର୍ଷ ୨୦୧୯-୨୦ର ବଜେଟ ସଂଗ୍ରହ ତୁଳନାରେ ୧୫.୪୧ ପ୍ରତିଶତ ଅଧିକ ରହିଛି। ଆର୍ଥିକ ବର୍ଷ ୨୦୨୧-୨୨ରେ ମୋଟ ସଂଗ୍ରହ ୧୮,୦୫୫ କୋଟି ଟଙ୍କା ହୋଇଥିଲାବେଳେ ୨,୫୭୪ କୋଟି ଟଙ୍କାର ରିଫଣ୍ଡ ଫେରସ୍ତ ପରେ ନେଟ କର ସଂଗ୍ରହ ୧୫,୪୮୧ କୋଟି ଟଙ୍କା ହୋଇଛି।

ଆର୍ଥିକ ବର୍ଷ ୨୦୨୧-୨୨ରେ ଟିଡିଏସ ସଂଗ୍ରହ ୬,୫୯୪ କୋଟି ଟଙ୍କା ହୋଇଛି ଯାହାକି ଆର୍ଥିକ ବର୍ଷ ୨୦୨୦-୨୧ ତୁଳନାରେ ୩୬.୦୯ ପ୍ରତିଶତ ଅଧିକ ଓ ଆର୍ଥିକ ବର୍ଷ ୨୦୧୯-୨୦ ତୁଳନାରେ ୨୭.୧୪ ପ୍ରତିଶତ ଅଧିକ। ଆର୍ଥିକ ବର୍ଷ ୨୦୧୯-୨୦ରେ ୯.୯୨ ଲକ୍ଷ ରିଟର୍ଣ୍ଣ ଭରାଯାଇଥିଲା ଓ ଆର୍ଥିକ ବର୍ଷ ୨୦୨୦-୨୧ରେ ୧୦.୪୪ ଲକ୍ଷ ଆୟକର ରିଟର୍ଣ୍ଣ ଭରାଯାଇଥିବା ବେଳେ ଆର୍ଥିକ ବର୍ଷ ୨୦୨୧ -୨୨ରେ ୧୨.୯୫ ଲକ୍ଷ ଆୟକର ରିଟର୍ଣ୍ଣ ଭରାଯାଇଥିଲା।

ଓଡ଼ିଶାରେ ପ୍ରତ୍ୟକ୍ଷ କର ସଂଗ୍ରହ ମୁଖ୍ୟତଃ ଖଣି କ୍ଷେତ୍ରରୁ ହୋଇଛି ଯାହାକି ପାଖାପାଖି ମୋଟ ରାଜସ୍ଵର ୫୩ ପ୍ରତିଶତ ଓ ପୋଟ କ୍ଷେତ୍ରରୁ ୨୨ ପ୍ରତିଶତ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ଅଧକ୍ଷ ଜେବି ମହାପାତ୍ର ଭୁବନେଶ୍ୱର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। କର ସଂଗ୍ରହ ଆର୍ଥିକ ବର୍ଷ ୨୦୨୧-୨୨ରେ ୧୪,୦୯, ୬୪୦.୮୩ କୋଟି ଟଙ୍କାର ନେଟ ପ୍ରତ୍ୟକ୍ଷ କର ସଂଗ୍ରହ, ପୂର୍ବ ଆର୍ଥିକ ବର୍ଷ ୨୦୨୦-୨୧ରେ ସଂଗୃହିତ ହୋଇଥିବା ୯,୪୫,,୯୩୪.୩୪ କୋଟି ଟଙ୍କାର ତୁଳନାରେ ୪୯.୦୨ % ଅଭିବୃଦ୍ଧି ଦର୍ଶାଇଛି।

ଆର୍ଥିକ ବର୍ଷ ୨୦୨୧-୨୨ରେ ନେଟ ପ୍ରତ୍ୟକ୍ଷ କର ସଂଗ୍ରହ ଆର୍ଥିକ ବର୍ଷ ୨୦୧୯-୨୦ରେ ସଂଗୃହିତ ହୋଇ ଥିବା ୧୦,୫୦,୬୮୦.୫୬ କୋଟି ଟଙ୍କା ତୁଳନାରେ ୩୪.୧୬ % ଅଭିବୃଦ୍ଧି ଦର୍ଶାଇଅଛି ଓ ଆର୍ଥିକ ବର୍ଷ ୨୦୧୮-୧୯ ରେ ସଂଗୃହିତ ହୋଇ ଥିବା ୧୧,୩୭,୭୧୮.୪୮ କୋଟି ଟଙ୍କା ତୁଳନାରେ ୨୩.୯୦ % ଅଭିବୃଦ୍ଧି ଦର୍ଶାଇଛି।

ଦେଶରେ ଆର୍ଥିକ ବର୍ଷ ୨୦୨୧-୨୨ରେ ୧୬,୩୪,୪୫୪.୯୫ କୋଟି ଟଙ୍କାର ମୋଟ ପ୍ରତ୍ୟକ୍ଷ କର ସଂଗ୍ରହ ହୋଇଛି। ୨୦୨୦-୨୧ରେ ୧୨,୩୧,୨୭୦.୫୨ କୋଟି ଟଙ୍କା ସଂଗୃହିତ ହୋଇଥିଲା। ୨୦୨୦-୨୧ ବର୍ଷ ତୁଳନାରେ ୨୦୨୧-୨୨ ବର୍ଷରେ ସଂଗୃହିତ କର ୩୨.୭୫% ଅଭିବୃଦ୍ଧି ହୋଇଛି। ଆର୍ଥିକ ବର୍ଷ ୨୦୨୧-୨୨ରେ ମୋଟ ପ୍ରତ୍ୟକ୍ଷ କର ସଂଗ୍ରହ ଆର୍ଥିକ ବର୍ଷ ୨୦୧୯-୨୦ରେ ସଂଗୃହିତ ହୋଇ ଥିବା ୧୨,୩୪,୨୫୮.୪୨ କୋଟି ଟଙ୍କାର ତୁଳନାରେ ୩୨.୪୨ % ଅଭିବୃଦ୍ଧି ଦର୍ଶାଇଛି ଓ ଆର୍ଥିକ ବର୍ଷ ୨୦୧୮-୧୯ରେ ସଂଗୃହିତ ହୋଇ ଥିବା ୧୨,୯୮,୭୯୭.୩୨ କୋଟି ଟଙ୍କା ତୁଳନାରେ ୨୫.୮୪ % ଅଭିବୃଦ୍ଧି ଦର୍ଶାଇଛି।

ଆର୍ଥିକ ବର୍ଷ ୨୦୨୧-୨୨ରେ ୨,୨୪,୮୧୪.୧୨ କୋଟି ଟଙ୍କାର ରିଫଣ୍ଡ ୨.୪୩ କୋଟି ଆୟକର ଦାତାଙ୍କୁ ଫେରସ୍ତ ଦିଆଯାଇଛି, ଅନ୍ୟପକ୍ଷରେ ଆର୍ଥିକ ବର୍ଷ ୨୦୨୦-୨୧ରେ ସେହିପରି ରିଫଣ୍ଡ ସଂଖ୍ୟା ଥିଲା ୨.୩୭ କୋଟି। ଯାହା ମଧ୍ୟରେ ନିର୍ଦ୍ଧାରଣ ବର୍ଷ ୨୦୨୧-୨୨ ପାଇଁ ୨.୦୧ କୋଟି ସଂଖ୍ୟାର ରିଫଣ୍ଡ ଆୟକର ରିଟର୍ଣ୍ଣର ଦ୍ରୁତ ପ୍ରକ୍ରିୟାକରଣ ଯୋଗୁଁ ସମ୍ଭବ ହୋଇ ପାରିଥିବା ଜେ.ବି ମହାପାତ୍ର କହିଛନ୍ତି।

ସେହିଭଳି ୨୦୨୧-୨୦୨୨ ବର୍ଷ ରେ ବିଭାଗର ନୂଆ ଇ-ଫାଇଲିଂ ପୋର୍ଟାଲ ରେ ୭.୧୪ କୋଟିରୁ ଅଧିକ ଲୋକ ରିଟର୍ଣ୍ଣ ଫାଇଲିଂ କରିଛନ୍ତି। ଯାହା ଗତ ବର୍ଷ ତୁଳନାରେ ୨.୪ ପ୍ରତିଶତ ଅଭିବୃଦ୍ଧି।

Leave a Reply

Your email address will not be published. Required fields are marked *