ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ଜଙ୍ଗଲର ଏନ୍ସାଇକ୍ଲୋପିଡିଆ ତୁଲସୀ ଗୌଡ଼ା ; ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ: ପଦ୍ମଶ୍ରୀ ତୁଲସୀ ଗୌଡ଼ା। ନିଜ ଘରେ ଯେମିତି ରାଷ୍ଟ୍ରପତି ଭବନ ବି ଆସିଲେ ସେମିତି। ଖାଲି ପାଦ, ଦେହରେ ଆଦିବାସୀଙ୍କ ପାରମ୍ପରିକ ଶାଢ଼ି, ବେକରେ ଗାମୁଛା। ଗତକାଲି ଏଭଳି ଭାବରେ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି ୭୨ ବର୍ଷିୟ ଜଙ୍ଗଲ ପ୍ରେମୀ ତୁଲସୀ ଗୌଡ଼ା।

କର୍ଣ୍ଣାଟକ ହୋନାଲି ଗାଁର ଆଦିବାସୀ ତୁଲସୀଙ୍କୁ ଜଙ୍ଗଲର ଏନ୍ସାଇକ୍ଲୋପିଡିଆ ବୋଲି କୁହାଯାଏ। କାରଣ ଜଙ୍ଗଲରେ ଥିବା ପ୍ରତିଟି ଗଛକୁ ସେ ଭଲ ଭାବେ ଜାଣନ୍ତି। କେଉଁ ଗଛର କ’ଣ ଫାଇଦା, କେଉଁ ଗଛରୁ କ’ଣ ଔଷଧ ତିଆରି ହୋଇପାରେ ସବୁକିଛି ତାଙ୍କର ମୁଖସ୍ତ। ହେଲେ ସେ ଜୀବନରେ କେବେ ସ୍କୁଲ ପିଣ୍ଢା ବି ଚଢ଼ି ନାହାନ୍ତି। ନିଜ ଜୀବନ କାଳରେ ୩୦ ହଜାରରୁ ଅଧିକ ଗଛ ଲଗାଇଛନ୍ତି ତୁଲସୀ। ଦୁଇ ବର୍ଷ ବୟସରୁ ପରିବେଶ, ପଶୁ, ଜଙ୍ଗଲ ସହ ତୁଲସୀ ଜଡ଼ିତ। ତାଙ୍କର ଏହି ଅତୁଳନୀୟ ଅବଦାନ ପାଇଁ ଖୋଦ୍ ରାଷ୍ଟ୍ରପତି ତାଙ୍କୁ ସମ୍ମାନିତ କରିଛନ୍ତି।

ସେହିପରି ଆଜି ଭାରତର ସୁନାମଧନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମିଳିଛି ପଦ୍ମ ପୁରସ୍କାର। ୨୦୨୧ ବର୍ଷ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୧୧୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପଦ୍ମ ବିଭୂଷଣରେ ୭ ଜଣ, ପଦ୍ମ ଭୂଷଣରେ ୧୦ ଜଣ ଏବଂ ୧୦୨ ବ୍ୟକ୍ତିଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି। ମରୋଣତ୍ତର ଭାବେ ଦିବଙ୍ଗତ ସଙ୍ଗୀତଜ୍ଞ ଏସ୍‌ପି ବାଲାସୁବ୍ରମନ୍ୟମ୍‌ଙ୍କୁ ମିଳିଛି ପଦ୍ମ ବିଭୂଷଣା। ଐତିହାସିକ ବିବି ଲାଲ୍, ମେଡିସନ୍ ପାଇଁ ବିଏମ୍ ହେଗଡେଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ମରଣୋତ୍ତର ଭାବେ ରାମବିଲାସ ପାସୱାନଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଛି। ପୁଅ ଚିରାଗ ପାସୱାନ୍ ସମ୍ମାନ ଗ୍ରହଣ କରିଛନ୍ତି।

ସେହିପରି ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ, କେଶୁଭାଇ ପଟେଲ ପଦ୍ମ ଭୂଷଣ ସମ୍ମାନ ପାଇଛନ୍ତି। କଳା, ବାଣିଜ୍ୟ, ସାହିତ୍ୟ, ସିନେମା, ପ୍ରଶାସନିକ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛିା କରୋନା କଟକଣା ଦୃଷ୍ଟିରୁ ଅଳ୍ପ ସଂଖ୍ୟକ ଅତିଥିଙ୍କୁ ନେଇ କାଯର୍ୟକ୍ରମ ଆୟୋଜନ କରାଯାଇଛି।

Leave a Reply

Your email address will not be published. Required fields are marked *