ପୁରୀ ସମୁଦ୍ରରେ ଗାଧୋଇବା ବେଳେ ସ୍ୱର୍ଗଦ୍ୱାର ନିକଟ ୧୩ ନଂ ସେକ୍ଟରରେ ବୁଡ଼ି ୨ ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ସମୟରେ ଆଜି ଅପରାହ୍‌ଣ ସମୟରେ ବାପ ଓ ପୁଅଙ୍କ ସମେତ ଗୋଟିଏ ପରିବାରର ୫ ଜଣ ପର୍ଯ୍ୟଟକ ବୁଡ଼ିଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କିନ୍ତୁ ଅନ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିମାନେ ହେଲେ ରଂଜନ ଦାସ (୫୦) ଓ ତାଙ୍କର ପୁଅ ଋଷଭ ଦାସ (୧୬) ।

ସୂଚନା ଅନୁସାରେ ପଶ୍ଚିମବଙ୍ଗର ହାଓଡା ଅଞ୍ଚଳରୁ ଏକ ପରିବାରର ୫ ଜଣ ଗତକାଲି ପୁରୀ ବୁଲିବାକୁ ଆସିଥିଲେ। ସେମାନେ ପୁରୀର ଏକ ହୋଟେଲରେ ରହୁଥିଲେ। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୨ଟାରେ ଫ୍ୟାମେଲିଆ ହୋଟେଲ ସାମ୍ନା ସମୁଦ୍ରରେ ପରିବାରର ସମସ୍ତ ସଦସ୍ୟ ଗାଧୋଉଥିଲେ। ଏହି ସମୟରେ ସମୁଦ୍ରର ଲହଡ଼ି ଯୋଗୁଁ ସମସ୍ତେ ବୁଡ଼ି ଯାଇଥିଲେ। ତେବେ ସମୁଦ୍ର କୂଳରେ ମୁତୟନ ଥିବା ଦମକଳବହିନୀର ଲାଇଫ୍‌ ଗାର୍ଡ କର୍ମୀମାନେ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ବାପ-ପୁଅ ରଂଜନ ଦାସ ଓ ଋଷଭ ଦାସଙ୍କର ମୃତ୍ୟୁ ହୋଇଯାଇଥିଲା। ପୁରୀ ସମୁଦ୍ରକୂଳ ଥାନା ପୁଲିସ ୨ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *