ପ୍ରଥମଥର ପାଇଁ ଭିଭିଆଇପିଙ୍କ ସୁରକ୍ଷା ଦାୟିତ୍ୱରେ ସାମିଲ ହେବେ ମହିଳା କମାଣ୍ଡୋ ; ପ୍ରଥମେ ଅମିତ ଶାହ ଓ ସୋନିଆ ଗାନ୍ଧିଙ୍କୁ ସୁରକ୍ଷାରେ ହେବେ ନିୟୋଜିତ

ନୂଆଦିଲ୍ଲୀ: ଦେଶର ଇତିହାସରେ ପ୍ରଥମଥର ପାଇଁ ଭିଭିଆଇପିଙ୍କ ସୁରକ୍ଷା ଦାୟିତ୍ୱରେ ସାମିଲ ହେବେ ମହିଳା କମାଣ୍ଡୋ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଭଳି ଭିଭିଆଇପିଙ୍କ ସୁରକ୍ଷା କାମରେ ସିଆରପିଏଫର ମହିଳା କମାଣ୍ଡୋଙ୍କୁ ନିୟୋଜିତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ପ୍ରଥମଥର ପାଇଁ ସେମାନଙ୍କ ସୁରକ୍ଷା କାମରେ ମହିଳା କମାଣ୍ଡୋ ନିୟୋଜିତ ହେବାକୁ ଯାଉଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ୩୨ ଜଣ ମହିଳା କମାଣ୍ଡୋ ଭିଭିଆଇପିଙ୍କ ସୁରକ୍ଷାରେ ନିୟୋଜିତ ସିଆରପିଏଫ୍‌ ୱିଙ୍ଗରେ ସାମିଲ ହେବେ। ଭିଭିଆଇପିଙ୍କ ବାସଭବନର ସୁରକ୍ଷା ଦାୟିତ୍ୱରେ ମହିଳା କମାଣ୍ଡୋ ରହିବେ।”

ତାଙ୍କ ସୂଚନା ଅନୁଯାୟୀ, କିଛି ମହିଳା କମାଣ୍ଡୋ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଘରର ସୁରକ୍ଷା କାମରେ ସାମିଲ ହେବେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପତ୍ନୀ ଗୁରଶରନ କୌର ମଧ୍ୟ ସିଆରପିଏଫର ସୁରକ୍ଷା ବଳୟରେ ରହୁଛନ୍ତି। ତେଣୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ମଧ୍ୟ ମହିଳା କମାଣ୍ଡୋ ନିୟୋଜିତ ହୋଇପାରନ୍ତି।

ଭିଭିଆଇପିଙ୍କ ସୁରକ୍ଷା ପ୍ରଦାନ ପୂର୍ବରୁ ମହିଳା କମାଣ୍ଡୋଙ୍କୁ ୧୦ ସପ୍ତାହର ଟ୍ରେନିଂ ଦିଆଯାଇଛି। ଏହି ସମୟରେ ବିନା ଅସ୍ତ୍ରରେ ଲଢ଼େଇ, ଶରୀରର ଯାଞ୍ଚ ଓ ସ୍ୱତନ୍ତ୍ର ଯୁଦ୍ଧାସ୍ତ୍ର ଫାୟାରିଂ ସମ୍ପର୍କରେ ସେମାନେ ତାଲିମ ପାଇଛନ୍ତି। ଏବେ ସେମାନଙ୍କ ଟ୍ରେନିଂ ଶେଷ ହୋଇଛି। ତେଣୁ ସେମାନେ ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ସୁରକ୍ଷା ପ୍ରଦାନ ପାଇଁ ମୈଦାନକୁ ଓହ୍ଲାଇବେ।

ଜେଡ ପ୍ଲସ ସୁରକ୍ଷା ପାଉଥିବା ରାଜନେତାଙ୍କ କାମରେ ହିଁ ଏହି ମହିଳା କମାଣ୍ଡୋ ରହିବେ। ଏବେ ୫ ଜଣ ରାଜନେତା ଜେଡ ପ୍ଲସ ସୁରକ୍ଷା ପାଉଛନ୍ତି। ସେମାନେ ହେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଏମାନଙ୍କ ସୁରକ୍ଷା କାମରେ ୫୮ ଜଣ କମାଣ୍ତୋ ନିୟୋଜିତ ହୋଇଥାଆନ୍ତି।

ପ୍ରାଥମିକ ଅବସ୍ଥାରେ ଜେଡ ପ୍ଲସ ସୁରକ୍ଷା ବଳୟରେ ରହୁଥିବା ବ୍ୟକ୍ତିଙ୍କ ଘର ଚାରିପାଖରେ ଏହି ମହିଳା କମାଣ୍ଡୋଙ୍କୁ ମୁତୟନ କରାଯିବ। ଦରକାର ପଡ଼ିଲେ ଆସନ୍ତା ବିଧାନସଭା ନିର୍ବାଚନ ବେଳେ ରାଜନେତାମାନଙ୍କ ସହ ସେମାନେ ବିଭିନ୍ନ ସ୍ଥାନକୁ ମଧ୍ୟ ଯାଇପାରିବେ।

ମହିଳା କମାଣ୍ଡୋଙ୍କ ସହ ଭିଭିଆଇପିଙ୍କ ସୁରକ୍ଷାରେ ପୂର୍ବଭଳି ପୁରୁଷ କମାଣ୍ଡୋ ମଧ୍ୟ ରହିବେ। ସେମାନଙ୍କ ପାଖରେ ବନ୍ଧୁକ, ବାଲାଷ୍ଟିକ ପ୍ରୋଟେକସନ ଓ ଅନ୍ୟ ସୁରକ୍ଷା ସମ୍ପର୍କିତ ଅସ୍ତ୍ର ରହିବ।

Leave a Reply

Your email address will not be published. Required fields are marked *