ବିଧାୟକ ସମୀର ଦାଶଙ୍କ ବିରୁଦ୍ଧରେ ଦଳୀୟ ନେତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ

ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କ ଅଡ଼ୁଆ ବଢ଼ିଛି । ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ଥରେ ବିବାଦ ମଧ୍ୟରେ ଛନ୍ଦି ହୋଇଯାଇଛନ୍ତି ସମୀର । ତାଙ୍କ ବିରୁଦ୍ଧରେ ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ ସଙ୍ଗୀନ ଅଭିଯୋଗ ଆଣିବା ସହ ଥାନାରେ ଏଫଆଇଆର ରୁଜୁ ହୋଇଛି । ସମୀର ଦାଶ ଜଣେ ଚରିତ୍ରହୀନ ଓ ତାଙ୍କ ସହ କୌଣସି ମହିଳା ସୁରକ୍ଷିତ ନୁହଁନ୍ତି ବୋଲି ଶ୍ରୀମତୀ ନାୟକ ସଙ୍ଗୀନ ଅଭିଯୋଗ କରିଛନ୍ତି ।

ନିମାପଡ଼ା ବିଧାନସଭା ମଣ୍ଡଳୀରୁ ଟିକେଟ୍ ଆଶାୟୀ ଜ୍ୟୋସ୍ନାରାଣୀ ଚଳିତମାସ ୨ତାରିଖରୁ ନିମାପଡ଼ା ଅଂଚଳରେ ବିଜେଡିର ଜନସମ୍ପର୍କ ପଦଯାତ୍ରା କରୁଛନ୍ତି । ଯାହାକୁ ସମୀର ଦାଶ ସହଜରେ ହଜମ କରିପାରିନାହାନ୍ତି । ଆଉ ସମୀର ଦାଶ ନିଜ ଗୁଣ୍ଡାମାନଙ୍କ ମାଧ୍ୟମରେ ଧମକଚମକ ଦେଇଥିବା, ଏପରିକି ମରଣାନ୍ତକ ଆକ୍ରମଣ ପାଇଁ ଉଦ୍ୟମ କରିଥିବା ଜ୍ୟୋସ୍ନାରାଣୀ ଅଭିଯୋଗ କରିଛନ୍ତି ।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଜ୍ୟୋସ୍ନାରାଣୀ କହିଛନ୍ତି ଯେ, ଚଳିତମାସ ୯ତାରିଖରେ ଗୋପ ଥାନା ଅନ୍ତର୍ଗତ କୁସୁପୁର ଓ ୧୧ତାରିଖରେ ନିମାପଡ଼ା ବ୍ଲକର ଦିଘାଳିଠାରେ ସମୀର ଦାଶଙ୍କ ଇଙ୍ଗିତରେ ତାଙ୍କ ଲୋକମାନେ ମରଣାନ୍ତକ ଆକ୍ରମଣ ସହ ଧମକଚମକ ଦେଇଥିଲେ । ସମୀରଙ୍କ ଇଙ୍ଗିତ ଦୁଇଦୁଇ ଥର ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ଜ୍ୟୋସ୍ନାରାଣୀ ଅଭିଯୋଗ କରିଛନ୍ତି ।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ସମୀରଙ୍କ ଏଭଳି କାର୍ଯ୍ୟକଳାପ ଓ ଅଶ୍ଲୀଳତା ସହିନପାରି ସେ ୨୦୧୬-୧୭ ମସିହାରୁ ତାଙ୍କଠୁ ଦୂରେଇ ରହିଛନ୍ତି । ସମୀର ନିଜର ମାଇଣ୍ଡଫ୍ରେସ୍ କରିବାକୁ ଭୁବନେଶ୍ୱର ଡାକୁଥିଲେ । ମାଇଣ୍ଡଫ୍ରେସ କରିବାକୁ ଦାମୀ ମୋବାଇଲ ଫୋନର ଲୋଭ ମଧ୍ୟ ଦେଖାଉଥିଲେ । ଏଭଳି ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯିବା ଦରକାର ବୋଲି ଜ୍ୟୋସ୍ନାରାଣୀ କହିବା ସହ ନିମାପଡ଼ା ଓ ଗୋପ ଥାନା ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ନ୍ୟାୟ ପାଇଁ ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମଧ୍ୟ ନିଜର ଆତ୍ମହତ୍ୟା ପୂର୍ବରୁ ସମୀର ଦାଶଙ୍କ ବିରୁଦ୍ଧରେ ଅନୁରୂପ ଅଭିଯୋଗ ଆଣିଥିଲେ । ସମୀର ଯୌନ କେଳେଙ୍କାରୀରେ ଲିପ୍ତ ଥିବା ତଥା ତାଙ୍କ ପତ୍ନୀଙ୍କୁ ନିଶା ଦେଇ ଭିଡିଓ ସୁଟ୍ କରାଯାଇଥିବା ନେଇ ଧର୍ମେନ୍ଦ୍ର ନିଜେ ଅଭିଯୋଗ କରିଥିଲେ । ମାତ୍ର ଏହି ଆତ୍ମହତ୍ୟା ମାମଲାର ବିଭିନ୍ନ ଦିଗ ଉପରେ ପୁଲିସ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।

Leave a Reply

Your email address will not be published. Required fields are marked *