୨୦୨୮ ଲସ୍ ଆଞ୍ଜେଲସ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ୍, ସୂଚନା ଦେଲେ ଆଇଓସି ସଭାପତି

ମୁମ୍ବାଇ : ୨୦୨୮ରେ ଆମେରିକାର ଲସ୍ ଆଞ୍ଜେଲସରେ ହେବାକୁ ଥିବା ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବ । ଏ ସଂପର୍କରେ ଲସ୍ ଆଞ୍ଜେଲସ ଆୟୋଜକ କମିଟି ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛି ଅନ୍ତର୍ଜାତୀୟ ଅଲମ୍ପିକ କମିଟି (ଆଇଓସି) ।

ମୁମ୍ବାଇରେ ଅନୁଷ୍ଠିତ ଆଇଓସିର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ପରେ ଆଇଓସିର ସଭାପତି ଥମାସ୍ ବାକ୍ କହିଛନ୍ତି ଯେ ଯେ ୨୦୨୮ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ଅଲମ୍ପିକ୍ସରେ ମୋଟ ୫ଟି ନୂଆ ଖେଳ ସାମିଲ କରିବାକୁ ଆୟୋଜକମାନେ ପ୍ରସ୍ତାବ ଦେଇଥିଲେ । ଏହି ୫ଟି ଖେଳ ହେଉଛି ବେସବଲ୍, ସଫଟବଲ, ଫ୍ଲାଗ୍ ଫୁଟବଲ୍,ସ୍କ୍ବାସ, ଲାକ୍ରୋଜ୍ ଓ କ୍ରିକେଟ୍ । ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଏସବୁ କ୍ରୀଡ଼ା ସାମିଲ ହେବା ପରେ ଅଲମ୍ପିକ ଆନ୍ଦୋଳନ ଆମେରିକା ଓ ବିଶ୍ବର ନୂଆ ଆଥଲେଟ୍ ଓ ପ୍ରସଂଶକଙ୍କ ନିକଟରେ ପହଞ୍ଚିବ ।

କ୍ରିକେଟ୍ ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ସାମିଲ ହୋଇସାରିଛି । ୨୦୨୨ରେ ଅନୁଷ୍ଠିତ ବର୍ମିହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟ ସାମିଲ ହୋଇଥିଲା । ସେହିପରି ନିକଟରେ ସମାପ୍ତ ୨୦୨୩ ଏସୀୟ କ୍ରୀଡ଼ାରେ ବି କ୍ରିକେଟ୍ ସାମିଲ ହୋଇଥିଲା । ଗତ ଏସୀୟ କ୍ରୀଡ଼ାରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା । ଏଣୁ ଅଲମ୍ପିକ୍ସରେ କ୍ରିକେଟ ସାମିଲ ହେଲେ ତାହା ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିବ ।

Leave a Reply

Your email address will not be published. Required fields are marked *