ଜଳବାୟୁ ପରିବର୍ତ୍ତନ ଜନିତ ମୃତ୍ୟୁସଂଖ୍ୟା ହ୍ରାସ ପାଇଁ ମୌଳିକ ପ୍ରାଥମିକ ଚିକିତ୍ସା ତାଲିମର ପରିବର୍ତ୍ତନ ଜରୁରୀ :ଡ଼ କାଳୀ ପ୍ରସାଦ ମିଶ୍ର

ଭୁବନେଶ୍ୱର : ଆଜି ବିଶ୍ୱରେ ବିଭିନ୍ନ ଅନୁଷ୍ଠାନ “ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ” ପାଳିତ ହେଉଛି l ଚଳିତ ବର୍ଷର ବିଷୟବସ୍ତୁ “ଜଳବାୟୁ ପରିବର୍ତ୍ତନ ଓ ପ୍ରାଥମିକ ଚିକିତ୍ସା ” l ସ୍ଥାନୀୟ ମହାଲେଖାକାର କାର୍ଯ୍ୟାଳୟ ଏଜି ଆମ୍ବୁଲାନ୍ସ ଡିଭିଜନ ଆନୁକୂଲ୍ୟରେ ଓ ତ୍ରିଧା ନର୍ସିଙ୍ଗ ଡିଭିଜନ, ଟେମ୍ପଲ ସିଟି ଡିଭିଜନ ସହଯୋଗରେ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ,ବସ୍ତି ବାସିନ୍ଦା,ସାମାଜିକ ଅନୁଷ୍ଠାନର ସ୍ବେଛାସେବୀମାନଙ୍କୁ ପ୍ରାଥମିକ ଚିକିତ୍ସା ଉପରେ ତାଲିମ ପ୍ରଦାନ କରାଯାଇଥିଲା l ଏଜି କଲୋନୀ ପରିସରରେ ଆମ୍ବୁଲାନ୍ସ ଡିଭିଜନର ସହକାରୀ ଆଯୁକ୍ତ ପୁରୁଷୋତ୍ତମ ବଳଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଭାରତ ସ୍କାଉଟ ଓ ଗାଇଡ଼ର ଉପ ସଭାପତି ଡ଼ କାଳୀ ପ୍ରସାଦ ମିଶ୍ର, ମୁଖ୍ୟ ଅତିଥି, ପ୍ରଫେସର ଡ଼ ସତ୍ୟଜିତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ଓ ତତଜନିତ ମୃତ୍ୟୁସଂଖ୍ୟା ହ୍ରାସ ପାଇଁ ପ୍ରାଥମିକ ଚିକିତ୍ସାର ଆବଶକ୍ୟତା ଏବଂ ତାଲିମ ଉପରେ ଆଲୋକପାତ କରିଥିଲେ l ଜଳବାୟୁ ପରିବର୍ତ୍ତନ ଆମ ସମୟର ସବୁଠାରୁ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ମଧ୍ୟରୁ ଗୋଟିଏ l ବର୍ଦ୍ଧିତ ତାପମାତ୍ରା, ପରିବର୍ତ୍ତନ ପାଣିପାଗ ଢାଞ୍ଚା ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ଦୁର୍ବିପାକରେ ବହୁ ଲୋକ ପ୍ରାଣ ହରାଉଛନ୍ତି l ଏହାର ହ୍ରାସପାଇଁ ପ୍ରଚଳିତ ପ୍ରାଥମିକ ଚିକିତ୍ସା ତାଲିମର ସମ୍ୟକ ପରିବର୍ତ୍ତନ ଲୋଡ଼ା l ଏହି ତାଲିମ ଜନସାଧାରଣଙ୍କୁ ଦିଆଗଲେ ଦୁର୍ବିପାକ ବେଳେ ଜନ ସାଧାରଣ ତତ୍କାଳ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇପାରିଲେ ମୃତ୍ୟୁସଂଖ୍ୟା କମା ଯାଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ l ଏହି ଅବସରରେ ଆୟୋଜିତ ପ୍ରାଥମିକ ତାଲିମ କାର୍ଯ୍ୟକ୍ରମକୁ ସହକାରୀ ଆଯୁକ୍ତ ସୁଶାନ୍ତ କୁମାର ପଟ୍ଟନାୟକ, ଡ଼ ବସନ୍ତ କୁମାର ସାହୁ, ଡ଼ ପ୍ରମୋଦ କୁମାର ମହାପାତ୍ର, ଗିରିଶ ଚନ୍ଦ୍ର ଶତପଥି,ସଂଜିତା ମହାପାତ୍ର,ନୃସିଂହ ପ୍ରଧାନ ଓ ଭିକାରି ଚରଣ ସାହୁ ସ୍ବେଛାସେବୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ l
ଅପରାହ୍ନରେ ରାଜ୍ୟ ସେଣ୍ଟ ଜନ ଆମ୍ବୁଲାନ୍ସ ଶାଖା ଆନୁକୂଲ୍ୟରେ ସ୍କାଉଟ ଭବନଠାରେ ସଂସ୍ଥାର ଅବତୈନିଜ ସଚିବ ନିଧି କୁମାର ରାଉତରାୟ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ଡ଼ ନିବେଦିତା ପାଣି, ନିର୍ଦେଶକ ପିଜିଆଇଏମଆର, କ୍ୟାପିଟାଲ ହସ୍ପିଟାଲ, ଡ଼ ନୀଳକଣ୍ଠ ମିଶ୍ର, ନିର୍ଦେଶକ ଜନ ସ୍ୱାସ୍ଥ୍ୟ, ସ୍କାଉଟ ଗାଇଡ଼ର ମୁଖ୍ୟ କମିଶନର ଡ଼ କାଳୀ ପ୍ରସାଦ ମିଶ୍ର, ଡ଼ ସୁଧୀରଞ୍ଜନ ଦାସ ଯୋଗ ଦେଇ ଚଳିତ ବର୍ଷର ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଯୁଗ୍ମ ସଚିବ ନାରାୟଣ ତ୍ରିପାଠୀ ସଂଯୋଜନା ଓ ସଂଜିତା ମହାପାତ୍ର ପରିଚାଳନା କରିଥିଲେ l ଏହି ଆଲୋଚନା ଚକ୍ରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଡିଭିଜିନାଲ କମାଣ୍ଡର ଓ ବ୍ରିଗେଡ ସ୍ବେଛାସେବୀ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *