ଜାତିସଂଘ ପକ୍ଷରୁ କିସ୍‌କୁ ବିଶ୍ଵର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର

ଭୁବନେଶ୍ୱର : ବିଶ୍ୱର ସର୍ବବୃହତ ଜନଜାତି ଶିକ୍ଷାନୁଷ୍ଠାନ କିସ୍‌କୁ ମଳିଛି ବିଶ୍ବସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ କିସ୍‌କୁ ମିଳିଛି ସମ୍ମାନଜନକ ୟୁନେସ୍କୋ ଲିଟେରାସି ପୁରସ୍କାର ୨୦୨୨ । ଜନଜାତି * ପିଲାଙ୍କ ମଧ୍ୟରେ ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା’ କାର୍ଯ୍ୟକ୍ରମ ପାଇଁ କିସ୍‌କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରତ୍ୟେକ ବର୍ଷ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ୟୁନେସ୍କୋ କିଂ ସେଜିଂ ଲିଟେରାସୀ ପ୍ରାଇଜ ନାମରେ ନାମିତ ଏହି ସମ୍ମାନଜନକ ଅନ୍ତର୍ଜାତୀୟ ପୁରସ୍କାର ବିଶ୍ୱର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନକୁ ପ୍ରଦାନ କରିଥାଏ। ଶିକ୍ଷା ସମ୍ପର୍କିତ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ୟୁନେସ୍କୋ ଏହି ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରିଥାଏ। ଚଳିତ ବର୍ଷ ୟୁନେସ୍କୋ ପକ୍ଷରୁ ପିଲାଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ନିମନ୍ତେ ସେମାନଙ୍କୁ ପ୍ରାଥମିକସ୍ତରରେ ମାତୃଭାଷା ଓ ସେମାନଙ୍କ କଥିତ ଭାଷାରେ ଶିକ୍ଷା ପ୍ରଦାନ ବିଷୟବସ୍ତୁ ରଖାଯାଇଥିଲା । ବିଶ୍ବ ସାକ୍ଷରତା ଦିବସ ପରିପ୍ରେକ୍ଷୀରେ ଗୁରୁବାର କୋଟ ଡି ଆଇଭୋରଠାରେ ୟୁନେସ୍କୋ ପକ୍ଷରୁ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ କିସ୍‌ର ପ୍ରତିନିଧି ଏହି ପୁରସ୍କାର ଗ୍ରହଣ କରିଥିଲେ । ପୁରସ୍କାର ବାବଦରେ କିସ୍‌କୁ ୨୦ ହଜାର ଆମେରିକୀୟ ଡଲାର ଓ ମେଡ଼ାଲ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଥିଲା | ଏହି ଅନ୍ତର୍ଜାତୀୟ ଶିକ୍ଷା ପୁରସ୍କାର ପାଇବାରେ କିସ୍ ବିଶ୍ବର ପ୍ରଥମ ଜନଜାତି ଅନୁଷ୍ଠାନ ହୋଇଥିବା ବେଳେ ଭାରତର ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନ କ୍ଷେତ୍ରରେ ୫ମ ଅନୁଷ୍ଠାନ ଓ ତୃତୀୟ ଏନ୍‌ଜିଓ । କିସ୍ ହେଉଛି ଭାରତର ଏକମାତ୍ର ଶିକ୍ଷାନୁଷ୍ଠାନ ଯାହାକି ୨୦୧୩ରେ କିସ୍ ମାତୃଭାଷା ଭିତ୍ତିକ ବହୁଭାଷୀ ପ୍ରାଥମିକ ଶ୍ରେଣୀଗୃହ ଶିକ୍ଷାଦାନ ପ୍ରଣାଳୀ ଆରମ୍ଭ କରିଥିଲା । ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିବା ଶିଶୁମାନଙ୍କୁ ସେମାନଙ୍କ କଥିତ ଓ ପ୍ରଚଳିତ ଭାଷାରେ ଶିକ୍ଷାଦାନ କରାଯାଇଥାଏ । ଫଳରେ ସେମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ପାଇଥାଏ | ପର୍ଯ୍ୟୟକ୍ରମେ ସେମାନଙ୍କୁ ବହିରେ ଲିଖିତ ଭାଷା ବ୍ୟବହାର ସହ ଅଭ୍ୟସ୍ତ କରାଯାଇଥାଏ | ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଢିଥାଏ ଏବଂ ଅଧାରୁ ପାଠ ପଢ଼ୁଥିବା ପିଲାଙ୍କ ସଂଖ୍ୟା କମାଇବାରେ ଏହା ଏକ ଅଭିନବ ଓ ସଫଳ ପ୍ରୟାସ | କିସ୍‌ ପ୍ରତିଷ୍ଠା ହେବ ଦିନଠାରୁ ଦୀର୍ଘ ୩୦ ବର୍ଷ ହେଲା ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଏହି ଅନନ୍ୟ ଶିକ୍ଷାଦାନ କୌଶଳ ଆଜି ଏକ ସଫଳ କୌଶଳ ଭାବେ ସମଗ୍ର ବିଶ୍ୱରେ ସ୍ୱୀକୃତି ଲାଭ କରିପାରିଛି | କିସ୍‌ ଏହି ସମ୍ମାନଜନକ ପୁରସ୍କାର ପାଇବା ପରେ ଶ୍ରୀ ସାମନ୍ତ ୟୁନେସ୍କୋକୁ ଧନ୍ୟବାଦ ଜଣାଇଛନ୍ତି | ସେ କହିଛନ୍ତି ବିଶ୍ୱର ଏହି ଶ୍ରେଷ୍ଠ ଶିକ୍ଷା ସମ୍ମାନ ଆମକୁ ଶିକ୍ଷା ମାଧ୍ୟମରେ ଜନଜାତିଙ୍କ ସଶକ୍ତିକରଣ ସହ ଅଧିକରୁ ଅଧିକ ଜନଜାତି ପିଲାମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ଆହୁରି ଉତ୍ସାହିତ କରିବା | ସୂଚନା ଯୋଗ୍ୟ | କିସ୍‌ ଜରିଆରେ 70 ହଜାରରୁ ଉର୍ଦ୍ଧ ଜନଜାତି ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଛନ୍ତି 2015 ରେ କିସ୍‌ ୟୁନେସ୍କୋର ସ୍ପେଶିଆଲ କନ୍ସଲଟିଭ ଷ୍ଟାଟସ ପାଇବାର ଗୌରବ ଅର୍ଜନ କରିଥିଲା |

Leave a Reply

Your email address will not be published. Required fields are marked *