ମା ଙ୍କ ସେବା ନକରିବାରୁ ଏକସଙ୍ଗେ ପତ୍ନୀମାନଙ୍କୁ ଛାଡ଼ପତ୍ର ଦେଲେ ୩ ଭାଇ

ନୂଆଦିଲ୍ଲୀ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଗୋଟିଏ ଘଟଣା ସାମ୍ନାକୁ ଆସିଛି। ଆଲଜେରିଆରେ ୩ ଜଣ ଭାଇ ଗୋଟିଏ ସମୟରେ ନିଜ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଛାଡ଼ପତ୍ର ପାଇଁ ପୂର୍ବରୁ କୌଣସି ପ୍ରକାରର ଆଲୋଚନା କିମ୍ବା ଆଇନଗତ ଲଢ଼େଇ ଚାଲି ନଥିଲା। ମାତ୍ର ଗୋଟିଏ ମିନିଟ୍‌ ମଧ୍ୟରେ ୩ ଭାଇ ସେମାନଙ୍କ ପତ୍ନୀଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ।

ହେଲେ ୩ ଭାଇ କାହିଁକି ଏମିତି କଠୋର ନିଷ୍ପତ୍ତି ନେଲେ? ସେକଥା ଜାଣିବା ଜରୁରୀ। ପ୍ରକୃତରେ ୩ ଭାଇଙ୍କ ବୁଢ଼ୀ ମା’ ଖୁବ ଅସୁସ୍ଥ ଅଛନ୍ତି। ହେଲେ ତାଙ୍କର ଯତ୍ନ ପତ୍ନୀମାନେ ନେଉ ନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ୩ ଭାଇ ଯାକ ମିଳିତ ଭାବେ ଓ ଗୋଟିଏ ସମୟରେ ସେମାନଙ୍କ ପତ୍ନୀମାନଙ୍କ ଠାରୁ ଅଲଗା ହୋଇଯାଇଛନ୍ତି।

ଗଲ୍ଫ ନ୍ୟୁଜିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପୁଅମାନଙ୍କ ତାଗିଦ ସତ୍ତ୍ୱେ ବହୁମାନେ ତାଙ୍କ ଶାଶୁଙ୍କ ଦେଖାଣୁଣା କରୁ ନଥିଲେ। ଏପରି କି ଶାଶୁଙ୍କ ଖାଇବା ପିଇବା କଥା ବି ବୁଝୁ ନଥିଲେ। କିଛି ଦିନ ଏମିତି ଚାଲିଥିଲା। ତେବେ ଗୋଟିଏ ଦିନ ୩ ଭାଇ ଯାକ ଏକାଠି ଅଫିସରକୁ ଘରକୁ ଫେରିଥିଲେ। ଏହି ସମୟରେ ସେମାନଙ୍କ ପଡ଼ୋଶୀ ଭାବେ ରହୁଥିବା ଜଣେ ମହିଳା ବୁଢ଼ୀ ମା’ଙ୍କୁ ଗାଧୋଇ ଦେଉଥିବା ଦେଖିବାକୁ ପାଇଥିଲେ।

ସେଠାରେ ସେମାନଙ୍କ ପତ୍ନୀମାନେ ଉପସ୍ଥିତ ନଥିଲେ। ମା’ଙ୍କ ଏପରି ଅସହାୟ ଅବସ୍ଥା ଦେଖି ପୁଅମାନେ ପ୍ରବଳ ରାଗି ଯାଇଥିଲେ। ଏହାପରେ ସେମାନେ ନିଜ ନିଜ ପତ୍ନୀମାନଙ୍କୁ ଡାକିଥିଲେ। ସେମାନଙ୍କ ସହ କଥା ହେବାର ଗୋଟିଏ ମିନିଟ୍‌ ମଧ୍ୟରେ ୩ ଭାଇ ମିଳିତ ଭାବେ ନିଜ ନିଜ ପତ୍ନୀଙ୍କୁ ତଲାକ ଦେଇ ବିବାହ ସମ୍ପର୍କଚ୍ଛିନ୍ନ କରିଥିଲେ।

ପୂର୍ବରୁ ବୁଢ଼ୀ ମା’ର ସେବା ତାଙ୍କ ଝିଅ କରନ୍ତି। ଝିଅ ଜଣଙ୍କ ସପ୍ତାହକୁ ୨ ଥର ଘରକୁ ଆସିବା ସହ ମା’ଙ୍କୁ ଭଲ ଭାବେ ଗାଧୋଇ ଦେବା ସହ ଖୁଆଇ ଦିଅନ୍ତି। ଏସବୁ ଭିତରେ ତାଙ୍କ ସ୍ୱାମୀ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହି କାରଣରୁ ସେ ମଧ୍ୟ ଆଉ ମା’ଙ୍କ ପାଖକୁ ଆସି ପାରି ନଥିଲେ।

ଝିଅ ନ ଆସିବାରୁ ମା’ଙ୍କ ସମସ୍ୟା ବଢ଼ି ଯାଇଥିଲା। ଏହି ସମୟରେ ୩ ପୁଅ ନିଜ ନିଜ ପତ୍ନୀମାନଙ୍କୁ ମା’ର ସେବା କରିବାକୁ କହିଥିଲେ। ହେଲେ ସେମାନେ ଏହାକୁ ଖାତିର କରି ନଥିଲେ। ଶେଷରେ ଘଟଣା ଛାଡ଼ପତ୍ରରେ ପହଞ୍ଚିଥିବା ରିପୋର୍ଟରେ କୁହାଯାଇଛି।

Leave a Reply

Your email address will not be published. Required fields are marked *