ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାରେ ଗଲାଣି ୩୪ ଜୀବନ

କୋଚି: କେରଳ ପରେ ଉତ୍ତରାଖଣ୍ଡ। ଦେବଭୂମିରେ ଦାଉ ସାଧୁଛି ଦୁର୍ବିପାକ। ଭାରି ବର୍ଷାରେ ବେହାଲ ବଦ୍ରିନାଥ ଧାମ। ନୈନିତାଲରେ କାର୍ ଭାସୁଛି, ନଦୀରେ ହାତୀ ଫସିଛି । ଗୋଲାନଦୀରେ ଧୋଇ ଯାଇଛି ପୋଲ । ଚମ୍ପାଓ୍ୱତ୍ ଚାଲିଥି ନଦୀରେ ବି ନିଶ୍ଚିହ୍ନ ହୋଇଯାଇଛି ନିର୍ମାଣାଧିନ ବ୍ରିଜ୍ । ଘୁ ଘୁ ଗର୍ଜନ କରି ବହୁଛି ନନ୍ଦାକିନୀ ନଦୀ । ଗୋଟିକ ପରେ ଗୋଟିଏ ଭୟାନକ ଦୃଶ୍ୟ ବୟାନ କରୁଛି, ଦେବଭୂମି ଉତ୍ତରାଖଣ୍ଡରେ କିଭଳି କୋପ ଦେଖାଇଛି ଗତକାଲିର ବାଦଲଫଟା ବର୍ଷା । ଏହି ବର୍ଷାରେ ଅଦ୍ୟାବଧି ୩୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ନିଖୋଜ ଅଛନ୍ତି।

ବଦ୍ରିନାଥ ହାଇେଓ୍ୱର ଲାମ୍ବାଡ଼ରେ ଭୂସ୍ଖଳନ ଯୋଗୁଁ କାରଟି ରାସ୍ତା ତଳକୁ ଖସିଯାଇ ଗୋଟିଏ ସ୍ଥାନରେ ଫସିରହିଥିଲା । ବେଶ୍ କିଛି ସମୟର ସଂଘର୍ଷ ପରେ ଜେସିବି ସହାୟତାରେ ଉଦ୍ଧାର କରାଯିବାରୁ ନିଶ୍ଚିତ ମୃତ୍ୟୁ ମୁଖରୁ ଯାତ୍ରୀଙ୍କୁ ରକ୍ଷା କରାଯାଇ ପାରିଛି। ଚମୋଲୀ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ନନ୍ଦାକିନୀ ନଦୀ ଫୁଲିବାରେ ଲାଗିଛି । ରାମନଗର-ରାନୀକ୍ଷେତ ରୁଟ୍‌ରେ ପଡୁଥିବା ଲେମନ୍ ଟ୍ରି ରେସର୍ଟରେ ଶହେରୁ ଉର୍ଦ୍ଧ ଯାତ୍ରୀ ଫସି ରହିଛନ୍ତି ।

କୋଶି ନଦୀର ପାଣି ରିସର୍ଟକୁ ପଶି ଆସିଥିବାରୁ ଏହି ରୁଟ୍‌ରେ ଗମନା ଗମନ ବାଧାପ୍ରାପ୍ତ ହୋଇଛି। ଗତକାଲି ଏସ୍ଡିଆରଏଫ ଏବଂ ରାଜ୍ୟ ପୋଲିସ ଜଙ୍ଗଲ ଭିତରୁ ୨୨ରୁ ଅଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ଏମାନେ କେଦାରନାଥଙ୍କ ଦର୍ଶନ ପାଇଁ ଯାଉଥିଲେ। ରାଜ୍ୟର ସ୍ଥିତି ସଂପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଋଷିକେଶକୁ ସଂଯୋଗ କରୁଥିବା ଚନ୍ଦ୍ରଭାଗା ବ୍ରିଜ୍, ତପୋବନ, ଲକ୍ଷ୍ମଣ ଝୁଲା, ମୁନି-କି-ରେତି ଓ ଭଦ୍ରକାଳୀରେ ଯାତ୍ରା କଟକଣା ଲାଗୁ ହୋଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଆକାଶ ମାର୍ଗରୁ ସ୍ଥିତି ପରଖିଛନ୍ତି। ହିମାଚଳ ପ୍ରଦେଶରେ ବି ଦାଉ ସାଧୁଛି ପ୍ରକୃତି । ସେପଟେ କେରଳରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ବର୍ଷା ଥମି ନାହିଁ । ପୁଣି ୧୧ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର ୧୦ଟି ଡ୍ୟାମ୍ ପାଇଁ ସରକାର ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛନ୍ତି ।

Loading

Leave a Reply

Your email address will not be published. Required fields are marked *