ସମଗ୍ର ଦେଶରେ ଗଡିବ ୪୦୦ ‘ବନ୍ଦେ ଭାରତ’ ଦ୍ରୁତଗାମୀ ଟ୍ରେନ୍‌

ଭୁବନେଶ୍ୱର : ସମଗ୍ର ଦେଶରେ ୪୦୦ ‘ବନ୍ଦେ ଭାରତ’ ଦ୍ରୁତଗାମୀ ଟ୍ରେନ୍‌ ଗଡ଼ିବା ନେଇ ବଜେଟ୍‌ରେ ଘୋଷଣା ହୋଇଛି। ଏଥିରେ ଓଡ଼ିଶା ରହିଛି। ଅର୍ଥାତ ଓଡ଼ିଶାରେ ମଧ୍ୟ ‘ବନ୍ଦେ ଭାରତ’ ଟ୍ରେନ୍‌ ଗଡ଼ିବ ବୋଲି ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି।

ନୂଆଦିଲ୍ଲୀରେ ଶ୍ରୀ ବୈଷ୍ଣବ କହିଛନ୍ତି, ରେଳ କ୍ଷେତ୍ରରେ ଓଡ଼ିଶାକୁ ରେକର୍ଡ ଅନୁଦାନ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଯେତିକି ଅନୁଦାନ ମାଗିଥିଲେ, ତାଠାରୁ ଯଥେଷ୍ଟ ଅଧିକ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ୭,୬୦୦ କୋଟି ଅନୁଦାନ ଦାବି କରିଥିବା ବେଳେ କେନ୍ଦ୍ର ଦେଇଛି ୯, ୭୩୪ କୋଟି ବୋଲି ସେ କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ରେଲୱେ ଇତିହାସରେ ସର୍ବାଧିକ ଅନୁଦାନ ଏଥର ଓଡ଼ିଶାକୁ ଦିଆଯାଇଛି। ଯାହାକି ୟୁପିଏ ସରକାର ଅମଳରେ ମିଳିଥିବା ଅନୁଦାନଠାରୁ ୧୦ ଗୁଣା ଅଧିକ। ୨୦୦୯ରୁ ୧୪ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୮୩୮ କୋଟି ଅନୁଦାନ ମିଳିଥିଲା। ନରେନ୍ଦ୍ର ମୋଦି ସରକାର ଆସିବା ପରେ ୨୦୧୪ରୁ ୧୯ ମସିହା ପର୍ଯ୍ୟନ୍ତ ବର୍ଷକୁ ହରାହାରି ୪,୧୨୬ କୋଟି ଦେଲେ। ଏହାପରେ ୨୦୧୯-୨୦ରେ ୪୫୬୮ କୋଟି, ୨୦-୨୧ରେ ୫୨୯୬ କୋଟି, ୨୧- ୨୨ରେ ୬୪୭୧ କୋଟି ଟଙ୍କା ଦିଆଯାଇଥିଲା ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

କଳହାଣ୍ଡି ରେଳ ଓ୍ୱାଗନ ଫ୍ୟାକ୍ଟ୍ରି ସଂପର୍କରେ ଶ୍ରୀ ଅଶ୍ୱିନୀ କହିଛନ୍ତି, ଏହି ପ୍ରକଳ୍ପ ଲାଗି ୫୦ ପ୍ରତିଶତ ଜମି ଅଧିଗ୍ରହଣ ସରିଛି। ରାଜ୍ୟ ସରକାର ବଳକା ଜମି ଯୋଗାଇ ଦେଲେ, କାମ ଆରମ୍ଭ ହେବ। ଇଚ୍ଛାଶକ୍ତି, ଜମି ଅଧିଗ୍ରହଣ, ଫରେଷ୍ଟ କ୍ଲିୟରାନ୍ସ ଓ ଅନୁଦାନ ମିଳିଲେ ପ୍ରକଳ୍ପ କାମ ଆଗେଇଥାଏ। ରାଜ୍ୟ ସରକାରଙ୍କ ସହଯୋଗ ବଢ଼ିଲେ ରେ କ୍ଷେତ୍ରରେ ଦ୍ରୁତ ବିକାଶ ହୋଇପାରିବ ବୋଲି ରେଳମନ୍ତ୍ରୀ କହିଛନ୍ତି।

ଏଥର ବଜେଟ୍‌ରେ ନୂଆ ରେଳ ଲାଇନ ବାବଦକୁ ୧୮୦୬ କୋଟି, ଡବ୍ଲିଂ ଲାଗି ୩, ୬୪୩ କୋଟି, ଟ୍ରାକ୍ ରିନ୍ୟୁଆଲ୍‌ ପାଇଁ ୪୫୬ କୋଟି, ରେଲ୍‌ ଓଭର୍ବ୍ରିଜ୍ ପାଇଁ ୩୯୬ କୋଟି, ଇଲେକଟ୍ରିକ୍‌ ଓ୍ୱାର୍କ ଲାଗି ୬୫୬ କୋଟି, ଲିଜ୍‌ ଚାର୍ଜ ବାବଦକୁ ୮୯୩ କୋଟି, ଯାତ୍ରୀଙ୍କ ସୁବିଧା ଲାଗି ୩୦୪ କୋଟି ମିଳିଛି।

ସେହିପରି ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ଦିଆଯାଇଥିବା ବେଳେ ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ରେଳ ଲାଇନକୁ ମଂଜୁରୀ ମିଳିଛି। ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟରୁ ଅନୁଗୋଳ-ସୁକିନ୍ଦା ପାଇଁ ୪୭୫ କୋଟି ଓ ତାଳଚେର-ବିମଳାଗଡ଼ ପ୍ରକଳ୍ପ ପାଇଁ ୨୫୦ କୋଟି ଅନୁଦାନ ଦିଆଯାଇଛି।

Leave a Reply

Your email address will not be published. Required fields are marked *