ନେପାଳ ବିମାନ ଦୁର୍ଘଟଣାରେ ଥି​‌ଲେ ୫ ଭାରତୀୟ; ମୃତ୍ୟୁସଂଖ୍ୟା ୪୨କୁ ବୃଦ୍ଧି

ନେପାଳ: ବଢ଼ୁଛି ନେପାଳ ବିମାନ ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁସଂଖ୍ୟା । ପ୍ରଥମେ ୧୬ ପରେ ୩୨ ଏବଂ ବର୍ତ୍ତମାନ ସୁଦ୍ଧା ୪୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଛି । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ବିମାନଟିରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରୁ ଥିବା ବେଳେ ଯାତ୍ରୀ ମାନଙ୍କୁ ଏବେ ବି ଉଦ୍ଧାରକାରୀ ମାନେ ଉଦ୍ଧାର କରୁଛନ୍ତି ।

ସେପଟେ ଦୁର୍ଘଟଣାକୁ ନେଇ ଆଉ ଏକ ବଡ଼ ଖବର ଆସିଛି । ସୂଚନା ମୁତାବକ ଦୁର୍ଘଟଣାଗ୍ରସ୍ତ ବିମାନରେ କେବଳ ନେପାଳ ନାଗରିକ ନୁହଁନ୍ତି ଭାରତ ଓ ଅନ୍ୟ ବିଦେଶରୁ ଆସିଥିବା ନାଗରିକ ମାନେ ଯାତ୍ରା କରୁଥିବା ଜଣାପଡ଼ିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନରେ ୫ଜଣ ଭାରତୀୟ ନାଗରିକ ଥିବା ସୂଚନା ଦିଆଯାଇଛି । ତାହାସହ ୧୪ ଜଣ ବିଦେଶୀ ନାଗରିକ ଥିବା ଜଣାପଡ଼ିଛି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାକୁ ଲାଗିଛି । ବିମାନରେ ମୋଟ୍‌ ୭୨ଜଣ ଯାତ୍ରା କରୁଥିବା ବେଳେ ୬୮ ଜଣ ଯାତ୍ରୀ ଏବଂ ୪ଜଣ କ୍ରିଉ ମେମ୍ବର ଥିଲେ ବୋଲି କୁହାଯାଇଛି ।

ଏବେ ବି ବିମାନଟିରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରୁଛି । ଯାତ୍ରୀ ମାନଙ୍କୁ ଉଦ୍ଧାରକାରୀ ମାନେ ଉଦ୍ଧାର କରୁଛନ୍ତି । ସୂଚନା ଥାଉ କି ନେପାଳ ପୋଖରା ବିମାନବନ୍ଦରରେ ବିମାନଟି ଅବତରଣ ବେଳେ ହୁତୁହୁତୁ ହୋଇ ଜଳିଯାଇଥିଲା । ବିମାନ ଦୁର୍ଘଟଣା ହେବା ପରେ ବିମାନବନ୍ଦରକୁ ଯାତ୍ରୀଙ୍କ ପାଇଁ ବନ୍ଦ କରାଯାଇଛି । କୁହାଯାଉଛି କି, ବିମାନଟି ଖରାପ ପାଗ ଯୋଗୁଁ ଏକ ପାହାଡରେ ଦୁର୍ଘଟଣା ହୋଇଥିଲା ।

Leave a Reply

Your email address will not be published. Required fields are marked *