ଖୋର୍ଦ୍ଧା NH-16 ପିତାପଲ୍ଲି ଛକ ନିକଟରେ ଦୁର୍ଘଟଣା; ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ପିକ୍‌ଅପ ଭ୍ୟାନ୍‌ , ୨ ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧ ଜିଲ୍ଲା ପିତାପଲ୍ଲୀ ଛକରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ପଛରୁ ଧକ୍କା ଦେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିନାହିଁ।

ଆଜି ସକାଳେ ଖୋର୍ଦ୍ଧାରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ଟି ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ପିତାପଲ୍ଲୀ ଛକର ରାସ୍ତାକଡ଼ରେ ଏକ ଟ୍ରକ୍‌ଟି ଠିଆ ହୋଇଥିଲା। ପିକ୍‌ଅପ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ପିକ୍‌ଭ୍ୟାନ୍‌ରେ ଥିବା ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା। ହେଲେ ଟ୍ରକ୍ ଡ୍ରାଇଭର ଓ ହେଲପରଙ୍କର କିଛି ହୋଇ ନଥିଲା। କଟର ସାହାଯ୍ୟରେ କଟାଯାଇ ୨ଜଣ ମୃତକଙ୍କୁ ଗାଡ଼ି ଭିତରରୁ ବାହାର କରାଯାଇଥିଲା।

ପିକ୍‌ଅପ୍‌ ଭ୍ୟାନଟି ମାଛ ଯାଆଁଳ ଆଣିବା ପାଇଁ ଭୁବେଶ୍ୱର ଯାଉଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଦୁର୍ଘଟଣାରେ ପିକ୍‌ଅପ୍‌ ଭ୍ୟାନର ସମ୍ମୁଖ ଅଂଶଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *