ଅଭିନେତା ପୁନୀତ ରାଜକୁମାରଙ୍କ ହୃଦ୍‌ଘାତରେ ପରଲୋକ

ବେଙ୍ଗାଲୁରୁ: କନ୍ନଡ଼ ଅଭିନେତା ପୁନୀତ ରାଜକୁମାରଙ୍କ ପରଲୋକ ହୋଇଯାଇଛି। ହୃଦ୍‌ଘାତରେ ଶିକାର ହୋଇ ବେଙ୍ଗାଲୁରୁର ଏକ ହସ୍‌ପିଟାଲ୍‌ରେ ଆଜି ଭର୍ତ୍ତି ହୋଇଥିବା ବେଳେ ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ଆଜି ସକାଳ ସାଢ଼େ ୧୧ଟାରେ ପୁନୀତ୍‌ଙ୍କ ଛାତିରେ ଖୁବ୍ ଜୋରରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ବେଙ୍ଗାଲୁରୁ ସ୍ଥିତ ବିକ୍ରମ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣାପଡ଼ିଲା ଯେ ତାଙ୍କର ହୃଦ୍‌ଘାତ ହୋଇଥିଲା। ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ତେବେ ସେମାନଙ୍କର ସମସ୍ତ ପ୍ରୟାସ ସତ୍ତ୍ୱେ ଆଖି ବୁଜିଥିଲେ ପୁନୀତ ରାଜକୁମାର।କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସଭରାଜ ଏସ୍‌ ବୋମ୍ମାଇ ମଧ୍ୟ ହସ୍‌ପିଟାଲ୍‌ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଡାକ୍ତରମାନଙ୍କୁ ପଚାରି ବୁଝିଥିଲେ।ପୁନୀତ୍‌ଙ୍କୁ ଫ୍ୟାନ୍‌ମାନେ ଆପୁ ବୋଲି ସମ୍ବୋଧନ କରନ୍ତି। ସେ ହେଉଛନ୍ତି କନ୍ନଡ଼ର ପ୍ରଖ୍ୟାତ ଅଭିନେତା ରାଜକୁମାରଙ୍କ ପୁଅ। ସେ ଏଯାବତ ୨୯ଟି କନ୍ନଡ଼ ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି। ପୁନୀତ୍ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୫ରେ ସେ ଶ୍ରେଷ୍ଠ କଳାକାର ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେ ଶ୍ରେଷ୍ଠ ଶିଶୁ କଳାକାର ଭାବେ କର୍ଣ୍ଣାଟକା ରାଜ୍ୟ ପୁରସ୍କାର ପାଇଥିଲେ। ୨୦୦୨ରେ ସେ ଆପ୍ପୁ ଫିଲ୍ମରେ ପ୍ରଥମ ଥର ହିରୋ ହୋଇଥିଲେ। ସେହିଦିନଠାରୁ ଫ୍ୟାନ୍‌ମାନେ ତାଙ୍କୁ ଆପ୍ପୁ ସମ୍ବୋଧିତ କରନ୍ତି। ଶେଷଥର ପାଇଁ ଚଳିତ ବର୍ଷ ତାଙ୍କୁ ‘ଯୁବରତ୍ନ’ ଫିଲ୍ମରେ ଦେଖିଥିଲେ ଦର୍ଶକ।

Leave a Reply

Your email address will not be published. Required fields are marked *