ପାକିସ୍ତାନ ସୀମାରେ ଆଫଗାନ ସୁରକ୍ଷାକର୍ମୀଙ୍କ ଆଖିବୁଜା ଗୁଳିମାଡ଼, ୬ ଜଣଙ୍କ ମୃତ୍ୟୁ

ଇସଲାମାବାଦ: ଆଫଗାନିସ୍ତାନ ସୀମାକୁ ଲାଗିଥିବା ପାକିସ୍ତାନର ବାଲୋଚିସ୍ତାନ ଅନ୍ତର୍ଗତ ଚମନ ଜିଲ୍ଲାରେ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି। ଏହି ସମୀନ୍ତ ଅଞ୍ଚଳରେ ଆଫଗାନ ସୁରକ୍ଷାକର୍ମୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୬ ଜଣ ପାକିସ୍ତାନୀ ପ୍ରାଣ ହରାଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି।

ପାକିସ୍ତାନ ସେନାର ମିଡିଆ ୱିଙ୍ଗ ଆଇଏସ୍‌ପିଆର କହିଛି ଯେ ବିଭିନ୍ନ ପ୍ରକାରର ବନ୍ଧୁକ, ତୋପ ଓ ମୋର୍ଟାର ଜରିଆରେ ଆଫଗାନ ଫୋର୍ସ ଆକ୍ରମଣ କରିଥିଲା। ଆଫଗାନ ବର୍ଡ ଫୋର୍ସ ପକ୍ଷରୁ ସୀମାନ୍ତରେ ଥିବା ଜନବସତିକୁ ଟାର୍ଗେଟ କରି ଆଖିବୁଜା ଓ ଅବିଶ୍ରାନ୍ତ ଗୁଳି ବର୍ଷା କରାଯାଇଛି।

ଏଥିରେ ୬ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ଗୁରୁତର ଅବସ୍ଥାରେ ୧୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ପୂରା ଅଞ୍ଚଳକୁ କର୍ଡନ କରିଥିବା ବେଳେ ପାକିସ୍ତାନ ସେନା ଏହି ଗୁଳିମାଡ଼ର ଜବାବ ଦେଇଛନ୍ତି। ଏଥିସହ ପାକିସ୍ତାନ ସରକାର କାବୁଲରେ ଆଫଗାନ ଅଧିକାରୀଙ୍କୁ ଭେଟି ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଭବିଷ୍ୟତରେ ଘଟଣାର ପୁନରାବୃତ୍ତି ଯେମିତି ନହେବ, ସେଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ସରକାର ଦାବି କରିଛନ୍ତି।

ତେବେ କାହିଁକି ଏପରି ଗୁଳିମାଡ଼ କରାଗଲା, ସେକଥା ଏଯାଏ ସ୍ପଷ୍ଟ ହୋଇନି। ସେହିପରି ପାକିସ୍ତାନର ପାଲଟା ଆକ୍ରମଣରେ ଆଫଗାନିସ୍ତାନରେ କ’ଣ କ୍ଷୟକ୍ଷତି ହୋଇଛି, ସେକଥା ମଧ୍ୟ ଜଣାପଡ଼ିନି।

Leave a Reply

Your email address will not be published. Required fields are marked *