ସିନେମା ହଲ ଉପରେ ରୁଷର ବୋମା ମାଡ଼ ; ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

କିଭ୍ : ୟୁକ୍ରେନ ଉପରେ ରୁଷର ହମଲା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏବେ ରୁଷ ସେନା ସାଧାରଣ ଲୋକଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି। ଏହିକ୍ରମରେ ୟୁକ୍ରେନର ପୋର୍ଟ ସହର ମାରିୟୁପୋଲରେ ଥିବା ଗୋଟିଏ ସିନେମା ହଲ ଉପରେ ରୁଷ ପକ୍ଷରୁ ଘନଘନ ବୋମା ମାଡ଼ କରାଯାଇଛି। ଏଥିରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି।

ଗତ ସପ୍ତାହରେ ହିଁ ରୁଷ ପକ୍ଷରୁ ମାରିୟୁପୋଲରେ ଥିବା ହଲ ଉପରେ ହମଲା କରାଯାଇଥିଲା। ମାରିୟୁପୋଲ ସିଟି ହଲ୍ ଟେଲିଗ୍ରାମରେ ଲେଖିଛି ଯେ ସହରର ବିଭିନ୍ନ ଆବାସିକ ଅଞ୍ଚଳରେ ରୁଷ ଏୟାରଷ୍ଟ୍ରାଇକ କରିଥିଲା। ଫଳରେ ଲୋକମାନେ ଘର ଛାଡ଼ି ସିନେମା ହଲ ଓ ଅନ୍ୟାନ୍ୟ ସ୍ଥାନରେ ଆଶ୍ରୟ ନେଇଥିଲେ। ମାରିୟୁପୋଲର ଡ୍ରାମା ଥିଏଟରରେ ମଧ୍ୟ ୩୦୦ରୁ ଅଧିକ ଲୋକ ରହୁଥିଲେ। ହେଲେ ରୁଷ ସେନା ଯୁଦ୍ଧ ବିମାନରୁ ହଲକୁ ଟାର୍ଗେଟ କରି ବୋମା ମାଡ଼ କରିଥିଲା। ଫଳରେ ହଲଟି ସଂପୂର୍ଣ୍ଣ ଭାବେ ମାଟିରେ ମିଶି ଯାଇଛି। ପ୍ରଥମେ ଶତାଧିକ ଲୋକ ଏହା ମଧ୍ୟରେ ଫସି ରହିଥିବା ଖବର ମିଳିଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି।
ମାଡ଼ରେ ସ୍ଥାନୀୟ ଅଞ୍ଚଳରେ ଥିବା କିଛି ଘର ମଧ୍ୟ ମାଟିରେ ମିଶି ଯାଇଛି। ପ୍ରତ୍ୟକ୍ଷଦର୍ଶୀମାନେ ଏକଥା ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଅବଗତ କରାଇଥିବା ହଲ ପକ୍ଷରୁ ସୂଚନା ଦିଆଯାଇଛି।

ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ମାସେ ଅତିକ୍ରମ କରିସାରିଲାଣି। ଫେବୃଆରୀ ୨୪ ତାରିଖ ସକାଳ ସମୟରୁ ହିଁ ରୁଷ ସେନା ୟୁକ୍ରେନ ଉପରେ ହମଲା ଜାରି ରଖିଛନ୍ତି। ଏହି ମାସକ ମଧ୍ୟରେ ରୁଷର ବୋମା ମାଡ଼ରେ ୟୁକ୍ରେନର ପ୍ରମୁଖ ସହର ଗୁଡ଼ିକ ଧ୍ୱଂସସ୍ତୂପରେ ପରିଣତ ହୋଇଗଲାଣି। ତଥାପି ୟୁକ୍ରେନ ସେନା ହାର ନ ମାନି ଲଢ଼େଇ କରି ଚାଲିଛନ୍ତି।

Leave a Reply

Your email address will not be published. Required fields are marked *