ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟରେ ଓଡିଆ ବିଭାଗର ପ୍ରାକ୍ତନ ଛାତ୍ରୀ ମିଳନ ପର୍ବ

ଭୁବନେଶ୍ୱର : ଏକ ଅନୁଷ୍ଠାନ ଯେତେବେଳେ ଏକ ବଟବୃକ୍ଷରେ ପରିଣତ ହୁଏ ସେତେବେଳେ ତା’ର ଡାଳପତ୍ର ତଥା ଓହଳ ସାଜିଥାନ୍ତି ସେଇ ବିଭାଗର ଛାତ୍ରୀଗଣ । ଅନୁରୂପ ଭାବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡିଆ ଭାଷା-ସାହିତ୍ୟ ବିଭାଗଟି ଦୀର୍ଘ ପାଞ୍ଚଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି ନିଜର ଗୁଣାତ୍ମକତା ମାଧ୍ୟମରେ ଏକ ବଟବୃକ୍ଷ ଏବଂ ସାରସ୍ଵତ ଅନୁଷ୍ଠାନରେ ପରିଣତ ହୋଇସାରିଛି ବୋଲି ଏହି ସଭାର ସଭାପତି ଭାବରେ ବିଶିଷ୍ଟ କବି ଡ଼ ପ୍ରତିଭା ଶତପଥୀ ଭୂରି ଭୂରି ପ୍ରଶଂସା କରିଥିଲେ । ୧୯୬୯ ମସିହାରୁ ମହାବିଦ୍ୟାଳୟ ସ୍ତରରେ ଏବଂ ୨୦୧୫ ମସିହାରୁ ବିଶ୍ଵ ବିଦ୍ୟାଳୟ ସ୍ତରରେ ଓଡିଆ ଭାଷା ସାହିତ୍ୟ ବିଭାଗର ସ୍ନାତକ ତଥା ସ୍ନାତକୋତ୍ତର ଛାତ୍ରୀଗଣ ନିଜନିଜ କ୍ଷେତ୍ର, ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଛନ୍ତି । କଳା,ସଙ୍ଗୀତ,ନୃତ୍ୟ,ସାହିତ୍ୟ,ଅଭିନୟ,ପ୍ରଶାସନ,ରାଜନୀତି ତଥା ଶିଳ୍ପଭଳି ମହତ୍ତ୍ୱପୂର୍ଣ ବିଭାଗରେ ରମାଦେବୀ ଓଡିଆ ବିଭାଗର ଛାତ୍ରୀଗଣ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି । ପ୍ରାକ୍ତନ ଛାତ୍ରୀ ମିଳନ ଅତୀତକୁ ବର୍ତ୍ତମାନ ସହିତ ଯୋଡିବାର ଏକ ସୁନ୍ଦର ବାହାନା ମାତ୍ର, ଯାହାଦ୍ଵାରା ବିଗତ ସ୍ମୃତି, ଅନୁଭୂତି, ଉପଲବ୍ଧି ତଥା ଆତ୍ମପ୍ରତିଷ୍ଠାର ଅନେକ ପଦକ୍ଷେପକୁ ବର୍ତ୍ତମାନର ନୂତନ ପିଢିର ଛାତ୍ରୀମାନଙ୍କ ଶିକ୍ଷା ସହିତ ସଂଯୋଗ କରିପାରିବ ବୋଲି ଏଥିରେ ଉଦ୍ଘାଟକ ଭାବରେ ଯୋଗଦେଇ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଚଣ୍ଡିଚରଣ ରଥ କହିଥିଲେ । ଓଡିଆ ବିଭାଗର ଏହି ପ୍ରାକ୍ତନ ଛାତ୍ରୀ ମିଳନ ପର୍ବ -୨୦୨୩ ର ଆଭିମୁଖ୍ୟ ସୁଦୂର ପ୍ରସାରୀ । ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ତଥା କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପରାମର୍ଶ ଶିକ୍ଷା କ୍ଷେତ୍ରରେ ଏଭଳି ଅଭିନବ ପ୍ରୟାସ ପ୍ରଶଂସନୀୟ । ମୁଖ୍ୟବକ୍ତା ଜ୍ୟୋତ୍ସ୍ନା ଦାସ ଏହାକୁ ‘ସ୍ମୃତିର ମହାମିଳନ’ ବୋଲି ଅଭିହିତ କରିଥିଲେ । ଅତୀତ,ବର୍ତମାନ ଏବଂ ଭବିଷ୍ୟତର ସଂଯୋଗ ସେତୁ ଭାବରେ ଓଡିଆ ବିଭାଗକୁ ପ୍ରଶଂସା କରିଥିଲେ ଡ଼ ସେବତୀ ମିଶ୍ର ଏବଂ ଏହି ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପିକା ପ୍ର. ବିଷ୍ଣୁପ୍ରିୟା ଓତା ପ୍ରାକ୍ତନ ଛାତ୍ରୀମାନଙ୍କୁ ସାକ୍ଷାତ କରିବା ଜୀବନରେ ଅତୀତର ବିନ୍ଦୁକୁ ଫେରିବା ଓ ସାହିତ୍ୟର ପ୍ରକୃତ ସ୍ୱରୂପ ସମ୍ପର୍କରେ ଡ଼ ସ୍ନେହସୁଧା ମିଶ୍ର ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ରମାଦେବୀ ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟ ସ୍ତରରେ ଓଡିଆ ବିଭାଗର ଏହି ପର୍ବରେ ୧୯୯୨ ମସିହାର ପ୍ରାୟ ୨୦ ଜଣ ଛାତ୍ରୀ ତଥା ପରବର୍ତ୍ତୀ ସମୟରେ ଅଧ୍ୟୟନ କରିଥିବା ପ୍ରାୟ ୫୦ ରୁ ଉର୍ଦ୍ଧ୍ଵ ଛାତ୍ରୀଗଣ ଯୋଗ ଦେଇଥିଲେ । ତପସ୍ଵିନୀ ପଣ୍ଡା, ରସ୍ମିତା ମଲ୍ଲିକ, ଗାୟତ୍ରୀ ପୃଷ୍ଟି, ଶକୁନ୍ତଳା ମହାପାତ୍ର, ସୌଦାମିନୀ ମହାପାତ୍ର ପ୍ରମୁଖ ପ୍ରାକ୍ତନ ଛାତ୍ରୀମାନେ ଉପସ୍ଥିତ ରହି ନିଜର ଅନୁଭୂତି ବାଣ୍ଟିଥିଲେ । ବିଭାଗର ଅନ୍ୟତମ ଭିଜିଟିଙ୍ଗ୍ ଅଧ୍ୟାପକ ଡ଼ ପ୍ରଦୀପ୍ତ କୁମାର ଦାସ ପିଲାଙ୍କୁ ପ୍ରୋତ୍ସାହନ ଦେଇଥିଲେ । ଏହି ପ୍ରାକ୍ତନ ଛାତ୍ରୀ ମିଳନ ପର୍ବରେ ମଞ୍ଚ ପରିଚାଳନା ଓ ସଂଯୋଜନା ଅଧ୍ୟାପିକା ଡ଼ ପୁଷ୍ପିତା ଶୁକ୍ଳ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ବିଭାଗ ମୁଖ୍ୟ ଡ଼ ସଂଘମିତ୍ରା ଭଞ୍ଜ । ବିଭାଗର ଦୁଇ ଛାତ୍ରୀ ସୁନିତା ସାହୁ, ଦେବସ୍ମିତା ନାୟକ ପ୍ରାର୍ଥନା ପରିବେଷଣ କରିଥିବାବେଳେ ସ୍ୱରୂପା ସୁତାର, ଲିଜା ସେଠୀ ଏବଂ ଭାଗ୍ୟଶ୍ରୀ ଦାସ ରଙ୍ଗାରଙ୍ଗ ନୃତ୍ୟ ପ୍ରଦର୍ଶନ କରିଥିଲେ । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିଭାଗର ଅଧ୍ୟାପିକା ଅପରାଜିତା ମହାରଣା ।

Leave a Reply

Your email address will not be published. Required fields are marked *