ଅନ୍ଦୁଳି ପ୍ରାଥମିକ ବିଦ୍ୟାଳୟ ଶତବାର୍ଷିକୀ ପାଳନ କମିଟି ବୈଠକ

କେନ୍ଦ୍ରାପଡା : ମହାକାଳପଡା ବ୍ଲକ ଅନ୍ତର୍ଗତ ଅନ୍ଦୁଳି ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ପାଳନ ନିମନ୍ତେ ସ୍ଥାନୀୟ ଅନ୍ଦୁଳି ମଠ ଠାରେ ବିଶିଷ୍ଟ ଶିକ୍ଷାବିତ୍, ପ୍ରାବନ୍ଧିକ, କଥାକାର, ଔପନ୍ୟାସିକ ତଥା ସ୍ତମ୍ଭକାର ପ୍ରଫେସର ଡକ୍ଟର ବାସନ୍ତୀ ମହାନ୍ତିଙ୍କ ପୌରହିତ୍ୟରେ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପୁରାତନ ଛାତ୍ରଛାତ୍ରୀ,ଶିକ୍ଷାବିତ୍ ଓ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଶତବାର୍ଷିକୀ ଉତ୍ସବ ପାଳନ ସହ ଅଂଚଳରେ ଶିକ୍ଷାର ବିକାଶ ଓ ସମାଜ କଲ୍ୟାଣ ନିମନ୍ତେ ଆଲୋଚନା ହୋଇଥିଲା। ବିଶିଷ୍ଟ କବି ଓ ସ୍ତମ୍ଭକାର ତଥା ପୂର୍ବତଟ ରେଳପଥର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ନିରାକାର ଦାସ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ କଳା,ସାହିତ୍ଯ, ସଂଗୀତ, ନୃତ୍ଯ,ବିତର୍କ ଇତ୍ୟାଦି ପ୍ରତିଯୋଗିତା କରାଯିବା ସହ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିସହ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଓ ମାଗଣା ସ୍ବାସ୍ଥ୍ଯ ପରୀକ୍ଷା କ୍ୟାମ୍ପ୍ ଇତ୍ୟାଦି ଆୟୋଜିତ କରାଯିବ ବୋଲି ମଧ୍ଯ ଏହି ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏହି ଅବସରରେ ଶତବାର୍ଷିକୀ ପାଳନ କମିଟି ଗଠନ କରାଯାଇଥିଲା। ଡକ୍ଟର ବାସନ୍ତୀ ମହାନ୍ତିଙ୍କୁ କମିଟିର ଅଧ୍ୟକ୍ଷା ଭାବେ ନିର୍ବାଚିତ କରାଯାଇଥିବାବେଳେ ବିଶିଷ୍ଟ କବି ନିରାକାର ଦାସ ଓ ବରିଷ୍ଠ ପତ୍ରକାର ଅରୁଣ କାନୁନଗୋ ଉପ ସଭାପତି, କ୍ଷୀରୋଦ ବେହେରା ସଂପାଦକ, ନିରାକାର ମଥାନ ସହ ସଂପାଦକ ଓ ମଠର ମହନ୍ତ ଶ୍ରୀନିଗମାନନ୍ଦ ଦାସଙ୍କୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଉତ୍ସବକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *