କବି ରବୀନ୍ଦ୍ରନାଥ ରାଉତରାୟଙ୍କ କବିତା ପୁସ୍ତକ ‘ପ୍ରିୟାର ପଣତ’ ଲୋକାର୍ପିତ
ଭୁବନେଶ୍ୱର : କବି ରବୀନ୍ଦ୍ରନାଥ ରାଉତରାୟଙ୍କ କବିତା ପୁସ୍ତକ ‘ ପ୍ରିୟାର ପଣତ ‘ ଲୋକାର୍ପଣ ହୋଇ ଯାଇଅଛି | ଶିଳାଶ୍ରୀ ସାହିତ୍ୟ ସଂସ୍କୃତି ପରିଷଦ ସହଯୋଗରେ ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ କବି, ପ୍ରଶାସନ (ଡଃ) ରବିନାରାୟଣ ସେନାପତି ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବକୁ ଉଦ୍ଘାଟନ କରିଥିଲେ |
ଏହି ଅବସରରେ କବି ରବୀନ୍ଦ୍ରନାଥ ରାଉତରାୟ ତାଙ୍କର ଲେଖକୀୟ ଅଭିମତରେ କହିଥିଲେ କି, ଏହି କବିତା ପୁସ୍ତକଟି ତାଙ୍କ ଜୀବନର ପ୍ରେମ ପୃଷ୍ଠାର ସ୍ମୃତି ଅନୁଭୂତିକୁ ନେଇ ରଚିତ | ବର୍ଷା ଭିଜା ଶ୍ରାବଣ ଓ ଆନମନା ଫଗୁଣର ଭାବନାକୁ ଶବ୍ଦରେ ଯାହା ସଜେଇ ଦେଇଛନ୍ତି | ଯଦି ପ୍ରୀତି ମନସ୍କ ପାଠକ ତାହା ପସନ୍ଦ କରିବେ ତେବେ ତାଙ୍କ ପରିଶ୍ରମ ସାର୍ଥକ ହେବ | ଭିନ୍ନ ଭିନ୍ନ ଆବେଗ ଓ ପରିବେଶରେ ଲେଖା ଯାଇଥିବା ଏହି ଲେଖା ସବୁ ତାଙ୍କ ପ୍ରିୟତମା ପତ୍ନୀ ସଚଳାଙ୍କୁ ସେ ଉତ୍ସର୍ଗ କରିଛନ୍ତି ବୋଲି କହିଥିଲେ |
ସଭାରେ ଉପସ୍ଥିତ ଥିବା ପୁଣ୍ୟ ଉତ୍କଳର ଉପାଧ୍ୟକ୍ଷ ଶ୍ରୀ ମୁରଲିଧର ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ |
ମୁଖ୍ୟ ବକ୍ତା ପୁଣ୍ୟ ଉତ୍କଳର ପ୍ରତିଷ୍ଠାତା କବି, ପ୍ରଶାସକ ଡ଼ ମନୋରଞ୍ଜନ ମହାପାତ୍ର ପୁସ୍ତକ ସମୀକ୍ଷା କରି କହିଥିଲେ କି, କବି ରବୀନ୍ଦ୍ରନାଥଙ୍କ ପୁସ୍ତକ ‘ ପ୍ରିୟାର ପଣତ ‘ ଜୀବନ ଅନୁଭବର ଏକ ଶବ୍ଦ ରୂପ | ଏହି ପୁସ୍ତକରେ ଥିବା ୯୮ଟି ପ୍ରେମ କବିତା କବି ରବୀନ୍ଦ୍ରନାଥଙ୍କ ମଧୁମୟ ମୁହୂର୍ତ୍ତର ପ୍ରତିଛବି ବୋଲି ସେ କହିଥିଲେ |
ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଡଃ. ବିପିନ ବିହାରୀ ମିଶ୍ର, ପ୍ରଫେସର (ଡଃ)ପାର୍ଥସାରଥୀ ଅଜୟ ବାରିକ,ପ୍ରଶାସକ ଦେବେନ୍ଦ୍ର ପ୍ରସାଦ ଦାଶ ଯୋଗ ଦେଇଥିଲେ |
ସଭାପତି ପ୍ରଫେସର ଉପେନ୍ଦ୍ର ପ୍ରସାଦ ନାୟକ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଡଃ ନମିତା ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ |