ଚଳିତ ବର୍ଷର ମର୍ଯ୍ୟାଦାଜନକ ମଦର ସମ୍ମାନରେ ସମ୍ମାନିତ ହେଲେ ଜଣାଶୁଣା ଶିକ୍ଷାବିତ ରୁନାଲିସା ବେହେରା
ଭୁବନେଶ୍ୱର : ଜଣାଶୁଣା ଶିକ୍ଷାବିତ ତଥା ପ୍ରାଚୀ ଭ୍ୟାଲି ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ରୁନାଲିସା ବେହେରା ଚଳିତ ବର୍ଷର ମର୍ଯ୍ୟାଦାଜନକ ମଦର ସମ୍ମାନରେ ସମ୍ମାନିତ ହୋଇଛନ୍ତି | ଆନ୍ତର୍ଜାତିକ ମାତୃ ଦିବସ ଅବସରରେ ଦେଶର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମଦର ପକ୍ଷରୁ ଆୟୋଜିତ ସମ୍ମାନ ସମାରୋହରେ ଜଣେ ବିଶିଷ୍ଟ ଶିକ୍ଷାବିତ ଭାବେ ରୁନାଲିସା ବେହେରାଙ୍କୁ ସମ୍ମାନିତ କରାଯାଇଛି | ଗ୍ରାମାଞ୍ଚଳରେ ଆଧୁନିକ ଶିକ୍ଷା ବ୍ୟବସ୍ଥାର ସଫଳ ପ୍ରଣୟନ ପାଇଁ ରୁନାଲିସାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି |
ସାମଜିକ ଅନୁଷ୍ଠାନ ମଦର ପକ୍ଷରୁ ଆନ୍ତର୍ଜାତିକ ମାତୃ ଦିବସ ଅବସରରେ ଜୟଦେଵ ଭବନ ଠାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଓଡିଶା ବିଧାନସଭାର ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ରୁନାଲିସା ବେହେରାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ |
ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମର ସମ୍ମାନୀୟା ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚରେ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଲେଖିକା ତଥା ଗବେଷିକା ମନୋରମା ବିଶ୍ୱାଳ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ତଥା ବିଶିଷ୍ଟ ସମାଜ ବିଜ୍ଞାନୀ ଶରତ ଚନ୍ଦ୍ର ଭଦ୍ର ଏବଂ ମଦର ଅନୁଷ୍ଠାନର ଚେୟାରମ୍ୟାନ୍ ଅବସରପ୍ରାପ୍ତ ପ୍ରମୁଖ ଆୟକର ଅଧିକାରୀ ତଥା ଜଣାଶୁଣା କବି ଶରତ କୁମାର ଦାଶ ମହୋଦୟ ଉପସ୍ଥିତ ଥିଲେ ।
ପ୍ରସିଦ୍ଧ ଓଡିଶୀ ସଙ୍ଗୀତ ବିଶାରଦ ତଥା ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ଚଳିତ ବର୍ଷର ମର୍ଯ୍ୟଦାଜନକ ଶ୍ରେଷ୍ଠ ମା ସମ୍ମାନ ରେ ସମ୍ମାନିତ କରଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁଲେଖିକା କାନନବାଳା ପଟ୍ଟନାୟକ, ଚିକିତ୍ସାବିଜ୍ଞାନ ଓ ସେବା ପାଇଁ ପ୍ରସିଦ୍ଧ ଟଙ୍କିକିଆ କ୍ଲିନିକ୍ ର ପ୍ରତିଷ୍ଠାତା ଡ ଶଙ୍କର ରାମଚନ୍ଦାନୀ, ସାମ୍ବାଦିକତା କ୍ଷେତ୍ରରେ ନିର୍ଭୀକତା ଓ ସ୍ପଷ୍ଟବାଦୀ ଭାବେ ଜଣାଶୁଣା ସାମ୍ବାଦିକା ସ୍ୱାତୀ ଜେନା, ସାମଜିକ କର୍ମୀ ଅଭିରାମ ମଲିକ୍, ବିଶିଷ୍ଟ ଶିକ୍ଷାବିତ୍ ଡ ବ୍ରଜବନ୍ଧୁ ନନ୍ଦ ଏବଂ ରୁନାଲିସା ବେହେରା ଓ ଯୁବ ପ୍ରତିଭା ତମନ୍ନା ଭୋଇଙ୍କୁ ମଦର ସମ୍ମାନରେ ସମ୍ମାନୀତ କରାଯାଇଥିଲା ।
ଶିକ୍ଷା କ୍ଷେତ୍ରରେ ସୃଜନଶୀଳ ପରିବର୍ତ୍ତନ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଲକ୍ଷ୍ୟ ରଖିଥିବା ରୁନାଲିସା ବେହେରାଙ୍କୁ ଏହି ସମ୍ମାନ ପାଇଁ ସବୁଆଡୁ ଅଭିନନ୍ଦନର ସୁଅ ଛୁଟିଥିବା ବେଳେ, ଏହି ସମ୍ମାନ ତାଙ୍କୁ ଅଧିକରୁ ଅଧିକ ନିଷ୍ଠାପର ଭାବେ ଏହି ଦିଗରେ କାମ କରିବାକୁ ପ୍ରେରଣା ଦେବ ବୋଲି ରୁନାଲିସା କହିଛନ୍ତି |