ଆର୍ଥର ରୋଡ଼ ଜେଲରେ ଆର୍ୟନ ଖାନଙ୍କୁ ମିଳିଲା ୪,୫୦୦ ଟଙ୍କା ମନି ଅର୍ଡ଼ର, ୧୦ ମିନିଟ୍‌ ଭିଡିଓ କଲ୍‌ରେ ପରିବାର ସହ କଥା ହେଲେ

ମୁମ୍ବାଇ: ଡ୍ରଗ୍ସ ସେବନ ଓ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇ ମୁମ୍ବାଇର ଆର୍ଥର୍‌ ରୋଡ଼ ଜେଲରେ ଥିବା ଆର୍ୟନ ଖାନଙ୍କୁ ୪,୫୦୦ ଟଙ୍କା ମନି ଅର୍ଡ଼ରେ ମିଳିଛି । ଏହି ଟଙ୍କା ତାଙ୍କ ପାଖକୁ ତାଙ୍କ ବାପା ଶାହରୁଖ ଖାନଙ୍କ ତରଫରୁ ପଠାଯାଇଥିଲା । ଜେଲ୍‌ ନିୟମ ଅନୁସାରେ ଜୋଲରେ ଥିବା ବ୍ୟକ୍ତିଙ୍କୁ ଖାଦ୍ୟ ଓ ଅନ୍ୟ ଜରୁରୀ ସାମଗ୍ରୀ କିଣିବା ପାଇଁ ତାଙ୍କ ପରିବାର ଟଙ୍କା ପଠାଇପାରିବ, କିନ୍ତୁ ସର୍ବାଧିକ ୪,୫୦୦ ଟଙ୍କା ପଠାଇପାରିବ ।

୨୩-ବର୍ଷୀୟ ଆର୍ଯ୍ୟନ୍‌ ଖାନଙ୍କ ସହ ତାଙ୍କ ପରିବାର ଲୋକଙ୍କର ଏକ ଭିଡିଓ କଲକୁ ବି ଜେଲ୍‌ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ । ଏହି ୧୦ ମିନିଟ୍‌ ଭିଡିଓ କଲ୍‌ ସମୟରେ ଆର୍ୟନ ଖାନଙ୍କ ପାଖରେ ଜଣେ ଜେଲ୍‌ କର୍ମଚାରୀ ଉପସ୍ଥିତ ଥିଲେ । ଏହା ହାଇ କୋର୍ଟଙ୍କ ଆଦେଶ ଅନୁଯାୟୀ କରାଯାଇଥିଲା । କୋଭିଡ କାରଣରୁ କଏଦୀମାନଙ୍କୁ ସପ୍ତାହରେ ଦୁଇ ଥର ସେମାନଙ୍କ ପରିବାର ସହିତ ଭିଡିଓ କଲ୍‌ କରିବାକୁ ଅନୁମତି ଦିଆଯାଉଛି । ଆର୍ଯ୍ୟନ୍ ଏହି ସୁବିଧାକୁ ଏ ପର୍ଯ୍ୟନ୍ତ ମାତ୍ର ଥରେ ବ୍ୟବହାର କରିଛନ୍ତି ।

ଆର୍ୟନ ଖାନଙ୍କୁ ସୋମବାର ଦିନ (ଅକ୍ଟୋବର ୧୧) ଏହି ଟଙ୍କା ମନି ଅର୍ଡରରେ ମିଳିଥିଲା ଓ ଗୁରୁବାର ଦିନ (ଅକ୍ଟୋବର ୧୪) ସେ ନିଜ ପରିବାର ସହ ଭିଡିଓ କଲ୍ କରି କଥା ହୋଇଥିଲେ ବୋଲି ନ୍ୟୁଜ୍ ଏଜେନ୍ସି ANI କହିଛି । ଜେଲ୍‌ ଅଧୀକ୍ଷକ ନିତିନ ୱେଚାଲ ସ୍ପଷ୍ଟ କରିଛନ୍ତି ଯେ ଆର୍ଯ୍ୟନଙ୍କୁ ଜେଲ୍‌ ଖାଦ୍ୟ ଦିଆଯାଉଛି ।ସେ କହିଛନ୍ତି ଯେ କୋର୍ଟଙ୍କ ଆଦେଶ ନ ଆସିବା ପର୍ଯ୍ୟନ୍ତ ଶାହରଖ ଖାନଙ୍କ ପୁଅକୁ ଘର ରନ୍ଧା ଖାଦ୍ୟ କିମ୍ବା ବାହାର ଖାଦ୍ୟ ଦିଆଯିବ ନାହିଁ ।

ମୁମ୍ବାଇରେ ଏକ କ୍ରୁଜ୍ ଜାହାଜରେ କଥିତ ଡ୍ରଗ୍‌ ପାର୍ଟି ବେଳେ ଏନ୍‌.ସି.ବି. ହାତରେ ଧରାପଡ଼ିବା ପରେ ଚତୁର୍ଥ ଥର ପାଇଁ ଆର୍ୟନଙ୍କ ବେଲ୍‌ ଆବେଦନ କୋର୍ଟରେ ଖାରଜ ହୋଇଥିଲା । ତା’ ପରେ ତାଙ୍କୁ ଅକ୍ଟୋବର ୧୪ ତାରିଖ ସନ୍ଧ୍ୟାରେ ପୁଣି ଛଅ ଦିନ ପାଇଁ ଜେଲକୁ ପଠାଇ ଦିଆଯାଇଥିଲା । ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ତାଙ୍କ ଜାମିନ ଆବେଦନ ଶୁଣାଣିକୁ ଅକ୍ଟୋବର 2୦ ତାରିଖକୁ ଘୁଞ୍ଚାଇ ଦେଇଥିଲେ । ଏବେ ଆର୍ଥର ରୋଡ଼ ଜେଲରେ କଟୁଛି ଆର୍ୟନଙ୍କ ଦଶହରା ଛୁଟି ।

ସୁପରଷ୍ଟାର ଶାହରୁଖ ଖାନଙ୍କ ପୁ୍ଅଙ୍କ ଓକିଲ ଅଦାଲତରେ ବେଲ୍‌ ସପକ୍ଷରେ ଯୁକ୍ତି ବାଢ଼ିଥିବା ବେଳେ ଏନ୍‌.ସି.ବି. ତାକୁ ପ୍ରବଳ ବିରୋଧ କରିଥିଲା । ଏନ୍‌.ସି.ବି. ପକ୍ଷରୁ କୁହାଯାଇଥିଲା ଯେ ବଲିଉଡ ସୁପରଷ୍ଟାରଙ୍କ ପୁଅ ଗତ ତିନି ବର୍ଷ ହେଲା ନିୟମିତ ଭାବେ ଡ୍ରଗ୍ ସେବନ କରିଆସୁଥିଲେ । ଏହାର ପ୍ରମାଣ ହସ୍ତଗତ ହୋଇଛି ବୋଲି ବି ଏନ୍‌.ସି.ବି. କହିଥିଲା ।

କୋର୍ଟରେ ଏନ୍‌.ସି.ବି. ଏହା ବି କହିଛି ଯେ ଆର୍ୟନ ଖାନଙ୍କ ବନ୍ଧୁ ଅର୍ବାଜ ମର୍ଚେଣ୍ଟଙ୍କ ନିକଟରୁ ଯେଉଁ ଡ୍ରଗ୍‌ ଜବତ କରାଯାଇଛି ତାହା ଦୁଇ ଜଣଙ୍କ ସେବନ ପାଇଁ ଉଦ୍ଦିଷ୍ଟ ଥିଲା। ବଲିଉଡ ଷ୍ଟାରଙ୍କ ପୁଅଙ୍କୁ ଜାମିନ ମିଳିଲେ ସେ ତଥ୍ୟ ପ୍ରମାଣ ନଷ୍ଟ କରିଦେବେ ଓ ସାକ୍ଷୀଙ୍କୁ ପ୍ରଭାବିତ କରିବେ ବୋଲି ଆଶଙ୍କା ରହିଥିବାରୁ ତାଙ୍କୁ ବେଲ୍ ଦିଆ ନ ଯାଉ ବୋଲି ଏନ୍‌.ସି.ବି. ପକ୍ଷରୁ ପୁଣି ଥରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଉଭୟ ପକ୍ଷଙ୍କୁ ଶୁଣିବା ପରେ ଅଦାଲତ ଜାମିନ ଆବେଦନର ଶୁଣାଣିକୁ ଅକ୍ଟୋବର ୨୦ ତାରିଖକୁ ଘୁଞ୍ଚାଇଥିଲେ।

ଆର୍ୟନ୍‌ ଖାନ୍‌ ଏବେ ଆର୍ଥର୍‌ ରୋଡ୍‌ ଜେଲରେ କଏଦୀ ନମ୍ବର ୯୫୬ । ନିୟମ ଅନୁଯାୟୀ ତାଙ୍କୁ ଏହି ନମ୍ବରରେ ଡକାଯାଉଛି ।

Leave a Reply

Your email address will not be published. Required fields are marked *