ଅକ୍ଟୋବର ୮ ତାରିଖରେ ଭୁବନେଶ୍ୱରରେ ବଜରଙ୍ଗ ଦଳର ଶୌର୍ଯ୍ୟ ପରାକ୍ରମ ଯାତ୍ରା

ଭୁବନେଶ୍ୱର : ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସେପ୍ଟେମ୍ୱର୍ ୩୦ରେ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ଶୌର୍ଯ୍ୟ ରଥ ଆଗାମୀ ଅକ୍ଟୋବର ୮ ତାରିଖ ରବିବାର ଦିନ ପୂର୍ବାହ୍ନରେ ଆସି ଭୁବନେଶ୍ୱରରେ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ସଙ୍ଗଠନର ଓଡ଼ିଶା ପୂର୍ବପ୍ରାନ୍ତ ସମ୍ପାଦକ ମହେଶ କୁମାର ସାହୁ । ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଯୋଗ ଦେଇ ଏହି ଶୌର୍ଯ୍ୟ ଜାଗରଣ ଯାତ୍ରାର ଭବ୍ୟତା ଓ ବିଶାଳତା ଉପରେ ସେ ଆଲୋକପାତ କରିଥିଲେ। ଓଡ଼ିଶା ମାଟିର ଗୌରବ ଓ ଅସ୍ମିତା ରକ୍ଷା କରିବା ପାଇଁ ଯେଉଁ ମହାପୁରୁଷଗଣ ତାଙ୍କର ସର୍ବସ୍ବ ତ୍ୟାଗ କରିଥିଲେ ସେମାନଙ୍କ କାର୍ଯ୍ୟର ମହନୀୟତା ସମାଜ ସାମ୍ନାରେ ଉପସ୍ଥାପନ କରିବା ସହ ଓଡ଼ିଶାର ଯୁବ ମାନସରେ ନିଜ ମାଟିର ସଂସ୍କୃତି ଓ ଐତିହ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ଆଭିମୁଖ୍ୟ ନେଇ ଏ ଯାତ୍ରା ସୁଦୂରପ୍ରସାରୀ ସମ୍ଭାବନା ସୃଷ୍ଟି କରିବ ବୋଲି ସେ କହିଥିଲେ । ଏହି କ୍ରମରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ, ବକ୍ସି ଜଗବନ୍ଧୁ ବିଦ୍ୟାଧର, ଜୟୀ ରାଜଗୁରୁ, ଚନ୍ଦନ ହଜୁରୀ, ବାଘା ଯତୀନ, ବାଜି ରାଉତ, ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଆଦି ବୀରପୁରୁଷଙ୍କ ଜନ୍ମଭୂମି ତଥା କର୍ମଭୂମି ଦେଇ ଏହି ରଥ ଅତିକ୍ରମ କରିବା ସହ ଜନଚେତନାରେ ସ୍ପନ୍ଦନ ଭରି ଚାଲିଛି ଏବଂ ବୀର ପାଇକ ମାଟି ଦେଇ ଆସୁଥିବା ଏହି ଶୌର୍ଯ୍ୟ ରଥଗୁଡ଼ିକୁ ଅତ୍ୟନ୍ତ ଉତ୍ସାହର ସହ ମନ୍ଦିରମାଳିନୀ ନଗରୀ ଭୁବନେଶ୍ଵରରେ ସ୍ବାଗତ କରାଯିବ ବୋଲି ସେ କହିଛନ୍ତି । ସେଥିପାଇଁ ସମସ୍ତ ଭୁବନେଶ୍ଵରବାସୀ ପ୍ରସ୍ତୁତ ରହିବା ପାଇଁ ସେ ଆଗ୍ରହ କରିଛନ୍ତି । ସ୍ଥାନେ ସ୍ଥାନେ ରଥ ଉପରେ ପୁଷ୍ପ ବର୍ଷା କରି ସ୍ବାଗତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହି ରାଷ୍ଟ୍ର ଜାଗରଣର କାର୍ଯ୍ୟକ୍ରମରେ ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ଅଧିକରୁ ଅଧିକ ମାତ୍ରାରେ ଯୋଗ ଦେବା ପାଇଁ ସେ ଆହ୍ବାନ କରିଛନ୍ତି । ସ୍ବାଧୀନତାର ଅମୃତ କାଳ ଅବସରରେ ଏହି ଦିବ୍ୟ ଆୟୋଜନ ଐତିହାସିକ ହେବା ସହ ଓଡ଼ିଶାବାସୀଙ୍କୁ ଅନେକ ବର୍ଷ ଧରି ଉତ୍ସାହିତ କରିଚାଲିବ ବୋଲି ସେ କହିଥିଲେ । ସାମ୍ୱାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ପ୍ରଚାର ପ୍ରମୁଖ ମାନସ ମହାନ୍ତି ଏବଂ ବଜରଙ୍ଗ ଦଳର ପ୍ରାନ୍ତ ସହସଂଯୋଜକ ପ୍ରଭାତ ତ୍ରିପାଠୀଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦର ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *