ଭାରତ ରକ୍ଷା ମଞ୍ଚର ସ୍ଥାପନା ଦିବସ ପାଳିତ

ଭୁବନେଶ୍ୱର, ୨୭/୦୬ : ଓଡ଼ିଶାରୁ ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ବିସ୍ଥାପିତ କରିବାକୁ ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ପାଇଁ ସଂକଳ୍ପ ନେବା ସହ ଭାରତ ରକ୍ଷା ମଞ୍ଚର ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଶହୀଦନଗର ସ୍ଥିତ ବିଷ୍ଣୁ ମନ୍ଦିର ପରିସରରେ ଆଜି ଅପରାହ୍ନରେ ସଙ୍ଗଠନର କାର୍ଯ୍ୟକର୍ତ୍ତାଗଣ ଏକତ୍ରିତ ହୋଇ ଦୀପ ପ୍ରଜ୍ବଳନପୂର୍ବକ ଭାରତ ମାତାଙ୍କ ବନ୍ଦନା କରି ଭାରତ ରକ୍ଷା ମଞ୍ଚର ପ୍ରତିଷ୍ଠା ଦିବସ ପାଳନ କରିଥିଲେ । ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଉଦବୋଧିତ କରି ମଞ୍ଚର ଭୁବନେଶ୍ୱର ସଭାପତି ପଦ୍ମନାଭ ଦାଶ ମହାନଗରରେ ବଢ଼ି ଚାଲିଥିବା ଅନୁପ୍ରବେଶକାରୀ ସମସ୍ୟା ଉପରେ ନିଜର କ୍ଷୋଭ ଏବଂ ଚିନ୍ତା ପ୍ରକଟ କରିଥିଲେ । ଭୁବନେଶ୍ୱର ଏକ ପୁରାତନ ଐତିହ୍ୟସଂପନ୍ନ ସହର ହୋଇ ଥିବାରୁ ଆମର ଐତିହାସିକ ସ୍ଥଳ ଏବଂ ସାଂସ୍କୃତିକ ଐତିହ୍ୟରାଜିର ସୁରକ୍ଷା ପାଇଁ ସରକାର ଯୋଜନା କରିବା ସହିତ ନିୟମିତ ବ୍ୟବଧାନରେ ହେଉଥିବା ମୂର୍ତ୍ତି ଆଦି ଚୋରୀ ରୋକିବା ଦିଗରେ ଦୃଷ୍ଟି ଦେବା ଦରକାର ବୋଲି ସେ କହିଥିଲେ । ମହାନଗର ନିଗମର ଉପାନ୍ତ ଅଞ୍ଚଳରେ ଗଢ଼ି ଉଠୁଥିବା ଅନୁପ୍ରବେଶକାରୀଙ୍କ ବସ୍ତିଗୁଡ଼ିକ ସମସ୍ତ ଅପରାଧର ପୃଷ୍ଠଭୂମି ପାଲଟିଥିବା ବେଳେ ଭୁବନେଶ୍ୱର ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛି ଏବଂ ଏ ନେଇ ସରକାରଙ୍କ ଉଦାସୀନତା ଅତ୍ୟନ୍ତ ଚିନ୍ତାଜନକ କହି ସେ ଗଭୀର ଉଦବେଗ ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ମଞ୍ଚର ରାଜ୍ୟ ସଙ୍ଗଠନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମିଶ୍ର ସଙ୍ଗଠନର ବାର ବର୍ଷର ଗୌରବମୟ ଅଭିଯାନ ସମ୍ପର୍କରେ କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରାଇଥିଲେ । ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀ ସମସ୍ୟାର ଗମ୍ଭୀରତା ଏବଂ ଆଗାମୀ ଦିନରେ ଆସୁଥିବା ସଂକଟର ଭୟାବହତା ଉପରେ ତର୍ଜମା କରି ବର୍ତ୍ତମାନଠାରୁ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭେରେରାନ୍ ବିଦ୍ୟାଧର ନାୟକ, କ୍ୟାପଟେନ ମନ୍ମଥ କୁମାର ସିଂହ, ରମାକାନ୍ତ ସୁବୁଦ୍ଧି, ଅଜିତ ଦାଶ, ଉମେଶ ନାଥ, ମାନସ ରଞ୍ଜନ ମିଶ୍ର, ଜଳନ୍ଧର ପ୍ରଧାନ, ଦେବକୀନନ୍ଦନ ଓଝା, ଦୀନବନ୍ଧୁ ଷଡ଼ଙ୍ଗୀ, ବିଭୁ ଭୂଷଣ ମହାପାତ୍ର, ପ୍ରଦୀପ ତ୍ରିପାଠୀ, ସରୋଜିନୀ ମହାନ୍ତି, ଅପର୍ଣ୍ଣା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *