ଆସନ୍ତା ୨୬ ତାରିଖରେ ପୁରୀରେ ହେବ ବିଜେଡି ପ୍ରତିଷ୍ଠା ଦିବସ ରାଜ୍ୟ ସ୍ତରୀୟ ସମାରୋହ। ପରେ ୧୫ ଦିନ ଧରି ସାରା ରାଜ୍ୟରେ ହେବ ଆୟୋଜନ

ଭୁବନେଶ୍ବର: ଡିସେମ୍ବର ୨୬ରୁ ପଡ଼ିବ ସାଧାରଣ ନିର୍ବାଚନ ପାଇଁ ମୂଳଦୁଆ। ବିଜେଡି ପ୍ରତିଷ୍ଠା ଦିବସରୁ ପ୍ରସ୍ତୁତ ହେବ ରୋଡ ମ୍ୟାପ। ବିଜେଡିକୁ ୨୫ ପୂରି ୨୬ ଚାଲିବ। ୨୦୨୪ ସାଧାରଣ ନିର୍ବାଚନ ଥିବା ବେଳେ ଆଗୁଆ ନିର୍ବାଚନ ଚର୍ଚ୍ଚା ବି ଜୋର ଧରିଛି। ୨୫ ବର୍ଷ ପୂର୍ତ୍ତି ଅବସରରେ ବର୍ଷେ ବ୍ୟାପି କାର୍ଯ୍ୟକ୍ରମ ନେଇ ଖସଡ଼ା ପ୍ରସ୍ତୁତ କରିଛି ବିଜେଡି।

୨୬ ତାରିଖରେ ପୁରୀରେ ହେବ ରାଜ୍ୟ ସ୍ତରୀୟ ସମାରୋହ। ରାଜ୍ୟ ଜିଲ୍ଲା, ବ୍ଲକ ଓ ସହରାଞ୍ଚଳ କର୍ମକର୍ତ୍ତାଙ୍କ ସହ ନିର୍ବାଚିତ ପ୍ରତିନିଧି ଯୋଗ ଦେବେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଦଳୀୟ କର୍ମୀଙ୍କୁ ଦେବେ ଟିପ୍ସ।

କୋଭିଡ କାରଣରୁ ଗତ ବର୍ଷ ପ୍ରତିଷ୍ଠା ଦିବସ ପାଳନ ହୋଇନଥିବା ବେଳେ ଚଳିତ ଥର ବେଶ ଆଡମ୍ବର ସହକାରେ ପାଳନ ନେଇ ନିଷ୍ପତ୍ତି ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ପରେ ସୋମବାର ଦଳର ସଙ୍ଗଠନ ସମ୍ପାଦକଙ୍କ ସହ ବରିଷ୍ଠ ସଦସ୍ୟ ଓ ଜିଲ୍ଲା ପ୍ରତିନିଧିଙ୍କ ସହ ହୋଇଥିଲା ବିଚାର ବିମର୍ଶ। ଆଲୋଚନା ପରେ ଚୂଡାନ୍ତ ଖସଡ଼ାକୁ ଅନୁମୋଦନ ଦେଇଥିଲେ ବିଜେଡି ସୁପ୍ରିମୋ।

୨୬ ତାରିଖରେ ରାଜ୍ୟ ସମାରୋହ ପରେ ପ୍ରତି ନିର୍ବାଚନ ମଣ୍ଡଳୀରେ ପାଳନ ହେବ କାର୍ଯକ୍ରମ। ୧୫ ଦିନ ଧରି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କାର୍ଯକ୍ରମ ଆୟୋଜନ କରାଯିବ। ପୁରୀ କାର୍ଯ୍ୟକ୍ରମରୁ ନବୀନଙ୍କ ବାର୍ତ୍ତାକୁ ନେଇ ତୃଣମୂଳ ସ୍ତରକୁ ଯିବ ଦଳ। ସରକାରଙ୍କ ବିକାଶ ମୂଳକ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ସହ ଯୋଡ଼ି ହେବ ଦଳ। ଦେଢ଼ କୋଟି ସଦସ୍ୟ ଲକ୍ଷ୍ୟରେ ବିଜେଡି ଚାଲିଥିବା ବେଳେ ଆଗାମୀ ଦିନ ପାଇଁ ଏଇଠୁ ପଡ଼ିବ ଭିତ୍ତି ପ୍ରସ୍ତର।

Leave a Reply

Your email address will not be published. Required fields are marked *