ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଓ ଗିରଫ ସହ ସିବିଆଇ ତଦନ୍ତ ଦାବିରେ ୨୯ରୁ ୩ଦିନ ଧରି ରାଜ୍ୟର ସବୁ ଥାନା ଘେରିବ ବିଜେପି

ଭୁବନେଶ୍ୱର : ମମିତା ମେହେର୍ ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ସମ୍ପୃକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଓ ଗିରଫ ସହ ସିବିଆଇ ତଦନ୍ତ ଦାବିରେ ବିଜେପି ଆସନ୍ତାକାଲିଠୁ ୩ଦିନ ଧରି ରାଜ୍ୟର ସମସ୍ତ ୬୨୫ଟି ଥାନାକୁ ଘେରାଉ କରିବ । ମମିତା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବିଜେଡିରକ କର୍ମକର୍ତ୍ତା ଓ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ସମ୍ପର୍କ ଅଛି ତଥା ଗୃହ ମନ୍ତ୍ରୀଙ୍କ ସହ ଘନିଷ୍ଠତା ବି ରହିଛି । ତେଣୁ ମମିତାଙ୍କୁ ନ୍ୟାୟ ଦେବା ଓ ନିରପେକ୍ଷ ତଦନ୍ତ ପାଇଁ ବିଜେପି ୨୯ରୁ ୩୧ତାରିଖ ୩ଦିନ ଧରି ରାଜ୍ୟର ସମସ୍ତ ଥାନା ଆଗମରେ ବିକ୍ଷୋଭ, ପ୍ରତିବାଦ ଓ ଏଫଆଇଆର ଦାଖଲ କାର୍ଯ୍ୟକ୍ରମ କରିବ । ସେହିପରି ବିଜେପିର ୩ଜଣିଆ କେନ୍ଦ୍ରୀୟ ଟିମ୍ ଆସନ୍ତାକାଲି ଓଡ଼ିଶା ଆସି ସରଜମିନ୍ ତଦନ୍ତ କରିବ ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏ ସମ୍ପର୍କରେ ଗଣମାଧ୍ୟମକୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ମମିତା ହତ୍ୟା ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇସାରିଛି । ବର୍ତ୍ତମାନସୁଦ୍ଧା ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ କୈାଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ଅତୀତରେ ସାମାନ୍ୟ ଅଭିଯୋଗ ହେଲେ ମନ୍ତ୍ରୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ମୁଖ୍ୟମନ୍ତ୍ରୀ ଏହି ବୀଭତ୍ସ ହତ୍ୟାକାଣ୍ଡ ପ୍ରସଙ୍ଗରେ କାହିଁକି ନୀରବ ରହୁଛନ୍ତି ? ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସହ ଘନିଷ୍ଠ ସଂପର୍କ କାରଣରୁ ଅଭିଯୁକ୍ତ ଗୋବିନ୍ଦ ସାହୁ ବିନା କୈାଣସି ବାଧାବିଘ୍ନରେ ଲୋକସେବା ଭବନ ଓ ନବୀନ ନିବାସ ଯାଉ ନଥିଲେ କି ? ତଦନ୍ତ ଆଳରେ ସମସ୍ତ ତଥ୍ୟପ୍ରମାଣକୁ ଲିପାପୋଛା କରି ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଖସାଇ ଦେବାର ପୂର୍ଣ୍ଣ ଉଦ୍ୟମ କରାଯାଉ ନାହିଁ ତ ?

ମମିତା ନିଖୋଜ ହେବା ପରେ ଦୀର୍ଘଦିନ ଧରି ପରିବାରବର୍ଗଙ୍କ ଏଫଆଇଆରକୁ ପୁଲିସ୍ ନରଖିବା, ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରି ତାକୁ ହାଜତରେ ନରଖି ବ୍ୟାରେକ ଭିତରେ ରଖିବା, ବ୍ୟାରେକରୁ ଫେରାର ସମୟରେ ବିଦ୍ୟୁତ୍ ସରବାରୋହ ବନ୍ଦ କରାଯିବା, ଗୋଡ଼ରେ ଆହତ କାରଣରୁ ସଠିକ ଭାବେ ଚାଲି ପାରୁନଥିବା ଅଭିଯୁକ୍ତ ଗୋବିନ୍ଦ ସାହୁ ୧୨ ଫୁଟ ଉଚ୍ଚତାର ପାଚେରୀ ଡେଇଁ ଖସି ପଳାଇବା, ଅଭିଯୁକ୍ତଙ୍କୁ ଫେରାର କରାଯାଇ୪ ଦିନ ପରେ ପୁଣି ଅଭିଯୁକ୍ତକୁ ଗିରଫ କରିବା,ପରବର୍ତୀ ସମୟରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯିବା, ଅଭିଯୁକ୍ତର ସିନ୍ ରିକ୍ରିଏସନ କରାଯାଇ ଗଣମାଧ୍ୟମରେ ପ୍ରଦର୍ଶନ କରାଯିବା ଆଦି ଘଟଣା ସାଧାରଣରେ ବହୁ ସନ୍ଦେହ ସୃଷ୍ଟି କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ବିରାଟ ପ୍ରଶ୍ନ ହୋଇ ଛିଡ଼ା ହୋଇଛି ବୋଲି ସେ କହିଛନ୍ତି ।

ସେହିପରି ମମିତା ହତ୍ୟା ମାମଲାର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶରେ ଆସନ୍ତାକାଲି ୩ଜଣିଆ ପ୍ରତିନିଧି ଦଳ ଓଡ଼ିଶା ଆସୁଛନ୍ତି । ଏହି ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଶ୍ରୀମତୀ ବନଥୀ ଶ୍ରୀନିବାସନ, ସାଂସଦ ସୁନୀତା ଦୁଗଲ ଏବଂ ବିଧାୟିକା ରୁପା ମିତ୍ର ଚୈାଧୁରୀ ସାମିଲ ଅଛନ୍ତିି । ସେମାନେ ମମିତାଙ୍କ ପରିବାରକୁ ଭେଟି ବିସ୍ତୃତ ଆଲୋଚନା କରିବା ସହ ମହାଲିଙ୍ଗ ଗାଁକୁ ଯାଇ ଘଟଣାସ୍ଥଳ ଅନୁଧ୍ୟାନ କରିବେ । ପରେ ୩୦ତାରିଖରେ ଭୁବନେଶ୍ୱରରେ ଗଣମାଧ୍ୟମ ସମ୍ମଳିନୀ କରି ଗସ୍ତ ସମ୍ପର୍କରେ ଅବଗତ କରିବା ସହ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେବେ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ।

Leave a Reply

Your email address will not be published. Required fields are marked *