ସୃଜନୀ(ଚେନ୍ନାଇ) ଆନୁକୂଲ୍ୟରେ ଡକ୍ଟର ବାସନ୍ତୀ ମହାନ୍ତିଙ୍କ ପ୍ରବନ୍ଧ ସଙ୍କଳନ ତ୍ରୟ ଜନଜାତି ବିଭବ,ସମୀକ୍ଷାୟନ ଓ ଚିନ୍ତା ଓ ଚେତନା ପାଠକାର୍ପଣ ସମାରୋହ
ଭୁବନେଶ୍ୱର : ସୃଜନୀ ପରିବାର (ଚେନ୍ନାଇ) ଆନୁକୁଲ୍ୟରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ସମ୍ମିଳନୀ ଗୃହରେ ପ୍ରବାସୀ ଓଡ଼ିଆଙ୍କ ସୃଜନୀ “ସୃଜନିକା ସାରସ୍ୱତ ସମାବେଶ” ଅନୁଷ୍ଠିତ ହୋଇଯାଇଅଛି I ଉକ୍ତ ସମାବେଶରେ ଆନ୍ତର୍ଜାତିକ ମାତୃଭାଷା ପୁରସ୍କାର (ୟୁନେସ୍କୋ ) ପ୍ରାପ୍ତ ଲୋକତତ୍ତ୍ଵବିତ୍ ପଦ୍ମଶ୍ରୀ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ମହୋଦୟଙ୍କୁ ସୃଜନୀ ପରିବାର(ଚେନ୍ନାଇ ) ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା I ସାରସ୍ୱତ ସାଧିକା ଡ଼କ୍ଟର ବାସନ୍ତୀ ମହାନ୍ତିଙ୍କ ସାରସ୍ୱତ କୃତି ତଥା ପ୍ରବନ୍ଧ ସଙ୍କଳନ ତ୍ରୟ “ଜନଜାତି ବିଭବ”, “ସମୀକ୍ଷାୟନ” ଓ “ଚିନ୍ତା ଓ ଚେତନା” ପାଠକାର୍ପଣ ସମାରୋହ ସହ ସର୍ଜନ ସମୀକ୍ଷା ପର୍ବ ଅନୁଷ୍ଠିତ ହୋଇଥିଲା I
ସୃଜନୀ – ସୃଜନିକା ସମାବେଶର ଆବାହିକା ତଥା ସାରସ୍ୱତ ସାଧିକା ଡକ୍ଟର ବାସନ୍ତୀ ମହାନ୍ତି ଏବଂ ସୃଜନୀ ପରିବାରର ମୁଖ୍ୟ ଉପଦେଷ୍ଟା ତଥା ତାମିଲନାଡୁ ରାଜ୍ୟ ବନବିଭାଗ ମୁଖ୍ୟ ପ୍ରସାଶନ ଅଧିକାରୀ (ଅବସରପ୍ରାପ୍ତ ) ଆଇ ଏଫ୍ ଏସ୍ ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତ ସିଂହାରଙ୍କ ପ୍ରତକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ତଥା ଭାରତର ଅନ୍ୟ ପ୍ରଦେଶରେ ବସବାସ କରୁଥିବା ପ୍ରବାସୀ ସାହିତ୍ୟିକଙ୍କ ଉପସ୍ଥିତରେ ପ୍ରବାସୀ ସାହିତ୍ୟ ସଙ୍ଗମ ସହ ” ଜନଜାତି ସାହିତ୍ୟ ଓ ଓଡ଼ିଆ ସାହିତ୍ୟର ପ୍ରଗତି ” ପ୍ରସଙ୍ଗରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି I
କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ (କୋରାପୁଟ)ର ପ୍ରାକ୍ତନ କୁଳପତି ପ୍ରଫେସର୍ ସଚ୍ଚିଦାନନ୍ଦ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷା-ଓଡିଶା ମହିଳା କମିଶନ ତଥା ସମାଜସେବୀ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି, ଓଡିଶା-କେନ୍ଦ୍ରାପଡା ଜିଲ୍ଲାର ପ୍ରାକ୍ତନ ଜିଲ୍ଲାପାଳ ଡକ୍ଟର ଧରଣୀଧର ନାଥ ବିଶିଷ୍ଟ ସାରସ୍ୱତ ସାଧକ ଡକ୍ଟର ବିଜୟାନନ୍ଦ ସିଂହ ଆଦି ବରେଣ୍ୟ ଅତିଥି ବୃନ୍ଦ ଭବ୍ୟ ସାରସ୍ୱତ ସଭା ମଞ୍ଚ ମଣ୍ଡନ କରିଥିଲେ I ଓଡ଼ିଆ ସାହିତ୍ୟ ର ଉନ୍ମେଷରେ ଡ଼କ୍ଟର ବାସନ୍ତୀ ମହାନ୍ତିଙ୍କ ସାରସ୍ୱତ କୃତି ସମୂହ ଓ ଅବଦାନ ଅବଦାନ ପ୍ରସଙ୍ଗରେ ଆଲୋକପାତ କରିଥିଲେ I ଦର୍ଶନ ଶାସ୍ତ୍ର ବିଶାରଦ ପ୍ରଫେସର୍ ଗୋଦାବରୀଶ ମିଶ୍ର ଏବଂ ଡକ୍ଟର ସତ୍ୟନାରାୟଣ ମିଶ୍ର ,ସହ ନିର୍ଦ୍ଦେଶକ ଜାତୀୟ ଅଭିଲେଖାଗାର ,ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ସଂସ୍କୃତ ବିଭାଗ ମୁଖ୍ୟ ମାନ୍ୟବର ପ୍ରଫେସର୍ ଡକ୍ଟର ରଘୁନାଥ ପଣ୍ଡା ଆଦି ଯୋଗ ଦେଇ ଓଡ଼ିଆ ସାହିତ୍ୟର ଅବଦାନ ଓ ଭବିଷ୍ୟତ ପ୍ରସଙ୍ଗରେ ନିଜସ୍ୱ ଅଭିବ୍ୟକ୍ତି ପ୍ରଦାନ କରିବା ସହ ସମାବେଶର ଅନ୍ୟତମ ଆଲୋଚକ ରୂପେ ସଭା ମଣ୍ଡନ କରିଥିଲେ I
ସଭାର ସଂଚାଳିକା ତଥା ସଂଯୋଜିକା ଅଧ୍ୟାପିକା ଡକ୍ଟର ଶର୍ମିଷ୍ଠା ମହାପାତ୍ର ଙ୍କ ସଂଚାଳନାରେ ସଞ୍ଚାଳିତ ସଭା କାର୍ଯ୍ୟରେ ସୃଜନୀର ସଂପାଦକ ଶ୍ରୀ ଅଶୋକ ସାମନ୍ତ ,କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଘ୍ନେଶ୍ଵର ସାହୁ ଏବଂ ଶ୍ରୀ ଗୌର ପ୍ରସାଦ ମହାପାତ୍ର ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଶ୍ରୀମତୀ ରଶ୍ମି ଦାସ ଙ୍କ ସଂଗୀତ ଗାୟନରେ ସଭା ସଂଗୀତମୟ ହୋଇଥିଲା I ସୃଜନୀ – ସୃଜନିକା ସାରସ୍ୱତ ମହୋତ୍ସବ ଉଭୟ ମଞ୍ଚ କାର୍ଯ୍ୟକ୍ରମ ସହ ଆଭାସୀ ମାଧ୍ୟମରେ ଆୟୋଜିତ କରାଯାଇଥିଲା I ସମାବେଶରେ ପ୍ରଫେସର୍ ବିଷ୍ଣୁ ଚୌଧୁରୀ ,ପ୍ରଫେସର୍ ରାଧାନାଥ ବେହେରା ,ଅବସରପ୍ରାପ୍ତ – ଅଧ୍ୟାପକ କୈଳାଶ ଚନ୍ଦ୍ର ସାହାଣୀ ,ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟ,ସୁଦୂର ଆମେରିକାରୁ ଶ୍ରୀମତୀ ଚନ୍ଦ୍ରା ମିଶ୍ର , ସାହିତ୍ୟିକ ମିନତୀ ପ୍ରଧାନ ,ଡାକ୍ତର ଅନିତା ପଣ୍ଡା , ଅଧ୍ୟକ୍ଷା ତଥା ପ୍ରଫେସର୍ ରୀନା ସାହୁ ଆଦି ସାହିତ୍ୟିକ ବୃନ୍ଦ ଙ୍କ ଉପସ୍ଥିତି ସହ ଦେଶ ତଥା ବିଦେଶରୁ ବହୁ ମାନ୍ୟଗଣ୍ୟ ବିକ୍ତିତ୍ଵ ସଭାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ I