ଆନ୍ଧ୍ରପ୍ରଦେଶରେ ରାସ୍ତାରୁ ଖସି ପଡ଼ିଲା ବସ୍‌: ୯ଜଣଙ୍କର ମୃତ୍ୟୁ, ୨୨ଆହତ

ଆନ୍ଧ୍ରପ୍ରଦେଶରେ ରାସ୍ତାରୁ ଖସି ପଡ଼ିଲା ବସ୍‌। ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା। ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ଜଣ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ଘଟିଛି ଏଭଳି ଘଟଣା। ପୁଲିସର କହିବା ମୁତାବକ, ଚିତ୍ତୁରରୁ ପଡ଼ୋଶୀ ତେଲେଙ୍ଗାନା ଯାଉଥିବା ବସ୍‌ରେ ଡ୍ରାଇଭର ଏବଂ ଜଣେ କ୍ଲିନରଙ୍କ ସମେତ ୩୭ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି।

ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଅମିତ ବରଦାର କହିଛନ୍ତି ଯେ, “ଦୁର୍ଘଟଣାଟି ଭୋର ପ୍ରାୟ ୪:୩୦ ସମୟରେ ଚିନ୍ତୁର-ମାରେଡୁମିଲ୍ଲୀ ଘାଟ ରାସ୍ତାରେ ଏକ ଦୁର୍ଗା ମନ୍ଦିର ନିକଟରେ ଘଟିଥିଲା। ଘାଟ ରୋଡରୁ ବସ୍ ଖସିଯିବାରୁ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୨୨ ଜଣ ଆହତ ହୋଇଛନ୍ତି। ବସ୍ ସମ୍ପୂର୍ଣ୍ଣ ଭାବରେ ଘାଟିରେ ନପଡ଼ି ଓଲଟି ପଡ଼ିଥିଲା ଏବଂ ଅଧାରେ ଫସି ରହିଥିଲା। ଆହତମାନଙ୍କ ମଧ୍ୟରୁ ଏବେ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମ୍ଭବତଃ ଘନ କୁହୁଡ଼ି ଯୋଗୁଁ, ବସ୍ ଡ୍ରାଇଭର ରାସ୍ତାର ମୋଡ଼ ଦେଖିପାରିନଥିଲେ, ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିଲା।”

Leave a Reply

Your email address will not be published. Required fields are marked *