ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ନେତା କପିଲ ସିବଲ୍

ନୂଆଦିଲ୍ଲୀ : କଂଗ୍ରେସକୁ ବଡ ଝଟ୍‌କା । ହାତ ଛାଡି ସାଇକେଲରେ ବସିଲେ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ । ସେ ସାଇକେଲରେ ବସି ଯିବେ ରାଜ୍ୟସଭା। କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ତଥା ଆଇନଜୀବୀ କପିଲ ଶିବଲ ଆଜି ସମାଜବାଦୀ ପାର୍ଟିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ସେ ସମାଜବାଦୀ ପାର୍ଟିରୁ ରାଜ୍ୟସଭା ଟିକେଟ୍‌ ପାଇଛନ୍ତି ।

କପିଲ ଶିବଲ ଆଜି ଲକ୍ଷ୍ନୌରେ ପହଞ୍ଚି ସମାଜବାଦୀ ପାର୍ଟି ମୁଖ୍ୟ ଅଫିସକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ସାପା ମୁଖ୍ୟ ଅଖିଲେଶ ଯାଦବଙ୍କୁ ଭେଟିଥିଲେ । ଏହାପରେ ଉଭୟ ଗୋଟିଏ କାର୍‌ରେ ବସି ବିଧାନସଭା ପହଞ୍ଚିଥିଲେ । ବର୍ତ୍ତମାନ ଯାଏଁ କଂଗ୍ରେସ ଦଳରେ ଥିବା ଶିବଲ ସମାଜବାଦୀ ପାର୍ଟିରୁ ଉତ୍ତର ପ୍ରଦେଶରୁ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି । ଏହାପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ନେଇ ଖୁଲାସା କରିଛନ୍ତି ।

ନାମାଙ୍କନ ଭରିବା ପରେ କପିଲ ଶିବଲ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ‘ମୁଁ ମେ ୧୬ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲି। ସଂସଦରେ ଏକ ସ୍ୱତନ୍ତ୍ର ସ୍ୱର ରହିବା ଜରୁରୀ ବୋଲି ସେ କହିଛନ୍ତି। ଯଦି ଏକ ସ୍ୱତନ୍ତ୍ର ସ୍ୱର କଥା ହୁଏ, ଲୋକମାନେ ବିଶ୍ୱାସ କରିବେ ଯେ ଏହା କୌଣସି ରାଜନୈତିକ ଦଳର ନୁହେଁ।’

ଦୀର୍ଘ ଦିନ ଧରି କଂଗ୍ରେସ ବିରୋଧରେ ସ୍ୱର ଉତ୍ତୋଳନ କରି ଆସୁଥିଲେ ଶିବଲ। ନିକଟରେ ସୁପ୍ରିମକୋର୍ଟର ଓକିଲ ଭାବେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ୍‌ଙ୍କ ଜାମିନ ସେ କରାଇଛନ୍ତି। ଆଜମ୍ ଖାନଙ୍କ ଓକିଲ ଭାବେ ଏବେ ସେ ସୁପ୍ରିମ କୋର୍ଟରେ ମାମଲା ଲଢୁଛନ୍ତି । ଏନେଇ ଆଜମ୍ ଖାନ ମଙ୍ଗଳବାର ଦିନ କହିଥିଲେ କି ଯଦି ସମାଜବାଦୀ ପାର୍ଟି କପିଲ ଶିବଲଙ୍କୁ ରାଜ୍ୟସଭା ପ୍ରାର୍ଥୀଭାବେ ମନୋନୀତ କରେ ତେବେ ସେ ଅଧିକ ଖୁସି ହେବେ।

ସୂଚନା ଥାଉକି ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି କୋଟାରେ ୩ ଟି ଆସନ ରହିଛି । ହେଲେ ବାକି ୨ ଜଣ କିଏ କିଏ ରାଜ୍ୟସଭା ପ୍ରାର୍ଥୀ ହେବେ ସେ ନେଇ ଅଖିଳେଶ ସସ୍‌ପେନ୍ସ ଜାରି ରଖିଛନ୍ତି। ଅନୁମାନ କରାଯାଉଛି କି ଦଳ ଡିମ୍ପଲ ଯାଦବ ଓ ଜାବେଦ ଅଲ୍ଲୀ ଖାନଙ୍କୁ ରାଜ୍ୟସଭା ପଠାଇବାକୁ ସ୍ଥିର କରିଛି।

Leave a Reply

Your email address will not be published. Required fields are marked *