୨ଟି ଲୋକସଭା ଓ ୨୦ଟି ବିଧାନସଭା ଆସନରେ ଲଢ଼ିବା ପାଇଁ ସିପିଆଇର ପ୍ରସ୍ତୁତି

ଭୁବନେଶ୍ଵର: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାର ୨ଟି ଲୋକସଭା ଓ ୨୦ଟି ବିଧାନସଭା ଆସନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ସିପିଆଇ ପ୍ରସ୍ତୁତି ଚଳାଇଛି ବୋଲି ଦଳର ରାଜ୍ୟ ସମ୍ପାଦକ ଅଭୟ ସାହୁ ଆଜି ଘୋଷଣା କରିଛନ୍ତି। ଆଜି ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହୁ କହିଛନ୍ତି- ଯେଉଁ ୨ଟି ଲୋକସଭା ଆସନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ସିପିଆଇ ମନସ୍ତ କରିଛି ତାହା ହେଲା- ଆସ୍କା ଓ ଜଗତସିଂହପୁର। ସମ୍ପ୍ରତି ବାଲେଶ୍ଵର ଜିଲ୍ଲାର ପଞ୍ଚଲିଙ୍ଗେଶ୍ଵରଠାରେ ଅନୁଷ୍ଠିତ ଦଳର ରାଜ୍ୟ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦ ବୈଠକରେ ୨୦୨୪ ନିର୍ବାଚନ ପାଇଁ ୩୦ଟି ବିଧାନସଭା ଆସନକୁ ଚିହ୍ନଟ କରାଯାଇ ସେସବୁ ସ୍ଥାନରେ ରାଜନୈତିକ ଓ ସାଙ୍ଗଠନିକ କାର୍ଯ୍ୟକ୍ରମମାନ ଚଳାଇବା ପାଇଁ ସ୍ଥିର କରାଯାଇଛି। ଚିହ୍ନଟ ହୋଇଥିବା ୩୦ଟି ବିଧାନସଭା ଆସନ ମଧ୍ୟରୁ ୨୦ଟିରେ ଦଳ ଲଢ଼ିବା ପାଇଁ ପ୍ରସ୍ତୁତି ଚଳାଇବ। ସିପିଆଇର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା କହିଛନ୍ତି– କେନ୍ଦ୍ର କ୍ଷମତାରେ ଥିବା ବିଜେପି କର୍ପୋରେଟ ପୁଞ୍ଜି, ଦକ୍ଷିଣପନ୍ଥୀ ମତାଦର୍ଶ ଏବଂ ଫାସିଷ୍ଟ ଲକ୍ଷଣଯୁକ୍ତ ଉଗ୍ର ସାମ୍ପ୍ରଦାୟିକତାବାଦର ବିଭତ୍ସ ସମନ୍ଵୟକୁ ପ୍ରତିନିଧୂତ୍ବ କରେ। ବିଜେପିର ଦ୍ଵିତୀୟ ପାଳିର ଶାସନରେ ଆରଏସଏସ ସବୁକିଛି ସିଧାସଳଖ ନିୟନ୍ତ୍ରଣ କରୁଛି । ଦେଶ ସାରା ସାମ୍ପ୍ରଦାୟିକ ଘୃଣା ଓ ବିଦ୍ବେଷର ବିଷମଞ୍ଜି ବୁଣାଯାଉଛି। ସଂଖ୍ୟାଲଘୁ, ଦଳିତ, ଆଦିବାସୀ ଓ ମହିଳାଙ୍କ ଉପରେ ହିଂସା ଓ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଫାସିଷ୍ଟ ଶକ୍ତିମାନଙ୍କର ପ୍ରଧାନ ଲକ୍ଷଣ ଅସହିଷ୍ଣୁତା ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଫଳିତ। ବିଜେପି ଶାସନରେ ଦେଶର ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏପରିକି ପ୍ରତିରକ୍ଷା କ୍ଷେତ୍ରକୁ ମଧ୍ୟ ଘରୋଇ ମାଲିକାନା ବା ପୁଞ୍ଜିପତିମାନଙ୍କ ହାତରେ ଟେକି ଦିଆଯାଉଛି। ଆମ ଦେଶର ଧର୍ମ ନିରପେକ୍ଷତା, ସଙ୍ଘୀୟ ବ୍ୟବସ୍ଥା, ସମ୍ବିଧାନ ଓ ଗଣତନ୍ତ୍ର ଆଜି ବିପନ୍ନ। ଏଣୁ ବିଜେପିକୁ ହଟାଇବା ହେଉଛି ଏକ ଅପରିହାର୍ଯ୍ୟ ଓ ଦେଶପ୍ରେମୀ ଆବଶ୍ୟକତା ଏବଂ ଏଥିପାଇଁ ଦେଶର ସମସ୍ତ ବାମପନ୍ଥୀ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତି ଏକାଠି ହେବା ଆବଶ୍ୟକ । ସିପିଆଇ ନେତୃବର୍ଗ କହିଛନ୍ତି- ଓଡ଼ିଶାରେ ବିଜେଡି ୫ମ ଥର ପାଇଁ କ୍ଷମତାକୁ ଫେରିବା ପରେ ଔଦ୍ଧତ୍ୟ ଓ ଅହଂକାର ପ୍ରଦର୍ଶନ କରୁଛି। ଆମ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଏକ ଅଲିଖିତ ବୁଝାମଣା କାର୍ଯ୍ୟ କରୁଛି। ପ୍ରତୀୟମାନ ହେଉଛି ଯେପରି ଓଡ଼ିଶାରେ ବିଜେଡି-ବିଜେପିର ଡବଲ ଇଞ୍ଜିନ ସରକାରର ଏକ ନୂତନ ସଂସ୍କରଣ ଚାଲିଛି। ସଂସଦ ଭିତରେ ବିଜେପିର ୩୭୦ ଓ ୩୫ (କ) ଧାରାର ଉଚ୍ଛେଦ, ସିଏଏ ଓଏନଆରସିରେ ସଂଶୋଧନ, ୩ କଳା କୃଷି ଆଇନ, ଶ୍ରମିକ ବିରୋଧୀ ୪ଲେବର କୋଡ୍, ଶିକ୍ଷାନୀତି ୨୦୨୦ ଓ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଘରୋଇକରଣ ପ୍ରଭୃତି ସମସ୍ତ ଜନବିରୋଧୀ ନୀତିକୁ ବିଜେଡି ସମର୍ଥନ ଦେଇଆସିଛି।

ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ଖୋଲାଖୋଲି ଭାବେ ନିଜ ଶକ୍ତିରେ ନିର୍ବାଚିତ କରିଛି। ବିଜେଡିର ନିରବ ସମର୍ଥନରେ ଓଡ଼ିଶାରେ ସାମ୍ପ୍ରଦାୟିକ ଶକ୍ତିମାନେ ସେମାନଙ୍କ ସଙ୍ଗଠନ ବୃଦ୍ଧି କରି ଚାଲିଛନ୍ତି। ଏହି ପରିସ୍ଥିତିରେ ଆଗାମୀ ନିର୍ବାଚନକୁ ଆଖିଆଗରେ ରଖି ସିପିଆଇ ସମସ୍ତ ବାମପନ୍ଥୀ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଦଳ ଓ ଶକ୍ତିମାନଙ୍କୁ ଐକ୍ୟବଦ୍ଧ କରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିବ ବୋଲି ଘୋଷଣା କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇ ଜାତୀୟ ପରିଷଦ ସଭ୍ୟ ଆଶିଷ କାନୁନ୍‌ଗୋ, ପ୍ରଶାନ୍ତ ମିଶ୍ର ଓ ଦିବାକର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *